
ବଲାଙ୍ଗୀର, ୧୬ ସେପ୍ଟେମ୍ବର(ହି.ସ.) – ଡାକ୍ତରୀ ପେସା କେବଳ ଏକ ବୃତି ନୁହେଁ; ଏହା ମଣିଷର ଜୀବନ ସହ ଜଡ଼ିତ ଏକ ବଡ଼ ଦାୟିତ୍ୱ। ଏହି ଦାୟିତ୍ୱକୁ ମାନବିକତା ଓ ସେବାଭାବ ସହିତ ତୁଲାଇ ଆସୁଥିବା ଜଣେ ଚିକିତ୍ସକ ହେଉଛନ୍ତି ଡାକ୍ତର ଲତାଟେନ୍ଦୁ ନାୟକ।
ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲର ମେଡିସିନ୍ ସ୍ପେଶାଲିଷ୍ଟ ଭାବେ ସେ ବିଭିନ୍ନ ପ୍ରକାରର ରୋଗୀଙ୍କୁ ଚିକିତ୍ସା ଓ ପରାମର୍ଶ ଦେଇଆସୁଛନ୍ତି। ବିଶେଷକରି ଗୁରୁତର ଓ ଜଟିଳ ସ୍ୱାସ୍ଥ୍ୟ ସମସ୍ୟାରେ ଥିବା ରୋଗୀଙ୍କୁ ନିଜ ତତ୍ୱାବଧାନରେ ଚିକିତ୍ସା ଯୋଗାଇବା ପାଇଁ ତାଙ୍କ ପ୍ରତି ଅନେକ ଲୋକଙ୍କ ଭରସା ରହିଛି।
ଦିନକୁ ଦିନ ଅନେକ ରୋଗୀଙ୍କୁ ଦେଖୁଥିବା ସତ୍ୱେ ରୋଗୀଙ୍କ ସହ ତାଙ୍କ ବ୍ୟବହାରରେ ଆତ୍ମୀୟତା ଓ ଧୈର୍ଯ୍ୟ ଦେଖିବାକୁ ମିଳେ। ସେ ରୋଗୀଙ୍କୁ କେବଳ ଜଣେ ‘ପେସେଂଟ’ ଭାବେ ନୁହେଁ, ଜଣେ ମଣିଷ ଭାବେ ଦେଖନ୍ତି- ଏହି ମାନବିକ ଆଭିମୁଖ୍ୟ ତାଙ୍କୁ ଲୋକଙ୍କ ନିକଟତର କରିଛି।
ରୋଗୀଙ୍କ ପାଇଁ ଡାକ୍ତର, ସମସ୍ତଙ୍କ ପାଇଁ ଜଣେ ଆତ୍ମୀୟ ଡାକ୍ତର ଲଲାଟେନ୍ଦୁ ନାୟକଙ୍କ ମିଶୁକ ସ୍ୱଭାବ ଓ ସରଳ ବ୍ୟବହାର ତାଙ୍କର ଆଉ ଏକ ପରିଚୟ। ସମାଜର ବିଭିନ୍ନ ବର୍ଗର ଲୋକଙ୍କ ସହ ସେ ସହଜରେ ମିଶିପାରନ୍ତି। ବୟୋଜ୍ୟେଷ୍ଠଙ୍କ ପ୍ରତି ସମ୍ମାନ ଏବଂ ରୋଗୀଙ୍କ ପ୍ରତି ଆତ୍ମୀୟ ବ୍ୟବହାର ତାଙ୍କ ବ୍ୟକ୍ତିତ୍ୱର ଏକ ବିଶେଷ ଦିଗ।
କେବେ କେବେ ଆପାତକାଳୀନ ପରିସ୍ଥିତିରେ ରୋଗୀଙ୍କ ପରିବାର ପକ୍ଷରୁ ସହାୟତା ଆବଶ୍ୟକ ହେଲେ, ସମ୍ଭବ ସହଯୋଗ କରିବାକୁ ସେ ଆଗେଇ ଆସନ୍ତି ବୋଲି ତାଙ୍କୁ ଜାଣିଥିବା ଲୋକମାନେ କହନ୍ତି। ଚିକିତ୍ସା ସେବା ସହିତ ମଣିଷ ପ୍ରତି ଏହି ଦାୟିତ୍ୱବୋଧ ତାଙ୍କୁ ପଶ୍ଚିମ ଓଡ଼ିଶାର ଅନେକ ଲୋକଙ୍କ ନିକଟରେ ପରିଚିତ କରିଛି।
ଆଧ୍ୟାତ୍ମିକତା ସହ ମାନବିକତା ଡାକ୍ତର ଲଲାଟେନ୍ଦୁ ନାୟକଙ୍କ ବ୍ୟକ୍ତିତ୍ୱର ଆଉ ଏକ ପାଟ ହେଉଛି ତାଙ୍କର ଆଧ୍ୟାତ୍ମିକ ଚିନ୍ତାଧାରା। ପୂଜା-ଅର୍ଚ୍ଚନା ପ୍ରତି ଆଗ୍ରହ ସହିତ ମଣିଷର ସେବାକୁ ମଧ୍ୟ ସେ ଗୁରୁତ୍ୱ ଦେଇଥାନ୍ତି। ତାଙ୍କ ଚିନ୍ତାଧାରାରେ ମାନବିକତା ଓ ସେବାଭାବର ଏହି ସମନ୍ୱୟ ତାଙ୍କୁ ଏକ ଭିନ୍ନ ପରିଚୟ ଦେଇଥାଏ।
ନିଶୁଳ୍କ ସ୍ୱାସ୍ଥ୍ୟ ସେବାର ପ୍ରୟାସ ବର୍ତମାନ ମଧ୍ୟ ପ୍ରତି ମାସର ୧ ତାରିଖ ଓ ୧୫ ତାରିଖରେ ନିଶୁଳ୍କ ଚିକିତ୍ସା ପରାମର୍ଶ ଯୋଗାଇବାର ପ୍ରୟାସ ଜାରି ରଖିଛନ୍ତି। ଆଗାମୀ ଦିନରେ ମଧ୍ୟ ଗ୍ରାମାଂଚଳକୁ ଯାଇ ଆବଶ୍ୟକ ଲୋକଙ୍କୁ ନିଶୁଳ୍କ ସ୍ୱାସ୍ଥ୍ୟ ପରାମର୍ଶ ଓ ସେବା ପହଂଚାଇବା ପାଇଁ ତାଙ୍କର ଇଚ୍ଛା ରହିଛି।
ଜଣେ ଡାକ୍ତରଙ୍କ ହାତରେ ଥାଏ ଚିକିତ୍ସାର ଦାୟିତ୍ୱ, କିନ୍ତୁ ଜଣେ ମାନବିକ ଡାକ୍ତରଙ୍କ ହାତରେ ଥାଏ ଭରସା।
ଡାକ୍ତର ଲତାଟେନ୍ଦୁ ନାୟକଙ୍କ ଚିକିତ୍ସା ସେବା, ମିଶୁକ ସ୍ୱଭାବ, ବୟୋଜ୍ୟେଷ୍ଠଙ୍କ ପ୍ରତି ସମ୍ମାନ ଓ ମାନବିକ ଚିନ୍ତାଧାରା ତାଙ୍କୁ ବଲାଙ୍ଗୀର ତଥା ପଶ୍ଚିମ ଓଡ଼ିଶାର ଲୋକଙ୍କ ନିକଟରେ ଏକ ପରିଚିତ ନାମ କରିଛି।
ବଲାଙ୍ଗୀରବାସୀ ଓ ପଶ୍ଚିମ ଓଡ଼ିଶାବାସୀଙ୍କ ପକ୍ଷରୁ ଡାକ୍ତର ଲତାଟେନ୍ଦୁ ନାୟକଙ୍କୁ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଆଗାମୀ ଦିନରେ ମଧ୍ୟ ତାଙ୍କର ସେବା ଓ ମାନବିକ ପ୍ରୟାସ ଜାରି ରହୁ- ଏହା ହିଁ ସମସ୍ତଙ୍କ ଆଶା।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ