
ଭୁବନେଶ୍ୱର,୧୬ ସେପ୍ଟେମ୍ବର (ହି.ସ)- ୟୁପିଆଇ ବ୍ୟବହାର ଉପରେ ଟ୍ୟାକ୍ସକୁ ନେଇ କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏଆଇସିସି ଓଡିଶା ପ୍ରଭାରୀ ଲାଲଜୀ ଦେଶାଇ, ଓପିସିସି ସଭାପତି ଭକ୍ତ ଚରଣ ଦାସ ବିଜେପି ସରକାର ଉପରେ ବର୍ଷିଛନ୍ତି।
ସଭାପତି ଶ୍ରୀ ଦାସ କହିଛନ୍ତି ଯେ, ୟୁନିଫାଇଡ୍ ପେେଂଟସ୍ ଇଂଟରଫେସ୍ ବା ୟୁପିଆଇ ଆଜିକାଲି ସାଧାରଣ ଲୋକଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଯାଇଛି, ହେଲେ ଏହା ସହିତ ଜଡ଼ିତ ସାମ୍ପ୍ରତିକ ସମସ୍ୟା ଗରିବ ଓ ମଧ୍ୟବିତ ଶ୍ରେଣୀ ପାଇଁ ବଡ଼ ଚିନ୍ତାର କାରଣ ସାଜିଛି। ସରକାର ପ୍ରଥମେ ନଗଦମୁକ୍ତ କାରବାରର ପ୍ରତିଶ୍ରୁତି ଦେଇ ଡିଜିଟାଲ୍ ପେମେଂଟକୁ ପ୍ରୋତ୍ସାହନ ଦେଇଥିଲେ, କିନ୍ତୁ ଏବେ ବିଭିନ୍ନ ୱାଲେଟ୍ ଓ ପ୍ଲାଟଫର୍ମ କାରବାର ଉପରେ ଲୁକ୍କାୟିତ ଚାର୍ଜ ଓ ଅତିରିକ୍ତ ଶୁଳ୍କ ଲଗାଯାଉଥିବାରୁ ଏହା ଛୋଟ ଦୋକାନୀ, ପରିବା ବିକ୍ରେତା ଏବଂ ସାଧାରଣ ଗ୍ରାହକଙ୍କ ଆର୍ôଥକ ବୋଝ ବଢ଼ାଇ ଦେଇଛି। ସବୁଠାରୁ ମାରାତ୍ମକ ବିଷୟ ହେଉଛି, ବର୍ତମାନ ସମୟରେ ବଢ଼ି ଚାଲିଥିବା ୟୁପିଆଇ ସାଇବର ଠକେଇ ଓ ଫିସିଂ ସ୍କାମର ଶିକାର ଗ୍ରାମାଂଚଳର ଅପାଠୁଆ ଏବଂ ସରଳ ଲୋକମାନେ ହିଁ ହେଉଛନ୍ତି। ବ୍ୟାଙ୍କ କିମ୍ବା ପ୍ରଶାସନ ତରଫରୁ ତୁରନ୍ତ ସହାୟତା ବା ଅଭିଯୋଗର ସମାଧାନ ନ ମିଳିବା କାରଣରୁ ଜଣେ ସାଧାରଣ ନାଗରିକ ତାର ରକ୍ତଝାଳ ବୁହା ଧନ ହରାଇ ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ୁଛି ।
ପ୍ରଥମେ ମାଗଣାର ପ୍ରଲୋଭନ ଦେଖାଇ ଲୋକଙ୍କୁ ଜାଲରେ ଫସାଅ, ଆଉ ତାପରେ ସେମାନଙ୍କ ରକ୍ତଝାଳ ବୁହା ଧନ ଉପରେ ଟ୍ୟାକ୍ସ ବସାଅ! ଏହି ଜନବିରୋଧୀ ନିଷ୍ପତି ଯୋଗୁଁ ଆମର ସାଧାରଣ ଗ୍ରାହକ ଏବଂ ଖୁଚୁରା ବ୍ୟବସାୟୀମାନେ ହିଁ ସବୁଠାରୁ ବେଶୀ ହଇରାଣ ହେବେ, ସେମାନଙ୍କ ଆର୍ôଥକ ମେରୁଦଣ୍ଡ ଭାଙ୍ଗିଯିବ। କଂଗ୍ରେସ ଦଳ ଏହି 'ବେପାରୀ ନୀତି' କୁ କଦାପି ବରଦାସ୍ତ କରିବ ନାହିଁ। ଆମେ ଗରିବଙ୍କ ହକ୍ ପାଇଁ ରାଜପଥକୁ ଓହ୍ଲାଇବୁ ବୋଲି ସଭାପତି ଶ୍ରୀ ଦାସ ଚେତାବନୀ ଦେଇଛନ୍ତି ।
ଏହି ସରକାର ଏକ ମିଛୁଆ ସରକାର। ଖୋଦ୍ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଗଷ୍ଟ ୬ ଓ ୧୦ରେ ଦୁଇଥର ପାର୍ଲାମେଣ୍ଟରେ କହିଥିଲେ, ସେପରି କିଛି ନାହିଁ। ଅଥଚ ୫ ସପ୍ତାହ ଗଲାନି, ସେପ୍େଟମ୍ବର ୧୪ରେ ବିଜ୍ଞପ୍ତି ପ୍ରକାଶ କରିଦେଲେ ଯେ ଅକ୍ଟୋବର ୧୫ରୁ ଏଣୁଏଣିକି ୨୦୦୦ ଟଙ୍କାରୁ ଊର୍ଦ୍ଧ୍ୱ ୟୁପିଆଇ କାରବାରରେ ଟ୍ୟାକ୍ସ ଲାଗିବ। ଏହା ମିଛୁଆ ସରକାରର ଆଉ ଏକ ମିଛ।
ଏଆଇସିସି ଓଡିଶା ପ୍ରଭାରୀ ଶ୍ରୀ ଦେଶାଇ କହିଛନ୍ତି ଯେ, ମୋଦୀ ଶାହା ଏବଂ ଅର୍ଥମନ୍ତ୍ରୀ ଲୋକଙ୍କ ପକେଟକୁ ଟଙ୍କା ଆସିବ ବୋଲି ଭୁତାଇ ପକେଟମାର କରୁଛନ୍ତି । ସେମାନେ ଏହି ଟ୍ୟାକ୍ସ ଦ୍ୱାରା ଲୋକେ ଲାଭବାନ ହେବେ ବୋଲି କହୁଛନ୍ତି ତାହା ସମସ୍ତଙ୍କ ବୁଝିବା ଶକ୍ତି ବାହାରେ କ୍ଷ ବିଭିନ୍ନ ଉପାୟ ଅବଲମ୍ବନ କରି ଏମାନେ କେବଳ ଅର୍ଥ ଲୁଟ କରୁଛନ୍ତି କ୍ଷ ଏମଏମଡିଆର ଏହାର ଏକ ନିଚ୍ଛକ ଉଦାହରଣ । କିନ୍ତୁ କଂଗ୍ରେସ ସବୁବେଳେ ଜନତାଙ୍କ ସାଥିରେ ଅଛି ଓ ଏହି ଡବଲ ଇଞ୍ଜିନ ସରକାରକୁ ଯେତେଦିନ ପର୍ଯ୍ୟନ୍ତ ହଟାଇବେ ନାହିଁ ସେତେଦିନ ପର୍ଯ୍ୟନ୍ତ ଏମାନେ ଜନତାଙ୍କ ରକ୍ତ ଚୋଷୁଥିବେ ବୋଲି ଶ୍ରୀ ଦେଶାଇ ମତବ୍ୟକ୍ତ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା