
ଜୟପୁର, ୨୪ ସେପ୍ଟେମ୍ବର (ହି.ସ.) - ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପୁନଃ ଆରମ୍ଭ ସହ ଉଚ୍ଚଶିକ୍ଷା କ୍ଷେତ୍ରରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ଦାବି କରିଛି କୋରାପୁଟ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ। ଚଳିତ ଶିକ୍ଷାବର୍ଷରେ ଦଶହରା ଛୁଟି ପୂର୍ବରୁ କଲେଜ ଓ ବିଶ୍ୱବିଦ୍ୟାଳୟରେ ମୁକ୍ତ, ଅବାଧ ଓ ନିରପେକ୍ଷ ଭାବେ ଛାତ୍ର ସଂସଦ ନିର୍ବାଚନ କରାନଗଲେ ରାଜ୍ୟବ୍ୟାପୀ ଛାତ୍ର ଆନ୍ଦୋଳନ କରାଯିବ ବୋଲି ପରିଷଦ ପକ୍ଷରୁ ଚେତାବନୀ ଦିଆଯାଇଛି। ଗୁରୁବାର ଜୟପୁର ଠାରେ କୋରାପୁଟ ଜିଲ୍ଲା ଏବିଭିପି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟର ଉଚ୍ଚଶିକ୍ଷା ବ୍ୟବସ୍ଥାର ବିଭିନ୍ନ ଅବ୍ୟବସ୍ଥା ନେଇ ଉଦ୍ୱେଗ ପ୍ରକାଶ କରାଯାଇଥିଲା। ପରିଷଦର ଅଭିଯୋଗ ଅନୁଯାୟୀ, ବିଗତ କିଛି ବର୍ଷ ଧରି ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିବାରୁ କ୍ୟାମ୍ପସରେ ଛାତ୍ର ପ୍ରତିନିଧିତ୍ୱର ଅଭାବ ଦେଖାଦେଇଛି। ଛାତ୍ରଛାତ୍ରୀଙ୍କ ବିଭିନ୍ନ ସମସ୍ୟା ପ୍ରଶାସନ ସମ୍ମୁଖରେ ଉପସ୍ଥାପନ ପାଇଁ ନିର୍ବାଚିତ ପ୍ରତିନିଧି ରହିବା ଆବଶ୍ୟକ ବୋଲି ପରିଷଦ ମତ ଦେଇଛି। ଏଥିସହ ସାମ୍ସ ପୋର୍ଟାଲରେ ନାମଲେଖା ପ୍ରକ୍ରିୟା ସମୟରେ ବାରମ୍ବାର ବୈଷୟିକ ତ୍ରୁଟି, ବିଳମ୍ବ ଓ ଭୁଲ ତଥ୍ୟ ପ୍ରକାଶ ଯୋଗୁଁ ଛାତ୍ରଛାତ୍ରୀ ହଇରାଣ ହେଉଥିବା ଅଭିଯୋଗ କରିଛି ଏବିଭିପି। ପୋର୍ଟାଲର ପରିଚାଳନାରେ ଆବଶ୍ୟକ ସୁଧାର ଆଣି ନାମଲେଖା ପ୍ରକ୍ରିୟାକୁ ସରଳ ଓ ତ୍ରୁଟିମୁକ୍ତ କରିବାକୁ ଦାବି ହୋଇଛି। ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ, ପ୍ରାଧ୍ୟାପକ ଓ ଅଣଶିକ୍ଷକ କର୍ମଚାରୀଙ୍କ ଅଭାବ ରହିଥିବା ନେଇ ମଧ୍ୟ ପରିଷଦ ଅଭିଯୋଗ କରିଛି। ଏହାଦ୍ୱାରା ଶିକ୍ଷାଦାନ ଓ ପ୍ରଶାସନିକ କାର୍ଯ୍ୟ ପ୍ରଭାବିତ ହେଉଥିବାରୁ ଖାଲି ପଦବି ପୂରଣ ପାଇଁ ପଦକ୍ଷେପ ନେବାକୁ ଦାବି କରାଯାଇଛି। ପରୀକ୍ଷା ଫଳ ପ୍ରକାଶନରେ ବିଳମ୍ବ ଓ ତ୍ରୁଟିକୁ ନେଇ ମଧ୍ୟ ଏବିଭିପି ପ୍ରଶ୍ନ ଉଠାଇଛି। ବିଶେଷକରି ଅବିଭକ୍ତ କୋରାପୁଟ ଜିଲ୍ଲାର ଏକମାତ୍ର ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ଏକାଧିକ ସେମିଷ୍ଟରର ଫଳ ପ୍ରକାଶନରେ ବିଳମ୍ବ ଓ ଭୁଲ ଫଳ ପ୍ରକାଶ ଭଳି ସମସ୍ୟା ଛାତ୍ରଛାତ୍ରୀଙ୍କୁ ପ୍ରଭାବିତ କରୁଥିବା ପରିଷଦ ଅଭିଯୋଗ କରିଛି।ସମୟାନୁସାରେ ଫଳ ପ୍ରକାଶ ସହ ତ୍ରୁଟିମୁକ୍ତ ପରୀକ୍ଷା ବ୍ୟବସ୍ଥା ନିଶ୍ଚିତ କରିବାକୁ ଦାବି ହୋଇଛି। କ୍ୟାମ୍ପସରେ ଛାତ୍ରୀଙ୍କ ସୁରକ୍ଷା ସହ ବିଦ୍ୟୁତ୍, ପାନୀୟ ଜଳ ଓ ଶୌଚାଳୟ ଭଳି ମୌଳିକ ସୁବିଧା ଯୋଗାଇବା ଉପରେ ମଧ୍ୟ ପରିଷଦ ଗୁରୁତ୍ୱାରୋପ କରିଛି। ଏହାବ୍ୟତୀତ ଜୟପୁର ସରକାରୀ ମହିଳା ମହାବିଦ୍ୟାଳୟରେ ବିଜ୍ଞାନ ଓ ବାଣିଜ୍ୟ ପାଠ୍ୟକ୍ରମ ଶୀଘ୍ର ଖୋଲିବାକୁ ଦାବି ରଖାଯାଇଛି। ଛାତ୍ର ସଂସଦ ନିର୍ବାଚନ କରାଯିବା ସହ ଉପରୋକ୍ତ ସମସ୍ୟାଗୁଡ଼ିକର ସମାଧାନ ଦିଗରେ ସରକାର ତୁରନ୍ତ ପଦକ୍ଷେପ ନନେଲେ କୋରାପୁଟରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଛାତ୍ର ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଏବିଭିପି ପକ୍ଷରୁ କୁହାଯାଇଛି। ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଏବିଭିପି କୋରାପୁଟ ଜିଲ୍ଲା ସଂଯୋଜକ ସୁରଜ ବାହିନୀପତି, ଏବିଭିପି ପଶ୍ଚିମ ଓଡ଼ିଶା ଛାତ୍ରୀ ସହ-ପ୍ରମୁଖ ଲିସା ମହାପାତ୍ର, କୋରାପୁଟ ବିଭାଗ ସଂଯୋଜକ ରାଜା ପଣ୍ଡା, ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଏବିଭିପି କ୍ୟାମ୍ପସ କମିଟି ସଭାପତି ଜ୍ୟୋତିରଞ୍ଜନ ପାଣିଗ୍ରାହୀ, ସରକାରୀ ମହିଳା ମହାବିଦ୍ୟାଳୟ ଏବିଭିପି କ୍ୟାମ୍ପସ କମିଟି ସଭାପତି ଲକ୍ଷ୍ମୀ ମାଡକାମୀଙ୍କ ସମେତ ଅନ୍ୟାନ୍ୟ ଏବିଭିପି କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି