
ଝାରସୁଗୁଡ଼ା, 23 ସେପ୍ଟେମ୍ବର (ହି.ସ.) ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଦ୍ୱାରା ଇଭିଏମ୍ ଏବଂ ଭିଭିପାଟ୍ (VVPAT) ଗୋଦାମର ଯାଞ୍ଚ ଏବଂ ତଦାରଖ କରିଛନ୍ତି। ଭାରତ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଏହି ଗୋଦାମର ସୁରକ୍ଷା ବ୍ୟବସ୍ଥା, ସିସିଟିଭି ନଜରଦାରୀ, ଅଗ୍ନି ନିର୍ବାପକ ବ୍ୟବସ୍ଥା ଏବଂ ମେସିନଗୁଡ଼ିକର ରକ୍ଷଣାବେକ୍ଷଣ ସ୍ଥିତିକୁ ବିସ୍ତୃତ ଭାବେ ଅନୁଧ୍ୟାନ କରାଯାଇଥିଲା। ଏହି ଯାଞ୍ଚ ସମୟରେ ଡେପୁଟି କଲେକ୍ଟର (ନିର୍ବାଚନ) ଲୋପାମୁଦ୍ରା କାଲୋ ଉପସ୍ଥିତ ରହି ସମସ୍ତ ବୈଷୟିକ ତଥା ପ୍ରଶାସନିକ କାର୍ଯ୍ୟାବଳୀ ତଦାରଖ କରିଥିଲେ। ଏଥିସହିତ ପ୍ରକ୍ରିୟାର ସ୍ୱଚ୍ଛତା ବଜାୟ ରଖିବା ପାଇଁ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ସାମିଲ କରାଯାଇଥିଲା। ଏଥିରେ ବିଜୁ ଜନତା ଦଳ (ବିଜେଡି) ତରଫରୁ ରଘୁନନ୍ଦନ ପାଢ଼ୀ ଏବଂ ବହୁଜନ ସମାଜ ପାର୍ଟି (ବିଏସପି) ତରଫରୁ ଅଳିନ୍ଦ୍ର ଚାନ୍ଦ ଉପସ୍ଥିତ ରହି ସମଗ୍ର ଯାଞ୍ଚ ପ୍ରକ୍ରିୟାକୁ ନିରୀକ୍ଷଣ କରିଥିଲେ। ନିର୍ବାଚନ ସାମଗ୍ରୀ ସୁରକ୍ଷିତ ରହିଥିବା ନେଇ ଉପସ୍ଥିତ ପ୍ରତିନିଧିମାନେ ସନ୍ତୋଷ ପ୍ରକାଶ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ