
ଜୟପୁର, ୧୬ ସେପ୍ଟେମ୍ବର(ହି.ସ.) – ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ଛୁରି ଭୁସି ମରଣାନ୍ତକ ଆକ୍ରମଣ ମାମଲାରେ ଜୟପୁର ସଦର ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଜୟପୁର ସଦର ଥାନା ଅନ୍ତର୍ଗତ ପୋଲକାପୁଟ ଗ୍ରାମର ଅମନ ଖ୍ରୀଷ୍ଟିଆନ୍(୩୯)। ବର୍ତମାନ ସେ ହାଡ଼ିଆସ୍ଥିତ ଖ୍ରୀଷ୍ଟିଆନ୍ ସାହିରେ ରହୁଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ସେପ୍ଟେମ୍ବର ୧୪ ତାରିଖରେ ଅଭିଯୁକ୍ତ ଅମନ ଖ୍ରୀଷ୍ଟିଆନ୍ ସତ୍ୟବାନ ନାଗଙ୍କ ସାନ ଭାଇ ଡମ୍ବରୁ ନାଗଙ୍କ ବେକକୁ ଛୁରିରେ ଆକ୍ରମଣ କରି ଜୀବନରୁ ମାରି ଦେବାକୁ ଉଦ୍ୟମ କରିଥିଲା। ଅଭିଯୁକ୍ତ ଅମନ ଡମ୍ବରୁ ନାଗଙ୍କୁ ଛୁରିରେ ଆକ୍ରମଣ କରୁଥିବାବେଳେ ଛୁରିଟି ଡମ୍ବରୁଙ୍କ ବେକରେ ବାଜିଯିବାରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ବର୍ତମାନ ଡମ୍ବରୁ ନାଗଙ୍କ ବେକରେ ୧୦ଟି ଷ୍ଟିଚ୍ ପଡ଼ିଥିବାବେଳେ ସେ କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜରେ ଜୀବନ ସହ ସଂଗ୍ରାମ କରି ଚିକିସ୍ଚିତ ହେଉଛନ୍ତି। ଡମ୍ବରୁ ନାଗଙ୍କ ବଡ ଭାଇ ସତ୍ୟବାନ ନାଗ ଗତ ସେପ୍ଟେମ୍ବର ୧୫ ତାରିଖରେ ଜୟପୁର ସଦର ଥାନା ଅଭିଯୋଗ କରିବା ପରେ ପୋଲିସ ୨୯୦/୨୬ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରେ ଜାଣି ପୋଲିସ ଅଭିଯୁକ୍ତ ଅମନକୁ ଗିରଫ କରିବା ସହ କୋର୍ଟ ଚାଲାଣ କରାଯାଇଥିବା ନେଇ ସଦର ଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି