
ମାଲକାନଗିରି , ୧୬ ସେପ୍ଟେମ୍ବର (ହି.ସ.) ଦିନେ ମାଓ ଭୟରେ ଠପ୍ ହୋଇଯାଇଥିଲା ଏଠାକାର ଜୀବନ। ଶିକ୍ଷାଠାରୁ ଦୂରେଇ ଯାଇଥିଲେ ଘାଟି ଅଞ୍ଚଳର ଲୋକେ। ହେଲେ ଏବେ ସମୟ ବଦଳିଛି... ହଟିଛି ଲାଲ୍ ଆତଙ୍କ। ଅଥଚ ଆଜି ବି ହଟିନି ଅଭାବ। ବଦଳିନି ବିକାଶର ଚିତ୍ର। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର ତୁଳସୀ ଘାଟି ଅଞ୍ଚଳର କେରମେଟି ଗାଁ। ଗାଁରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ଦଦରା ଘର ଭଙ୍ଗା କାନ୍ଥ ଆଉ ଅସୁରକ୍ଷିତ ପରିବେଶରେ ଚାଲିଛି । ଏହାରି ଭିତରେ ଚାଲିଛି କୋମଳମତି ଶିଶୁଙ୍କ ପ୍ରାକ୍-ଶିକ୍ଷା। ଯେଉଁଠି ପିଲାଙ୍କ ପାଠପଢ଼ାଠାରୁ ବଡ଼ ଚିନ୍ତା ପାଲଟିଛି ସୁରକ୍ଷା। ନିଜସ୍ବ ଅଙ୍ଗନବାଡ଼ି ଗୃହଟିଏ ନାହିଁ। ଭଙ୍ଗା ଘରେ ବସି ଶିକ୍ଷାର ପ୍ରଥମ ପାହାଚ ଚଢୁଛନ୍ତି କୋମଳମତି ଶିଶୁ। ଭଲ ଘରଟିଏ ତ ଦୂରର କଥା, ମୌଳିକ ସୁବିଧାଟିଏ ପାଇବା ବି ଏଠି କଷ୍ଟକର। ଦିନେ ମାଓବାଦୀଙ୍କ ଭୟରେ ଯେଉଁ ଘାଟି ଅଞ୍ଚଳରେ ବିକାଶର ଚକ ଅଟକି ଯାଇଥିଲା, ଆଜି ସେହି ଅଞ୍ଚଳ ଲାଲ୍ ଆତଙ୍କରୁ ମୁକ୍ତ ହେବା ପରେ ବି ମୌଳିକ ସୁବିଧାରୁ ବଞ୍ଚିତ। ପ୍ରଶ୍ନ ଉଠୁଛି... ଯେଉଁ ପିଲାମାନେ ଆସନ୍ତାକାଲିର ଭବିଷ୍ୟତ, ସେମାନଙ୍କ ଶିକ୍ଷାର ପ୍ରଥମ ପାହାଚ ଯଦି ଭଙ୍ଗା ଘରେ ହୁଏ, ତେବେ କେମିତି ଗଢ଼ିହେବ ସେମାନଙ୍କ ଭବିଷ୍ୟତ? ଘାଟି ଅଞ୍ଚଳରେ ବିକାଶର ଦାବି ହେଉଛି। ହେଲେ କେରମେଟି ଗାଁର ଏହି ଚିତ୍ର ସରକାରୀ ବିକାଶର ବାସ୍ତବତାକୁ ନେଇ ଉଠାଇଛି ବଡ଼ ପ୍ରଶ୍ନ ।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ