
ଭୁବନେଶ୍ୱର, ୨୩ ସେପ୍ଟେମ୍ବର (ହି.ସ.)- ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତର ଗତି ମନ୍ଥର ରହିଛି କହିଲେ । ଗତି ମନ୍ଥର ପାଇଁ ବର୍ଷାର ପରିମାଣ ବହୁତ ଅଧିକ ରହିବ ବୋଲି ଆଇଏମଡି ଡିଜି ମୃତ୍ୟୁଂଜୟ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏହାକୁ ଉପକୂଳ ଛୁଇଁବା ପାଇଁ ଆହୁରି ପ୍ରାୟ ୭ ଘଂଟା ସମୟ ଲାଗିବ। ବୁଧବାର ରାତିରେ ଏହା କଳିଙ୍ଗପଟ୍ଟନମ ନିକଟରେ ଉପକୂଳ ଅତିକ୍ରମ କରିବ। ଫଳରେ ସମଗ୍ର ଦକ୍ଷିଣ ଓଡ଼ିଶା ଉପରେ ଏହାର ପ୍ରଭାବ ରହିବ। ବିଶେଷ କରି କୋରାପୁଟ, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲା ଉପରେ ବେଶୀ ପ୍ରଭାବ ପଡ଼ିବ। ଦୁଇ ଦିନ ହେଲା ବର୍ଷା ହେଉଛି, ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ବର୍ଷିବ।୨୫ରେ ଛତିଶଗଡ଼କୁ ଲାଗିଥିବା ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବ। ଗଭୀର ଅବପାତ ସମୁଦ୍ର ଥିବା ପର୍ଯ୍ୟନ୍ତ ଶକ୍ତିଶାଳୀ ରହିବ । ସ୍ଥଳ ଭାଗକୁ ଆସିଲେ ବି ଧିରେ ଧିରେ ଦୁର୍ବଳ ହେବ, ତେଣୁ ଅଧିକ ବର୍ଷିବ। ବର୍ଷା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଆକସ୍ମିକ ବନ୍ୟା ସ୍ଥିତି ମଧ୍ୟ ସୃଷ୍ଟି ହୋଇପାରେ। ପାହାଡ଼ିଆ ଅଂଚଳରୁ ପଥର ଖଣ୍ଡ ଓ ମାଟି ଅତଡ଼ା ମଧ୍ୟ ଖସିବାର ସମ୍ଭାବନା ରହିଛି। ସକାଳ ସାଢ଼େ ୮ ସୁଦ୍ଧା ସେମିଳିଗୁଡ଼ାରେ ୨୩ ସେମି ବର୍ଷା ରେକର୍ଡ ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା