
କେନ୍ଦ୍ରାପଡ଼ା, ୨୪ ସେପ୍ଟେମ୍ବର (ହି.ସ.)। ଲଗାଣ ବର୍ଷା ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଘରଦ୍ୱାର ଭାଙ୍ଗିବା ସହ ଜନଜୀବନ ପ୍ରଭାବିତ ହୋଇଛି। ଏହି କ୍ରମରେ କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଞ୍ଚାୟତର ପୁରୁଷୋତ୍ତମପୁର (ଖଣ୍ଡିଆବନ୍ଧି) ଗ୍ରାମର ଜଣେ ଅସହାୟ ବିଧବାଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି।
ଗ୍ରାମର ସ୍ୱର୍ଗତ ଶରତ ମଲ୍ଲିକଙ୍କ ବିଧବା ପତ୍ନୀ ଅନି ମଲ୍ଲିକ ଦୀର୍ଘବର୍ଷ ଧରି ମାଟି କାନ୍ଥ ଓ ଚାଳଛପର ଘରେ ରହିଆସୁଥିଲେ। ଲଗାଣ ବର୍ଷାରେ ତାଙ୍କ ଘରଟି ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିବା ପରେ ସେ ଏବେ ଖୋଲା ଆକାଶ ତଳେ ଛିଣ୍ଡା ଜରିପାଲ ଟାଣି ଦିନ କାଟୁଥିବା ଜଣାପଡ଼ିଛି।
ଘର ଭାଙ୍ଗିଯିବା ପରେ ଅନି ମଲ୍ଲିକ କେନ୍ଦ୍ରାପଡ଼ା ତହସିଲଦାରଙ୍କ ନିକଟରେ ଅଭିଯୋଗ କରି ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି। ତହସିଲଦାର ତାଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।
ଏଭଳି ପରିସ୍ଥିତିରେ ଅସହାୟ ବିଧବାଙ୍କୁ ତୁରନ୍ତ ଆବାସ ଓ ଆବଶ୍ୟକ ସରକାରୀ ସହାୟତା ଯୋଗାଇଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ରବି