
ନୂଆପଡ଼ା ଜିଲ୍ଲାପାଳଙ୍କ ହସ୍ତକ୍ଷେପରେ ୯ ଗୋଟି ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ଟିଟିଲାଗଡ଼ରୁ ଖଡ଼ିଆଳ ଡିଭିଜନକୁ ସ୍ଥାନାନ୍ତର
ନୂଆପଡ଼ା, ୨୩ ସେପ୍ଟେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲାର ବୃହତ୍ ଉଠା ଜଳସେଚନ ପ୍ରକଳ୍ପଗୁଡ଼ିକର ପ୍ରଶାସନିକ ନିରୀକ୍ଷଣ ଓ ସମନ୍ୱୟକୁ ସୁଦୃଢ଼ କରିବା ଦିଗରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ପଦକ୍ଷେପ ପରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହୋଇଅଛି। ପୂର୍ବରୁ ଟିଟିଲାଗଡ଼ ମେଗା ଲିଫ୍ଟ ପ୍ରକଳ୍ପ ଡିଭିଜନ ଅଧୀନରେ ଥିବା ନୂଆପଡ଼ା ଜିଲ୍ଲାର ୯ଟି ବୃହତ ଉଠା ଜଳସେଚନ ପ୍ରକଳ୍ପକୁ ବର୍ତ୍ତମାନ ଖଡ଼ିଆଳ ମେଗା ଲିଫ୍ଟ ପ୍ରକଳ୍ପ ବିଭାଜନ ଅଧୀନକୁ ଅଣାଯିବା ନିମନ୍ତେ ସରକାରଙ୍କ ଦ୍ବାରା ନିର୍ଦେଶ ଦିଆଯାଇଅଛି ।
ନୂଆପଡ଼ା ଜିଲ୍ଲାରେ ଏହି ପ୍ରକଳ୍ପଗୁଡ଼ିକର ନିରୀକ୍ଷଣ ଓ ପ୍ରଶାସନିକ ସମନ୍ୱୟରେ ଦେଖାଦେଉଥିବା ସମସ୍ୟା ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ଦାଶ ଗତ ଅଗଷ୍ଟ ୧୩ ତାରିଖରେ ଜଳସମ୍ପଦ ବିଭାଗର ପ୍ରମୁଖ ସଚିବଙ୍କୁ ପତ୍ର ଲେଖିଥିଲେ। ଟିଟିଲାଗଡ଼ ଡିଭିଜନର ବ୍ୟାପକ କାର୍ଯ୍ୟପରିସର ଯୋଗୁଁ ନୂଆପଡ଼ା ସମ୍ପର୍କିତ ବିଭିନ୍ନ ବୈଠକ, ପ୍ରକଳ୍ପ ନିରୀକ୍ଷଣ, ପ୍ରଶାସନିକ ସମନ୍ୱୟ ଓ ଜନସାଧାରଣଙ୍କ ଅଭିଯୋଗର ସମାଧାନରେ ଅସୁବିଧା ହେଉଥିବା ସେ ଦର୍ଶାଇଥିଲେ।
ଏଥିସହ ନୂଆପଡ଼ା ଜିଲ୍ଲାରେ କାର୍ଯ୍ୟରତ ଖଡ଼ିଆଳ ମେଗା ଲିଫ୍ଟ ପ୍ରକଳ୍ପ ବିଭାଜନ ଜିଲ୍ଲା ପ୍ରଶାସନ ସହ ନିୟମିତ ସମନ୍ୱୟ ରଖୁଥିବା ଦର୍ଶାଇ, ଟିଟିଲାଗଡ଼ ବିଭାଜନ ଅଧୀନରେ ଥିବା ନୂଆପଡ଼ା ଅଞ୍ଚଳକୁ ଖଡ଼ିଆଳ ବିଭାଜନ ସହ ମିଶ୍ରଣ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଥିଲେ।
ଏହା ପରେ ମେଗା ଲିଫ୍ଟର ମୁଖ୍ୟଯନ୍ତ୍ରୀ, ଭୁବନେଶ୍ୱରଙ୍କ ପକ୍ଷରୁ ସମାପ୍ତ ମେଗା ଲିଫ୍ଟ ପ୍ରକଳ୍ପଗୁଡ଼ିକର ପରିଚାଳନା ଓ ରକ୍ଷଣାବେକ୍ଷଣ (O&M) ଦାୟିତ୍ୱର ପୁନଃବିନ୍ୟାସ କରାଯାଇଛି। ଜିଲ୍ଲା ସୀମା ଓ ସମ୍ପୃକ୍ତ ବିଭାଜନର ନିକଟତାକୁ ଆଧାର କରି ଏହି ପୁନଃବିନ୍ୟାସ କରାଯାଇଅଛି।
ନୂତନ ବ୍ୟବସ୍ଥା ଅନୁଯାୟୀ, କ୍ଲଷ୍ଟର-୧୩ ଅଧୀନରେ ନୂଆପଡ଼ା ଜିଲ୍ଲାରେ ଥିବା ୯ଟି ପ୍ରକଳ୍ପର ପ୍ରଶାସନିକ ଦାୟିତ୍ୱ ଖଡ଼ିଆଳ ବିଭାଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଦିଆଯାଇଅଛି। ଏହି ୯ଟି ପ୍ରକଳ୍ପ ଅଧୀନରେ ମୋଟ ୭,୨୭୭.୨୮ ହେକ୍ଟର ଜଳସେଚନ କ୍ଷେତ୍ର ରହିଛି।
ପ୍ରଶାସନିକ ଦାୟିତ୍ୱର ଏହି ପୁନଃବିନ୍ୟାସ ଫଳରେ ପ୍ରକଳ୍ପଗୁଡ଼ିକର କ୍ଷେତ୍ରସ୍ତରୀୟ ନିରୀକ୍ଷଣ, ପରିଚାଳନା ଓ ରକ୍ଷଣାବେକ୍ଷଣ ସହ ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ମଧ୍ୟରେ ସମନ୍ୱୟ ଅଧିକ ସୁଗମ ହେବ। ଏଥିସହ ଜଳସେଚନ ସମ୍ପର୍କିତ ଅଭିଯୋଗର ତ୍ୱରିତ ସମାଧାନ ଓ ପ୍ରକଳ୍ପଗୁଡ଼ିକର ନିରନ୍ତର ପରିଚାଳନାରେ ଏହା ସହାୟକ ହେବ।
ଆସନ୍ତା ଖରିଫ ଋତୁକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକଳ୍ପର ପରିଚାଳନା ଓ ରକ୍ଷଣାବେକ୍ଷଣ ନିରବଚ୍ଛିନ୍ନ ରଖିବା ସହ ନୂତନ ପ୍ରଶାସନିକ ବ୍ୟବସ୍ଥାର ସୁଚାରୁ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦିଆଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ