




ସମ୍ବଲପୁର, ୨୩, ସେପ୍ଟେମ୍ବର (ହି.ସ.) - ଆୟର ଜଣାଶୁଣା ଉତ୍ସଠାରୁ ୩୦୦ ପ୍ରତିଶତ ଅଧିକ ସମ୍ପତି ଠାବ ହେବା ଅଭିଯୋଗରେ ଆଜି ସମ୍ବଲପୁର ଭିଜିଲାନ୍ସ ଥାନାରେ ହୋଇଥିବା କେସ୍ ନମ୍ବର ୧୭/୨୬ ବିଭିନ୍ନ ସରକାରୀ ପଦାଧିକାରୀଙ୍କ ମହଲରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି । ଏହି ମାମଲାରେ ଅଭିଯୁକ୍ତ ଭାବେ ଜଣେ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କାର୍ତିକେଶ୍ୱର ବେହେରା ଓ ତାଙ୍କ ପତ୍ନୀ ଥିବା ଜଣାପଡିଛି । ଭିଜିଲାନ୍ସ ବିଭାଗ ସୂତ୍ରାନୁଯାୟୀ ଏହି ମାମଲା ବରଗଡ଼ ଜିଲ୍ଲା ଗାଇସିଲେଟ୍ ବ୍ଲକ୍ ଅନ୍ତର୍ଗତ କଟାଭାଲ ପଂଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ କାର୍ତିକେଶ୍ୱର ବେହେରାଙ୍କ ବିରୋଧରେ । ଓଡ଼ିଶା ଭିଜିଲାନ୍ସ ବିଭାଗ ସ୍ୱାର୍ଡ ତାଙ୍କୁ ଗିରଫ କରିବା ପରେ ବରଗଡ଼ ଭିଜିଲାନ୍ସ ସ୍ପେଶାଲ୍ ଜଜଙ୍କ ଅଦାଲତରେ ହାଜର କରାଯାଇଛି। ଦୀର୍ଘ ଦିନ ଧରି ହୋଇ ଆସୁଥିବା ଅଭିଯୋଗ କ୍ରମରେ
ଭିଜିଲାନ୍ସ ତଦନ୍ତ ବେଳେ କାର୍ତିକେଶ୍ୱର ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ କୋଟି କୋଟି ଟଙ୍କା ମୂଲ୍ୟର ଚଳ ଓ ଅଚଳ ସମ୍ପତି ଠାବ ହୋଇଛି। ଭିଜିଲାନ୍ସର ଏହି ଚଢ଼ାଉ ବେଳେ ବରଗଡ଼ ଜିଲ୍ଲା ଗାଇସିଲେଟ୍ ନିକଟ କନ୍ଦାଗଡ଼ାରେ ପ୍ରାୟ ୬,୫୦୦ ବର୍ଗଫୁଟ୍ର ଏକ ଦୁଇ ମହଲା କୋଠା, ଗାଇସିଲେଟ୍ରେ ପ୍ରାୟ ୮,୦୦୦ ବର୍ଗଫୁଟ୍ର ନିର୍ମାଣଧୀନ ଅନ୍ୟ ଏକ ୪ ମହଲା କୋଠା, କନ୍ଦାଗଡ଼ାରେ ପ୍ରାୟ ୨,୪୦୦ ବର୍ଗଫୁଟ୍ ଅଞ୍ଚଳରେ ଏକ ଜବରଦସ୍ତ ମାର୍କେଟ୍ କମ୍ପେ୍ଲକ୍ସ ଓ ୧,୫୦୦ ବର୍ଗଫୁଟ୍ର ଗୋଦାମଘର ଥିବା ଜଣାପଡିଛି । ଏତଦ୍
ବ୍ୟତୀତ ଗାଇସିଲେଟ୍ ଓ କନ୍ଦାଗଡ଼ା ଅଂଚଳରେ ୩୫ଟି ଛୋଟବଡ଼ ମୂଲ୍ୟବାନ ପ୍ଲଟ୍, ନଗଦ ୩ ଲକ୍ଷ ୫ ହଜାର ୬୩୭ ଟଙ୍କା, ଗୋଟିଏ ବୋଲେରୋ, ଗୋଟିଏ ସ୍ୱରାଜ ଟ୍ରାକ୍ଟର, ୪ଟି ଦୁଇଚକିଆ ଯାନ ଏବଂ ପ୍ରାୟ ୩.୭୦ ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣା ଓ ଘରୋଇ ଉପକରଣ ଠାବ ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଦୀର୍ଘ ଦିନର ନୀରବତା ପରେ ହଠାତ୍ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଭିଜିଲାନ୍ସ ବିଭାଗର ଚଢ଼ାଉ ବେଶ୍ ସଫଳତା ହାସଲ କରି ଆସୁଛି। ଏବେ ବି ସମ୍ବଲପୁର, ଝାରସୁଗୁଡ଼ା, କଳାହାଣ୍ଡି ଓ ନୂଆପଡା ଭଳି ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ବିଭାଗୀୟ ପଦସ୍ଥ ଅଧିକାରୀଙ୍କ ବିରୋଧରେ ଦୁର୍ନୀତିରେ ବୁଡି ରହିଥିବା ଅଭିଯୋଗ ଶୁଣିବାକୁ ମିଳୁଛି । ଏପରିକି ଦୁର୍ନୀତିର ଉତ୍ସ ପଂଚାୟତରୁ ବ୍ଲକ୍ ଓ ବ୍ଲକରୁ ଉପଖଣ୍ଡ ଓ ଉପଖଣ୍ଡରୁ ଜିଲ୍ଲା ସଦର ମହକୁମା ପର୍ଯ୍ୟନ୍ତ ବ୍ୟାପିଯାଇଥିବା ଅଭିଯୋଗ ହେଉଛି । ତେବେ ଆଜି ବରଗଡ଼ ଜିଲ୍ଲା ଗାଇସିଲେଟ୍ ବ୍ଲକ ଅନ୍ତର୍ଗତ କଟାଭାଲ ପଂଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଆୟ ବହିର୍ଭୁତ ସମ୍ପତି ଠୁଳ ଉନ୍ମୋଚନ ଘଟଣାକୁ ନେଇ ଭିଜିଲାନ୍ସ ବିଭାଗର କାର?୍ୟ୍ୟଦକ୍ଷତାକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ