
Bhubaneswar, 24 ସେପ୍ଟେମ୍ବର (ହି.ସ.)
ଏମଏମଡିଆର ସଂଶୋଧନ ଆଇନ କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ହେବା ପରେ, ଏହାକୁ ତୀବ୍ର ବିରୋଧ କରି ଆସୁଥିବା ବିଜୁ ଜନତା ଦଳ ଏହି କଳା ଆଇନର ପ୍ରତ୍ୟାହାର ଦାବିରେ ରାଜରାସ୍ତାକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି । ଆସନ୍ତା ସେପ୍ଟେମ୍ୱର ୨୮ ତାରିଖରେ, ବିଜୁ ଜନତା ଦଳ ତରଫରୁ ଲୋୟର ପିଏମଜିରେ ଏକ ବିଶାଳ ଗଣ ବିକ୍ଷୋଭ ସଭା କାର୍ଯ୍ୟକ୍ରମ ଆୟୋଜିତ ହେବ ଓ ଏଥିରେ ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ ବୋଲି ଦଳ ତରଫରୁ ସୂଚନା ଦିଆଯାଇଛି ।
ଶଙ୍ଖ ଭବନରେ ଗୁରୁବାର ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ, ଖଣି ଓ ଖଣି ଥିବା ଜମି ଉପରେ ଥିବା ରାଜ୍ୟ ମାନଙ୍କ ଅଧିକାରକୁ ଏମଏମଡିଆର ସଂଶୋଧନ ଆଇନ ମାଧ୍ୟମରେ କେନ୍ଦ୍ର ସରକାର ଛଡାଇ ନେଇଛନ୍ତି, ଯାହା ଦେଶର ସଂଘୀୟ ବ୍ୟବସ୍ଥା ଉପରେ ଆକ୍ରମଣ । ଦେଶର ଗଚ୍ଛିତ ଥିବା ସମୁଦାୟ ଖଣିଜ ସମ୍ପଦ ମଧ୍ୟରୁ କେବଳ ଓଡ଼ିଶାରେ ଏହାର ୪୪ ପ୍ରତିଶତ ଖଣିଜ ସମ୍ପଦ ରହିଥିବାରୁ, ଏହି ସଂଶୋଧିତ ଆଇନ ଯୋଗୁ ଓଡିଶା ସର୍ବାଧିକ କ୍ଷତି ସହିତ । ଦୁଃଖ ଓ ପରିତାପର ବିଷୟ ରାଜ୍ୟ ବିଜେପି ନେତା ମାନେ କ୍ଷତି ନୁହେଁ ବରଂ ଲାଭ ହେବ ବୋଲି ବିତଣ୍ଡା ଯୁକ୍ତି ବାଢୁଛନ୍ତି । ତେଣୁ, ଏହାର ପ୍ରତ୍ୟାହାର ଦାବିରେ ବିଜେଡି ଆସନ୍ତା ୨୮ ତାରିଖରେ ଲୋୟର ପିଏମଜି ଠାରେ ଏକ ବିଶାଳ ଗଣବିକ୍ଷୋଭ ସଭା ଆୟୋଜିତ ହେବ, ଯେଉଁଥିରେ ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ ।
ଶ୍ରୀ ପ୍ରତାପ ଜେନା କହିଥିଲେ, ଏମଏମଡିଆର ସଂଶୋଧନ ଆଇନ ଏକ କଳା ଆଇନ ଓ ଏହା ରାଜ୍ୟ ସ୍ୱାର୍ଥକୁ କୁଠାରଘାତ କରିଛି । ଖଣି ଓ ଖଣି ଥିବା ଜମି ଉପରେ ରାଜ୍ୟ ସରକାର ଟିକସ ଓ ଲେଭି ଲଗାଇ ପାରିବେ ବୋଲି ୨୦୦୪ରେ ନବୀନ ପଟ୍ଟନାୟକ ଏକ ଆଇନ ଆଣିଥିଲେ । ଏହି ଆଇନକୁ କିଛି ଖଣି କମ୍ପାନୀ ଅଦାଲତରେ ଚ୍ୟାଲେଞ୍ଜ କରାଯିବା ଦ୍ୱାରା, ଦୀର୍ଘ ଦିନ ଧରି ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରଧୀନ ରହିଥିଲା । ୨୫ ଜୁଲାଇ ୨୦୨୪ରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ୯ ଜଣିଆ ଖଣ୍ଡପୀଠ, ଖଣି ଓ ଖଣି ଉପରେ ରାଜ୍ୟ ସରକାର ମାନେ ଟିକସ ଓ ଲେଭି ଲଗାଇ ପାରିବେ ବୋଲି ଆଦେଶ ଦେଇଥିଲେ । ଏହାଦ୍ୱାରା, ଓଡିଶା ବକେୟା ବାବଦକୁ ୧ ଲକ୍ଷ କୋଟି ଟଙ୍କା ଓ ଖଣିରୁ ବାର୍ଷିକ ରାଜସ୍ୱ ବାବଦକୁ ୧୨, ୦୦୦ କୋଟି ଟଙ୍କାର ରାଜସ୍ୱ ପାଇବାର ସୁଯୋଗ ସୃଷ୍ଟି ହେଲା । କିନ୍ତୁ, କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଇଥିବା ଏମଏମଡିଆର ସଂଶୋଧନ ଆଇନ ଯୋଗୁ ଏହି ସୁଯୋଗ ହାତଛଡା ହୋଇଗଲା ।
ଡ. ଅରୁଣ କୁମାର ସାହୁ କହିଥିଲେ, ଏମଏମଡିଆର ସଂଶୋଧନ ଆଇନ ସିଧାସଳଖ ଓଡିଶାକୁ ବିପୁଳ କ୍ଷତି ପହଞ୍ଚାଉ ଥିବା ବେଳେ ସଂସଦର ଲୋକସଭାରେ ଥିବା ବିଜେପିର ୨୦ ସାଂସଦ ଓ ରାଜ୍ୟସଭାରେ ଥିବା ୫ ସାଂସଦ ନିରବ ସମର୍ଥନ ଦେଇଥିଲେ । ଅପରପକ୍ଷରେ, ଓଡ଼ିଶାର ବିଜେପି ସରକାର ମଧ୍ୟ କେନ୍ଦ୍ର ସରକାରଙ୍କର ଆଗରେ ହାତ ଟେକିଦେଲେ । ବିଜେଡି ଏହାକୁ ବିଧାନସଭା ଭିତରେ ଜୋରଦାର ବିରୋଧ କରିଛି । ଏହା ବିରୋଧରେ ରାଜ୍ୟବ୍ୟାପୀ ଆନେ୍ଦାଳନ ଓ ଅର୍ଥନୈତିକ ଅବରୋଧ କରାଯିବ ।
ଶ୍ରୀ ସୁଦାମ ମାରାଣ୍ଡି କହିଥିଲେ, ଦେଶରେ ମହଜୁଦ ଥିବା ଅଧିକାଂଶ ଖଣି ଅଞ୍ଚଳ ଗୁଡିକରେ ମୁଖ୍ୟତଃ ଆଦିବାସୀ ମାନେ ବାସ କରିଥାନ୍ତି । ଜଳ, ଜଙ୍ଗଲ ଓ ଜମି ଆଦିବାସୀ ସଂସ୍କୃତି ସହିତ ଜଡିତ ହୋଇ ରହିଛି । ଯେଉଁଭଳି ଏକତରଫା ଭାବେ କେନ୍ଦ୍ର ସରକାର ଏହି ଆଇନ ସଂଶୋଧନ କଲେ, ତାହା ନିଶ୍ଚିତ ଭାବେ ଆଦିବାସୀଙ୍କ ଜୀବନ ଧାରା ଉପରେ ନକାରାତ୍ମକ ପ୍ରଭାବ ପକାଇବ । ତେଣୁ ଏହି ଆଇନ ପ୍ରତ୍ୟାହାର ପାଇଁ ବିଜେଡି ରାଜ୍ୟବ୍ୟାପୀ ଆନେ୍ଦାଳନ କରିବ ।
ଶ୍ରୀ ପ୍ରୀତି ରଞ୍ଜନ ଘଡ଼ାଇ କହିଥିଲେ, ଏମଏମଡିଆର ସଂଶୋଧନ ଆଇନ ରାଜ୍ୟ ସ୍ୱାର୍ଥର ବିରୋଧୀ ହୋଇ ଥିବାରୁ ବିଜେଡି ପ୍ରଥମ ଦିନରୁ ଏହାକୁ ବିରୋଧ କରି ଆସୁଛି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ବିଜୁ ଜନତା ଦଳର ନେତୃବୃନ୍ଦ ଓ ଅଗଣିତ କର୍ମୀ ଏହି କଳା ଆଇନ ପ୍ରତ୍ୟାହାର ଦାବିରେ ଆନେ୍ଦାଳନ କରିବା ପାଇଁ ସଂକଳ୍ପବଦ୍ଧ । ତେଣୁ ୨୮ ସେପ୍ଟେମ୍ୱର ଦିନ ହେବାକୁ ଯାଉଥିବା ଆନେ୍ଦାଳନରେ ରାଜ୍ୟବାସୀ ସମର୍ଥନ ଓ ସହଯୋଗ କରିବା ପାଇଁ ବିଜେଡି ତରଫରୁ ନିବେଦନ କରୁଛୁ ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା