
ଜୟପୁର,୧୬ ସେପ୍ଟେମ୍ବର (ହି.ସ.) - ସେଂଟ୍ରାଲ୍ ୟୁନିଭର୍ସିଟି ଅଫ୍ ଓଡ଼ିଶାର କୃଷି ବିଭାଗ ଏବଂ ପେରୁସ୍ଥିତ ଇଂଟରନ୍ୟାସନାଲ୍ ପୋଟାଟୋ ସେଂଟରର ମିଳିତ ଆନୁକୂଲ୍ୟରେ ବିଶ୍ୱବିଦ୍ୟାଳୟର ସୁନାବେଡ଼ା କ୍ୟାମ୍ପସରେ ଏକ ଉନ୍ନତ ଆଳୁ ଚାଷ ଓ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆଳୁ ବିହନ ଉତ୍ପାଦନର ନୂତନ ପ୍ରଯୁକ୍ତିବିଦ୍ୟା, ନିୟନ୍ତ୍ରିତ ଚାଷ, ଗବେଷଣାତ୍ମକ ସହଯୋଗ ଓ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଥିଲା।
ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ଅଜିତ କୁମାର ଶାସନୀ କ୍ୟାମ୍ପସରେ ଆଳୁ ପ୍ରକଳ୍ପ ଅଧୀନରେ ନିର୍ମିତ ପଲିହାଉସ୍ ଏବଂ ନେଟ୍-ହାଉସ୍ ସୁବିଧାର ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଡିନ୍ ପ୍ରଫେସର ନରସିଂହ ଚରଣ ପଣ୍ଡା ଏବଂ ସିଆଇପି ର ବିଶିଷ୍ଟ ବୈଜ୍ଞାନିକ ଡକ୍ଟର କଳ୍ପନା ଶର୍ମା ଗ୍ଲୋବାଲ୍ ସାଇନଟିଷ୍ଟ, , ଡକ୍ଟର ଏଲି ଆଟିଏନୋ ଓ ଡକ୍ଟର ନବକିଶୋର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ। କୃଷି ବିଭାଗର ମୁଖ୍ୟ ଡକ୍ଟର ମଞ୍ଜୁଶ୍ରୀ ସିଂହ ସ୍ୱାଗତ ଭାଷଣ ଦେଇ ଆସିଥିବା ବୈଜ୍ଞାନିକମାନଙ୍କୁ ସ୍ୱାଗତ କରିବା ସହ ବିଭାଗ ଦ୍ୱାରା ନିଆଯାଉଥିବା ନୂତନ, ପ୍ରଯୁକ୍ତିବିଦ୍ୟା-ଭିତିକ ଓ କ୍ଷେତ୍ର-ଭିତିକ କୃଷି ଗବେଷଣା ବିଷୟରେ ଆଲୋକପାତ କରିଥିଲେ।
ଟେକ୍ନିକାଲ୍ ସେସନରେ ଆଳୁ ବିହନ ଉତ୍ପାଦନର ଆଧୁନିକ ପ୍ରଣାଳୀ, ବିଶେଷ କରି ଏରୋପୋନିକ୍ସ' ଏବଂ ଏପିକାଲ୍ ରୁଟ୍ କଟିଂ' ଉପରେ ଚର୍ଚ୍ଚା ହୋଇଥିଲା। କୋରାପୁଟ ଓ ଏହାର ଆଖପାଖ ଅଂଚଳର ଜଳବାୟୁ ଅନୁଯାୟୀ ଉନ୍ନତମାନର ବିହନ ଉତ୍ପାଦନ ଏବଂ ସ୍ଥାୟୀ ଆଳୁ ଚାଷ ପ୍ରଣାଳୀକୁ ସୁଦୃଢ଼ କରିବାରେ ଏହି ପ୍ରଯୁକ୍ତିବିଦ୍ୟାର ଭୂମିକା ସମ୍ପର୍କରେ ଉପସ୍ଥିତ ସଦସ୍ୟମାନେ ଆଲୋଚନା କରିଥିଲେ।
ଏହି ଅବସରରେ ଡକ୍ଟର କଳ୍ପନା ଶର୍ମା ସିଓୟୁ ଏବଂ ସିଆଈପି ମଧ୍ୟରେ ଶୈକ୍ଷିକ ଓ ଗବେଷଣାଗତ ସମ୍ପର୍କକୁ ଆହୁରି ମଜବୁତ୍ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ବିଦ୍ୟାର୍ଥୀମାନଙ୍କୁ ଆଧୁନିକ ଆଳୁ ଚାଷ ପ୍ରଯୁକ୍ତି ଓ ଅନ୍ତର୍ଜାତୀୟ ଗବେଷଣାର ବ୍ୟାବହାରିକ ଅନୁଭୂତି ଯୋଗାଇବା ପାଇଁ ର ଗବେଷଣା ପ୍ରକଳ୍ପଗୁଡ଼ିକରେ କୃଷି ବିଭାଗର ଛାତ୍ରଛାତ୍ରୀଙ୍କୁ ସାମିଲ କରିବାକୁ ସେ ପ୍ରସ୍ତାବ ଦେଇଥିଲେ।
କୁଳପତି ସିଓୟୁ ଏବଂ ସିଆଇପି ମଧ୍ୟରେ ସହଯୋଗକୁ ଆହୁରି ସୁଦୃଢ଼ କରିବାକୁ ଆହ୍ୱାନ ଜଣାଇଥିଲେ। ମିଳିତ ଗବେଷଣା, ଛାତ୍ର ତାଲିମ, ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନ ଏବଂ ଦକ୍ଷତା ବୃଦ୍ଧି ପାଇଁ ଦୁଇଟି ଅନୁଷ୍ଠାନ ମଧ୍ୟରେ ଏକ ସହମତି ପତ୍ର (ଗକ୍ଟଟ) ସ୍ୱାକ୍ଷର କରିବାକୁ ସେ ପରାମର୍ଶ ଦେଇଥିଲେ। ଡକ୍ଟର ଏଲି ଆଟିଏନୋ ଏବଂ ଡକ୍ଟର ନବକିଶୋର ପରିଡ଼ା କୃଷି ବିଭାଗ ସହ ବିଗତ ୪ ମାସର କାର୍ଯ୍ୟାନ୍ୱୟନର ଅନୁଭୂତି ସେୟାର କରିଥିଲେ ଏବଂ ବିଭାଗର ସକ୍ରିୟ ଭାଗିଦାରୀ, ବୈଜ୍ଞାନିକ ଆଗ୍ରହ ଓ କୃଷି ଉଦ୍ଭାବନ ପ୍ରତି ନିଷ୍ଠାକୁ ପ୍ରଶଂସା କରିଥିଲେ।
କାର୍ଯ୍ୟକ୍ରମର ଅଂଶସ୍ୱରୂପ, ବୈଜ୍ଞାନିକ, ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ, ଅଧ୍ୟାପକ-ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ପଲିହାଉସ୍ ଏବଂ ନେଟ୍-ହାଉସ୍ ପରିଦର୍ଶନ କରି ନିୟନ୍ତ୍ରିତ ପରିବେଶରେ ଆଳୁ କଟିଂ ଉତ୍ପାଦନର ପ୍ରତ୍ୟକ୍ଷ ପ୍ରଦର୍ଶନ ଦେଖିଥିଲେ। ଏହି କାର୍ଯ୍ୟକ୍ରମ କୋରାପୁଟ ଅଂଚଳରେ ଆଧୁନିକ ଆଳୁ ଉତ୍ପାଦନ ପ୍ରଯୁକ୍ତିବିଦ୍ୟାର ପ୍ରସାର, ଗବେଷଣାଗତ ସହଯୋଗ ଏବଂ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।
ହିନ୍ଦୁସ୍ଥାନ ସମାଚାର / ପିକେପି