
ନୂଆଦିଲ୍ଲୀ, ୦୨ ସେପ୍େଟମ୍ବର (ହି.ସ.)- ଏଆଇଏମଆଇଏମର ପୂର୍ବତନ ପ୍ରବକ୍ତା ସୟଦ ଆସିମ ୱକାର ବୁଧବାର କଂଗ୍ରେସରେ ସାମିଲ ହୋଇଛନ୍ତି। ୱକାର ପାର୍ଟି ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ପାର୍ଟିର ସଦସ୍ୟତା ଗ୍ରହଣ କରିଥିଲେ। ଏହି ଅବସରରେ ଉତର ପ୍ରଦେଶ କଂଗ୍ରେସର ପ୍ରଭାରୀ ରାଜେନ୍ଦ୍ର ପାଲ ଗୌତମ, ପ୍ରଦେଶ ଅଧ୍ୟକ୍ଷ ଅଜୟ ରାୟ ଏବଂ କଂଗ୍ରେସ ଅଲ୍ପସଂଖ୍ୟକ ବିଭାଗର ଚେୟାରମ୍ୟାନ ଇମ୍ରାନ ପ୍ରତାପଗଢ଼ୀ ଉପସ୍ଥିତ ଥିଲେ। ଏହି ଅବସରରେ ୱକାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଯଦି ଦେଶ ପ୍ରତି ସଚ୍ଚା ପ୍ରେମ ଅଛି ଏବଂ ବିଜେପିକୁ କ୍ଷମତାରୁ ହଟାଇବାକୁ ହେବ ତେବେ କଂଗ୍ରେସ ସହିତ ଆସିବା ଜରୁରୀ, କାରଣ କଂଗ୍ରେସ ଦୃଢ଼ତାର ସହିତ ବିଜେପି ବିରୋଧରେ ଲଢ଼ୁଛି। ସେ କହିଛନ୍ତି ଯେ ଏଆଇଏମଆଇଏମରେ ରହିବା ସମୟରେ ତାଙ୍କୁ ଲାଗିଥିଲା ଯେ ପାର୍ଟି ବିଜେପି ଏବଂ ତାହାର ବିଚାରଧାରା ସହିତ ଲଢ଼ିବା କଥା କହୁଛି, କିନ୍ତୁ ଭୂମିସ୍ତରରେ ସେହି ଲୋକମାନଙ୍କ ସହିତ ଲଢ଼ୁଛି ଯେଉଁମାନେ ବିଜେପି ବିରୋଧରେ ଅଛନ୍ତି। ତେଣୁ ସେ କଂଗ୍ରେସ ସହିତ ଆସିବାର ନିଷ୍ପତି ନେଇଥିଲେ। ୱକାର କହିଛନ୍ତି ଯେ ଦେଶକୁ ଭଲ ପାଉଥିବା ଲୋକମାନେ ବିଜେପି ସରକାରକୁ କ୍ଷମତାରୁ ହଟାଇବାକୁ ଚାହୁଁଛନ୍ତି, ଯାହାଦ୍ୱାରା ଦେଶରେ ଧର୍ମନିରପେକ୍ଷ ଏବଂ ଜନହିତକାରୀ ସରକାର ଗଠନ କରାଯାଇପାରିବ। କଂଗ୍ରେସ ହିଁ ସେହି ପାର୍ଟି ଯାହା ଦୃଢ଼ତାର ସହିତ ବିଜେପି ବିରୋଧରେ ଲଢ଼େଇ ଲଢ଼ୁଛି। ରାଜେନ୍ଦ୍ର ପାଲ ଗୌତମ କହିଛନ୍ତି ଯେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ସାରା ଦେଶରେ ଶିକ୍ଷା, ରୋଜଗାର, ଛାତ୍ରଛାତ୍ରୀ, ମହିଳା ଏବଂ ବଂଚିତ ବର୍ଗଙ୍କ ପ୍ରସଙ୍ଗକୁ ନେଇ ଆନ୍ଦୋଳନ ଚାଲିଛି। ରାହୁଲ ଗାନ୍ଧୀ ପ୍ରତ୍ୟେକ ବର୍ଗର ସ୍ୱରକୁ ଦୃଢ଼ତାର ସହିତ ଉଠାଉଛନ୍ତି ଏବଂ ସରକାରକୁ କ୍ରମାଗତ ଭାବେ ପ୍ରତ୍ୟେକ ମୋର୍ଚ୍ଚାରେ ସତର୍କ କରୁଛନ୍ତି। ରାହୁଲ ଗାନ୍ଧୀଙ୍କ ବିଚାରଧାରାରେ ପ୍ରଭାବିତ ହୋଇ ବିଭିନ୍ନ ଦଳର ବରିଷ୍ଠ ନେତାମାନେ କଂଗ୍ରେସ ସହିତ ଯୋଡ଼ି ହେଉଛନ୍ତି ଏବଂ ମଲ୍ଲିକାର୍ଜୁନ ଖଡ଼ଗେ ତଥା ରାହୁଲ ଗାନ୍ଧୀଙ୍କ ହାତକୁ ମଜବୁତ କରୁଛନ୍ତି।
-------------------
ହିନ୍ଦୁସ୍ଥାନ ସମାଚାର / ଗଗନ