
Bhubaneswar, 24 ସେପ୍ଟେମ୍ବର (ହି.ସ.)
ଗଞ୍ଜାମ ଜିଲ୍ଲାର ଦକ୍ଷିଣ-ପଶ୍ଚିମରେ ବୁଧବାର ରାତିରେ ସ୍ଥଳଭାଗ ଅତିକ୍ରମ କରିଥିବା ଗଭୀର ଅବପାତ ଗୁରୁବାର ଦିନ ରାୟଗଡ଼ାଠାରୁ ପ୍ରାୟ ୮୦ କିମି ଦକ୍ଷିଣ-ଦକ୍ଷିଣପୂର୍ବରେ କେନ୍ଦ୍ରୀଭୂତ ଥିଲା । ଏହା ଉତର-ଉତରପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଥିବା ସୋଆ ଡିମ୍ଡ ବିଶ୍ୱବିଦ୍ୟାଳୟର ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ କୁହାଯାଇଛି ।
ଏହି ପାଣିପାଗ ପ୍ରଣାଳୀ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା ଦେଇ ଉତର ଛତିଶଗଡ଼ ଆଡ଼କୁ ଗତି କରିବା ସହ ଶୁକ୍ରବାର ପର୍ଯ୍ୟନ୍ତ ଏହାର ତୀବ୍ରତା ବଜାୟ ରଖିବାର ସମ୍ଭାବନା ରହିଛି ।
ଏହାର ପ୍ରଭାବରେ ଗୁରୁବାର କଳାହାଣ୍ଡି, ନବରଙ୍ଗପୁର, ବଲାଙ୍ଗିର, ନୂଆପଡ଼ା, ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଦେବଗଡ଼, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାରେ ମଧ୍ୟମରୁ ଅତି ପ୍ରବଳ ବର୍ଷା ହୋଇପାରେ । କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି ।
ଶୁକ୍ରବାର ଠାରୁ ବର୍ଷାର ପ୍ରକୋପ ଧୀରେ ଧୀରେ କମିବାର ସମ୍ଭାବନା ଥିଲେ ମଧ୍ୟ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ ବୋଲି ସିଇସି ପକ୍ଷରୁ କୁହାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା