




ସମ୍ବଲପୁର, ୨୩, ସେପ୍ଟେମ୍ବର (ହି.ସ.) - ସମ୍ବଲପୁର ମହାନଗର ନିଗମ ପକ୍ଷରୁ ସହରର ବିଭିନ୍ନ ସ୍ଥାନରୁ ଜବରଦଖଲ ଉଚ୍ଛେଦ ପରେ ଏବେ ସ୍ୱଚ୍ଛ ଓ ଅବରୋଧମୁକ୍ତ ସମ୍ବଲପୁର' ଗଠନର ସ୍ଲୋଗାନରେ ଥଇଥାନ ଓ ନୂତନ ବଜାର ଉନ୍ମୁକ୍ତ କରାଯାଉଛି । ଏହି କ୍ରମରେ ଆଜି ସାହୁ କଲୋନୀ ଭେଣ୍ଡିଂ ଜୋନ୍ର ସଫଳ ସକ୍ରିୟକରଣ ହୋଇଥିବା ଦେଖାଯାଇଛି ।
ସମ୍ବଲପୁର ମହାନଗର ନିଗମ ଅଧୀନରେ ସାହୁ କଲୋନୀ ଭେଣ୍ଡିଂ ଜୋନ୍କୁ ଏବେ ସକ୍ରିୟ କରାଯାଇଛି। ଗ୍ରୀନ୍ ପାର୍କ, ଗୋଲବଜାର ଅଂଚଳରୁ ଫ୍ଲାଏଓଭର ତଳେ ମୁଖ୍ୟ ରାସ୍ତା କଡ଼ରେ ବ୍ୟବସାୟ କରୁଥିବା ଷ୍ଟ୍ରିଟ୍ ଭେଣ୍ଡରମାନେ ନିୟମିତ ବୁଝାଶୁଝା, ଆଲୋଚନା ଓ ପରାମର୍ଶ ପରେ ସ୍ୱଇଚ୍ଛାରେ ନିର୍ଦ୍ଦିଷ୍ଟ ଭେଣ୍ଡିଂ ଜୋନକୁ ସ୍ଥାନାନ୍ତରିତ ହୋଇଛନ୍ତି।
ଆରମ୍ଭରେ ଗ୍ରାହକଙ୍କ ପହଂଚି, ବ୍ୟବସାୟ ଓ ଜୀବିକା ସମ୍ପର୍କିତ ଆଶଙ୍କା ଯୋଗୁଁ କିଛି ଭେଣ୍ଡର ସ୍ଥାନାନ୍ତରଣ ପ୍ରତି ଦ୍ୱିଧାରେ ଥିଲେ। ମାତ୍ର ଏସ୍ଏମସି ଏନଫୋର୍ସମେଂଟ ଟିମ୍ର ନିୟମିତ ଯୋଗାଯୋଗ, ବୁଝାଶୁଝା ଓ ପରାମର୍ଶ ଫଳରେ ସେମାନେ ନିର୍ଦ୍ଦିଷ୍ଟ ସ୍ଥାନର ସୁବିଧା ଓ ଦୀର୍ଘମିଆଦି ଲାଭ ବୁଝି ସ୍ୱଇଚ୍ଛାରେ ସ୍ଥାନାନ୍ତରଣ କରିଛନ୍ତି। ନୂତନ ଭାବେ ଥଇଥାନ କରାଯାଇଥିବା
ସାହୁ କଲୋନୀ ଭେଣ୍ଡିଂ ଜୋନ୍ର ପ୍ରମୁଖ ସୁବିଧା ଗୁଡ଼ିକ ମଧ୍ୟରେ ପର?୍ୟ୍ୟାପ୍ତ ଆଲୋକ ବ୍ୟବସ୍ଥା ରହିଥିବାରୁ ସନ୍ଧ୍ୟା ସମୟରେ ମଧ୍ୟ ସୁରକ୍ଷିତ ଭାବେ ବ୍ୟବସାୟ କରିବାର ସୁବିଧା ରହିଛି। ନିକଟସ୍ଥ ଟ୍ୟାକ୍ସି, ପରିବହନ ୟୁନିଅନ୍ ପକ୍ଷରୁ ମଧ୍ୟ ଏହି ପଦକ୍ଷେପକୁ ସ୍ୱାଗତ କରାଯାଇଛି। ବିଭିନ୍ନ ଦିଗରୁ ସହଜ ଯାତାୟାତ ସୁବିଧା ଥିବାରୁ ଗ୍ରାହକ ଓ ଭେଣ୍ଡର ଉଭୟଙ୍କ ପାଇଁ ସ୍ଥାନଟି ସୁବିଧାଜନକ। ମୁଖ୍ୟ ରାସ୍ତା ଓ ଫୁଟପାଥରୁ ବ୍ୟବସାୟିକ କାର୍ଯ୍ୟକଳାପ ସ୍ଥାନାନ୍ତର ହେବା ଫଳରେ ଟ୍ରାଫିକ୍ ଜାମ୍ ଓ ରାସ୍ତା, ଫୁଟପାଥ ଅବରୋଧ ହ୍ରାସ ପାଇବ। ନିର୍ଦ୍ଦିଷ୍ଟ ସ୍ଥାନରେ ବ୍ୟବସାୟ ହେବା ଦ୍ୱାରା ସହରର ଦୃଶ୍ୟମାନ ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥାରେ ଉନ୍ନତି ଆସିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭାବେ, ଷ୍ଟ୍ରିଟ୍ ଭେଣ୍ଡରମାନଙ୍କୁ ସୁସଂଗଠିତ ଓ ନିର୍ଦ୍ଦିଷ୍ଟ ବ୍ୟବସାୟିକ ସ୍ଥାନ ଯୋଗାଇ ଦେଇ ସେମାନଙ୍କ ଜୀବିକାର ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି।
ଏସ୍ଏମସି ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଆଗାମୀ ଦିନରେ ମହାନଗର ନିଗମର ଅନ୍ୟାନ୍ୟ ଅଞ୍ଚଳରେ ରାସ୍ତା ଓ ଫୁଟପାଥରେ ବ୍ୟବସାୟ କରୁଥିବା ଷ୍ଟ୍ରିଟ୍ ଭେଣ୍ଡରମାନଙ୍କୁ ମଧ୍ୟ ନିର୍ଦ୍ଦିଷ୍ଟ ଭେଣ୍ଡିଂ ସ୍ଥାନରେ ସୁସଂଗଠିତ ଭାବେ ସ୍ଥାନାନ୍ତର କରାଯିବ। ସମ୍ବଲପୁର ସହରକୁ ସ୍ୱଚ୍ଛ, ସୁସଂଗଠିତ, ଯାତାୟାତ ପାଇଁ ସୁବିଧାଜନକ ଏବଂ ଅବରୋଧମୁକ୍ତ ସହର ଭାବେ ଗଢ଼ି ତୋଳିବା ପାଇଁ ଏସ୍ଏମସି ପକ୍ଷରୁ ସମସ୍ତ ଷ୍ଟ୍ରିଟ୍ ଭେଣ୍ଡର, ନାଗରିକ, ବ୍ୟବସାୟୀ ସଂଗଠନ ଓ ବୁଦ୍ଧିଜୀବୀମାନଙ୍କର ସକ୍ରିୟ ସହଯୋଗ ଓ ସହଭାଗିତା ପାଇଁ ଆହ୍ୱାନ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ