
ଖୋର୍ଦ୍ଧା, ୨୪ ସେପ୍ଟେମ୍ବର (ହି.ସ.) - ଜିଲା ସଦର ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଗୁରୁବାର ଘଟିଛି ଅଘଟଣ। ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଦୋକାନ ଭିତରକୁ ମାଡ଼ିଯାଇଛି ମାଲବୋଝେଇ ଟ୍ରଲର। ଦୁର୍ଘଟଣାରେ ତିନୋଟି ଦୋକାନ ସମେତ ଅନେକ ବାଇକ ଓ ସ୍କୁଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଘଟଣା ପରେ ରାସ୍ତାରେ ଗାଡ଼ି ଚଳାଚଳ ବ୍ୟାହତ ହୋଇଛି।ସୂଚନାଯୋଗ୍ୟ, ଖୋର୍ଦ୍ଧା ପାର୍ଶ୍ୱରୁ ନୟାଗଡ଼ ଆଡେ ଯାଉଥିବା ଏକ ମାଲବୋଝେଇ ଟ୍ରଲର ଖୋର୍ଦ୍ଧା ମେଡିକାଲ ସମ୍ମୁଖରେ ବିପରୀତ ଦିଗରୁ ଆସୁଥିବା ଏକ କାରକୁ ମୁହାଁମୁହିଁ ଧକ୍କା ଦେଇଥିଲା। ଫଳରେ ଟ୍ରଲରଟି ଭାରସାମ୍ୟ ହରାଇ ରାସ୍ତାର ଡାହାଣ ପାର୍ଶ୍ୱରେ ଥିବା ତିନୋଟି ଦୋକାନ ଭିତରକୁ ପଶିଯାଇଥିଲା। ଦୋକାନ ସମ୍ମୁଖରେ ଥିବା ବାଇକ ଓ ସ୍କୁଟିଗୁଡ଼ିକୁ ଟ୍ରଲରଟି ଚାପି ଦେଇଥିବା ଜଣାପଡ଼ିଛି।ଘଟଣା ପରେ ପୋଲିସ ଓ ଦମକଳ ବାହିନୀ ପହଂଚି ଉଦ୍ଧାର କାର୍ଯ୍ୟ ସହ ଟ୍ରାଫିକ ନିୟନ୍ତ୍ରଣ କରିଛନ୍ତି। ପୋଲିସ ଟ୍ରଲରଟିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି। ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡିଛି।
ହିନ୍ଦୁସ୍ଥାନ ସମାଚାର / ରାକେଶ