ଦଶମ ଦିନକୁ ଗଡ଼ିଲା ଛାତ୍ର ସାମ୍ମୁଖ୍ୟର ରିଲେ ଅନଶନ
Students union agitation still countinue
ଦଶମ ଦିନକୁ ଗଡ଼ିଲା ଛାତ୍ର ସାମ୍ମୁଖ୍ୟର ରିଲେ ଅନଶନ


୪ ଦଫା ଶିକ୍ଷା ଦାବିରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ଜାରି

ଝାରସୁଗୁଡ଼ା, ୧୬ ସେପ୍ଟେମ୍ବର (ହି.ସ.): ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାର ବିକାଶ ଓ ଉଚ୍ଚଶିକ୍ଷାର ଭିତ୍ତିଭୂମି ସୁଦୃଢ଼ କରିବା ଦାବିରେ ଝାରସୁଗୁଡ଼ା ଜିଲ୍ଲା ଛାତ୍ର ସାମ୍ମୁଖ୍ୟର ରିଲେ ଅନଶନ ନବମ ଦିନରେ ମଧ୍ୟ ଜାରି ରହିଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରନେତାମାନେ ଧାରଣା ଦେଇ ସରକାରଙ୍କ ନିକଟରେ ନିଜ ଦାବି ଉପସ୍ଥାପନ କରୁଛନ୍ତି।

ଛାତ୍ର ସାମ୍ମୁଖ୍ୟର ମୁଖ୍ୟ ଦାବି ମଧ୍ୟରେ ପୁରାତନ ଏଲ୍.ଏନ୍. କଲେଜର ସମ୍ପୂର୍ଣ୍ଣ ସରକାରୀକରଣ, ଝାରସୁଗୁଡ଼ା ଯାନ୍ତ୍ରିକ ସ୍କୁଲକୁ ଯାନ୍ତ୍ରିକ କଲେଜରେ ଉନ୍ନୀତ କରିବା, ଉପାନ୍ତ ୧୯ ଖଣ୍ଡ ମୌଜାରେ ସରକାରୀ ଡିଗ୍ରୀ କଲେଜ ପ୍ରତିଷ୍ଠା ଏବଂ ଜିଲ୍ଲାରେ ସରକାରୀ ମେଡିକାଲ କଲେଜ ସ୍ଥାପନ ରହିଛି।

ଦିନ ପରେ ଦିନ ଅନଶନ ଜାରି ରହିଥିବା ବେଳେ ଆନ୍ଦୋଳନସ୍ଥଳରେ ବିଭିନ୍ନ ମହଲରୁ ସମର୍ଥନ ମିଳୁଛି। ଆଞ୍ଚଳିକ ବିକାଶ ପରିଷଦ (ଲଇକେରା, କୋଲାବିରା ଓ କିର୍ମିରା)ର ଉପଦେଷ୍ଟା ସୁମନ୍ତ ଶେଖର ବହିଦାର, କୋଲାବିରା ଅଞ୍ଚଳର ସାମାଜିକ କର୍ମୀ ପ୍ରଦୀପ ସାହୁ, ଆଇନଜୀବୀ ରାହୁଲ ରାୟ, ଆଦିବାସୀ ନେତା ପ୍ରଭାକର ଓରାମ ଓ ଯୁବ ନେତା ତ୍ରିଲୋଚନ ଡନସନା ପ୍ରମୁଖ ଅନଶନସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ସମର୍ଥନ ଜଣାଇଥିଲେ।

ବୁଧବାର ସନ୍ଧ୍ୟା ୫ଟାରେ ଜାତୀୟ ସଂଗୀତ ଗାନ ପରେ ନବମ ଦିନର ଧାରଣା ସ୍ଥଗିତ ରଖାଯାଇଥିଲା। ଗୁରୁବାର ସକାଳ ୧୦ଟାରୁ ଦଶମ ଦିନର ରିଲେ ଅନଶନ ପୁଣି ଆରମ୍ଭ ହେବ ବୋଲି ସାମ୍ମୁଖ୍ୟ ପକ୍ଷରୁ କୁହାଯାଇଛି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ପଛକୁ ହଟିବେ ନାହିଁ ବୋଲି ସାମ୍ମୁଖ୍ୟ ସ୍ପଷ୍ଟ କରିଛି।

ଅନଶନସ୍ଥଳରେ ସଭାପତି ଅସୀମ ପଟେଲ, ସଂଗଠନ ସମ୍ପାଦକ ଜିତେନ୍ଦ୍ରୀୟ ଧୁରୁଆ, ଉପସଭାପତି ରବି ରୋହିଦାସ, ଯୁଗ୍ମ ସମ୍ପାଦକ ନନ୍ଦୁ ରୋହିଦାସଙ୍କ ସମେତ ବହୁ ଛାତ୍ରନେତା ଓ ସମର୍ଥକ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande