
କଟକ/ଭୁବନେଶ୍ୱର,୧୬ ସେପ୍ଟେମ୍ବର (ହି.ସ)- ସଂକୀର୍ଣ୍ଣ ରାଜନୀତିଠାରୁ ଦୂରରେ ରହି ରେଭେନ୍ସା ବିଶ୍ୱବିଦ୍ୟାଳୟର ସର୍ବାଙ୍ଗୀଣ ବିକାଶ ଦିଗରେ କାର୍ଯ୍ୟ କରିବା ପାଇଁ ରେଭେନ୍ସା ବିଶ୍ୱବିଦ୍ୟାଳୟ ବିକାଶ ଟ୍ରଷ୍ଟ ନାମରେ ଏକ ନୂତନ ଅନୁଷ୍ଠାନ ଗଠନ କରାଯାଇଛି। ବୁଧବାର ପୂର୍ବାହ୍ଣରେ ସ୍ଥାନୀୟ ଶ୍ରୀଶ୍ରୀ ମା ଗଡ଼ଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ସହରର ବିଶିଷ୍ଟ ବ୍ୟକ୍ତିମାନଙ୍କର ଏକ ବୈଠକ ବସି ଏହି ନିଷ୍ପତି ନିଆଯାଇଛି।ବରିଷ୍ଠ ଶିକ୍ଷାବିତ୍ ପ୍ରଫେସର ଦିନେଶ ପ୍ରସାଦ ପଟ୍ଟନାୟକ ଓ ଯୁବ ସମାଜସେବୀ ଦୀପକ କୁମାର ମହାନ୍ତ ଯଥାକ୍ରମେ ଟ୍ରଷ୍ଟର ସଭାପତି ଓ ସମ୍ପାଦକ ରୂପେ ମନୋନୀତ ହୋଇଛନ୍ତି।
ଟ୍ରଷ୍ଟ ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିଚାଳନାରେ ବାହ୍ୟ ହସ୍ତକ୍ଷେପକୁ ବିରୋଧ କରିବା ସଙ୍ଗେସଙ୍ଗେ ବିଶ୍ୱବିଦ୍ୟାଳୟର ମର୍ଯ୍ୟାଦା ରକ୍ଷା କରିବା ଦିଗରେ କାର୍ଯ୍ୟ କରିବ ବୋଲି ସମ୍ପାଦକ ଦୀପକ କୁମାର ମହାନ୍ତ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା