ଝାରସୁଗୁଡ଼ା ମଳିମୁଣ୍ଡା ଷ୍ଟାଡିୟମରେ ଅକ୍ଟୋବରରେ ହେବ ସେନା ନିଯୁକ୍ତି ରାଲି; ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ
Collector visit the Malimunda stadium area
ଝାରସୁଗୁଡ଼ା ମଳିମୁଣ୍ଡା ଷ୍ଟାଡିୟମରେ ଅକ୍ଟୋବରରେ ହେବ ସେନା ନିଯୁକ୍ତି


ଝାରସୁଗୁଡ଼ା, 23 ସେପ୍ଟେମ୍ବର (ହି.ସ.) ଜିଲ୍ଲାରେ ଆଗାମୀ ସେନା ନିଯୁକ୍ତି ରାଲି ଆୟୋଜନ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ମଳିମୁଣ୍ଡାସ୍ଥିତ ଜିଲ୍ଲା କ୍ରୀଡ଼ା ପ୍ରକଳ୍ପ (ଡିଷ୍ଟ୍ରିକ୍ଟ ସ୍ପୋର୍ଟ୍ସ କମ୍ପ୍ଲେକ୍ସ) ପରିସରରେ ଅକ୍ଟୋବର ମାସରେ ପ୍ରସ୍ତାବିତ ସେନା ନିଯୁକ୍ତି ରାଲି-୨୦୨୭ ପାଇଁ ଆନୁଷଙ୍ଗିକ ପ୍ରସ୍ତୁତି ନିମନ୍ତେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ପରିଦର୍ଶନ କାଳରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଅମୃତ ଆଚାର୍ଯ୍ୟ ଏବଂ ଝାରସୁଗୁଡ଼ା ପୌରପାଳିକାର ନିର୍ବାହୀ ଅଧିକାରୀ ନିଶିକାନ୍ତ ଟେଟେ ଉପସ୍ଥିତ ରହି ପ୍ରସ୍ତୁତି ସମ୍ପର୍କିତ ବିଭିନ୍ନ ବିଷୟ ଉପରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ। ରାଲିରେ ସାମିଲ ହେବାକୁ ଥିବା ଯୁବକମାନଙ୍କ ଶାରୀରିକ ଦକ୍ଷତା ପରୀକ୍ଷା, ଟ୍ରାକ, ସୁରକ୍ଷା ବ୍ୟବସ୍ଥା, ବିଦ୍ୟୁତ, ପାନୀୟ ଜଳ ଏବଂ ପରିମଳ ବ୍ୟବସ୍ଥା ଭଳି ମୌଳିକ ସୁବିଧା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି। ନିଯୁକ୍ତି ରାଲିକୁ ଶୃଙ୍ଖଳିତ ତଥା ସଫଳତାର ସହ ପରିଚାଳନା କରିବା ପାଇଁ ସମସ୍ତ ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା କରି ଯଥାଶୀଘ୍ର ଆବଶ୍ୟକୀୟ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହି ଗସ୍ତ ଅବସରରେ ଜିଲ୍ଲାପାଳ ଚହ୍ବାଣ କମ୍ପ୍ଲେକ୍ସ ପରିସରରେ ନିର୍ମାଣାଧୀନ ସୁଇମିଂ ପୁଲ କାର୍ଯ୍ୟର ମଧ୍ୟ କ୍ଷେତ୍ର ପରିଦର୍ଶନ କରି ତଦାରଖ କରିଥିଲେ। କାର୍ଯ୍ୟର ମାନ ଯାଞ୍ଚ କରିବା ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ସେ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande