
ଘଟଗାଁ ,୨୪ ସେପ୍ଟେମ୍ବର (ହି.ସ.) - ସଡକ ଦୁର୍ଘଟଣାରେ ମୋ ବସ ଚାଳକର ମୃତ୍ୟୁ ଘଟିଛି। ମୃତଦେହ ଗାଁରେ ପହଁଚିବା ପରେ ଶ୍ମସାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଖବର ନେବାରେ ଜଣାଡ଼ିଛି ଘଟଗାଁ ଥାନା ତୋରାଣୀ ପୋଖରୀ ପଂଚାୟତ ପୋଇପାଣି ଗ୍ରାମର ଶଶି ଭୂଷଣ ମହାନ୍ତ ପୁଅ ଫନିଭୂଷଣ ମହାନ୍ତ (୪୩) କେନ୍ଦୁଝରରେ ମୋ ବସ ଚାଳକ ଭାବେ କାର୍ଯ୍ୟ କରୁଥିଲେ। ପ୍ରତିଦିନ ଭଳି ଆଜି ସକାଳ ସମୟରେ ଘରୁ ସ୍କୁଟି ଯୋଗେ କେନ୍ଦୁଝର ନିଜର କାର୍ଯ୍ୟ ସ୍ଥଳକୁ ଯାଉଥିବା ସମୟରେ ପୂରୁଣା ବଜାର ନିକଟ ରାଜଉଆସ ପାଖରେ ଏକ ଅଜଣା ଗାଡି ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଫନିଭୂଷଣର ମୃତ୍ୟୁ ଘଟିଥିଲା। ଘଟଣା ସମ୍ପର୍କରେ ଖବର ପାଇ ପୋଇପାଣି ଗାଁରେ ଶୋକର ଛାୟା ଖେଳି ଯାଇଥିବା ବେଳେ ବିଧବା ପତ୍ନୀ ଓ ପୁଅ ଝିଅ ପରିବାର ବର୍ଗ ଦୁଃଖରେ ଭାଙ୍ଗି ପଡିଛନ୍ତି। ତାଙ୍କର ମର ଶରୀର ଘରେ ପହଁଚିବା ପରେ ଗାଁ ଜନ୍ମ ମାଟିରେ ଶେଷକୃତ୍ୟ ସମ୍ପନ୍ନ କରିଥିଲେ। ଏହି ପରିପ୍ରେକ୍ଷୀରେ ଡ୍ରାଇଭର ମହାସଂଘ ପକ୍ଷରୁ ସରକାରଙ୍କୁ ଅସହାୟ ପରିବାରକୁ ତୁରନ୍ତ କ୍ଷତି ପୂରଣ ଯୋଗାଇ ଦେବାକୁ ଦାବୀ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ