
କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଓ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ କ୍ଲଷ୍ଟରଭିତିକ ବିକାଶ ଉପରେ ଗୁରୁତ୍ୱ
ଭୁବନେଶ୍ୱର, ୨୪ ସେପ୍ଟେମ୍ବର (ହି.ସ.)-ଓଡ଼ିଶାରେ କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଓଦୁଗ୍ଧ ଉତ୍ପାଦନ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯାଇ ଅର୍ଥନୈତିକ ଅଭିବୃଦ୍ଧି ଲକ୍ଷ୍ୟରେ ପ୍ରଥମ ସମନ୍ୱିତ କ୍ଲଷ୍ଟର ବିକାଶ ପଦକ୍ଷେପ(ଆଇସିଡିଆଇ) ପରାମର୍ଶ କର୍ମଶାଳା ଗୁରୁବାର ଲୋକସେବା ଭବନସ୍ଥିତ ରାଜ୍ୟ କନଭେନସନ ସେଂଟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳରେ ଉପରୋକ୍ତ କ୍ଷେତ୍ରରେ କ୍ଲଷ୍ଟରଭିତିକ ବିକାଶର ସମ୍ଭାବନା, ପ୍ରାଥମିକ କ୍ଷେତ୍ର ଚିହ୍ନଟ, ପରିଲକ୍ଷିତ ହେଉଥିବା ଅଭାବର ଦୂରୀକରଣ, ଅନୁଷ୍ଠାନିକ ସମନ୍ୱୟ ଓ ପରବର୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ନେଇ ବିସ୍ତୃତ ଆଲୋଚନା ହୋଇଛି।
ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶ ପରିଷଦ(ଇଏସି-ପିଏମ), ନୀତି ଆୟୋଗ ଏବଂ ଓଡ଼ିଶା ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପରିଷଦର ଅଧ୍ୟକ୍ଷ ପ୍ରଫେସର ଏସ୍. ମହେନ୍ଦ୍ର ଦେବ, ଓଡ଼ିଶା ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ନୀତି ଆୟୋଗର କାର୍ଯ୍ୟକ୍ରମ ନିର୍ଦ୍ଦେଶକ (ଅର୍ଥନୈତିକ ଓ ଆର୍ôଥକ) ର ଡଃ. ପ୍ରଭାକର ସାହୁ, ଇଏସି- ପିଏମ୍ ର ଯୁଗ୍ମ ଶାସନ ସଚିବ ଡଃ. କେ.କେ.ତ୍ରିପାଠୀ, ଓଡ଼ିଶା କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଜାଧବ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ପ୍ରେମ ଚନ୍ଦ୍ର ଚୌଧାରୀ, ଆନ୍ତର୍ଜାତୀୟ ଖାଦ୍ୟ ନୀତି ଗବେଷଣା ପ୍ରତିଷ୍ଠାନ(ଆଇଏଫପିଆରଆଇ)ର ବରିଷ୍ଠ ଗବେଷିକା ଡଃ ସୁଧା ନାରାୟଣନ, ଇଏସି-ପିଏମ, ନୀତି ଆୟୋଗଏବଂ ସଂପୃକ୍ତ ବିଭିନ୍ନ ବିଭାଗ ଓ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।
କର୍ମଶାଳାର ଉଦ୍ଘାଟନୀ ଅଧିବେଶନରେପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶ ପରିଷଦର ଅଧ୍ୟକ୍ଷ ପ୍ରଫେସର ଦେବ ଯୋଗଦେଇ ବିଭିନ୍ନ କୃଷିଭିତିକ ଉତ୍ପାଦନରୁ କିପରି ଅଧିକ ଆୟ ସୃଷ୍ଟି କରାଯାଇପାରିବ, ସେଥିପାଇଁ ‘ଉତ୍ପାଦନଭିତିକ ଆଭିମୁଖ୍ୟ’ରୁ ‘କୃଷି ଆୟଭିତିକ ଆଭିମୁଖ୍ୟ’କୁ ଗୁରୁତ୍ୱ ଦେବାଉପରେ ଆଲୋକପାତ କରିଥିଲେ । କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି ସହ ଫସଲ ଅମଳ ପରବର୍ତୀ ଉତ୍ପାଦନ ହାର ବୃଦ୍ଧି, କ୍ଷୁଦ୍ର ଓ ନାମମାତ୍ର କୃଷକଙ୍କ ଉନ୍ନତି, କୃଷକ ଉତ୍ପାଦକ ଗୋଷ୍ଠୀ, ସମବାୟ ସମତିଗୁଡ଼ିକ ସମ୍ମିଳିତ ପ୍ରୟାସରେ ଅଭିବୃଦ୍ଧି ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ପାଇଲଟ୍ ପ୍ରୋଜେକ୍ଟ ଭାବେ ଏହା ପ୍ରଥମେ ପୁରୀ ଓ ଗଂଜାମ ଜିଲ୍ଲାରେ କ୍ଲଷ୍ଟର ବିକାଶ ପଦକ୍ଷେପ ଆରମ୍ଭ କରାଯିବା ନେଇ ଆଲୋଚନା କରାଯାଇଥିଲା ।ପରବର୍ତୀ ପର୍ଯ୍ୟାୟରେ ଅନୁଗୋଳ, ଢେଙ୍କାନାଳ, ସମ୍ବଲପୁର ଓ ଦେଓଗଡ୍ ଜିଲ୍ଲାରେ ଏହି ପଦକ୍ଷେପ କାର୍ଯ୍ୟକାରୀ ହେବାର କାର୍ଯ୍ୟକ୍ରମ ରହିଛି । ବୈଠକରେ ଏ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଉପସ୍ଥିତ ଥିଲେ ।
ଓଡ଼ିଶାର ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କହିଥିଲେ ଯେ, ବିକଶିତ ଓଡ଼ିଶାର ସଫଳତା ବିକଶିତ ଭାରତର ଲକ୍ଷ୍ୟ ସାଧନରେ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରଖିବ।ରାଜ୍ୟର ପ୍ରତ୍ୟେକ ଅଞ୍ଚଳର ସାମର୍ଥ୍ୟକୁ ସମ୍ପୂର୍ଣ୍ଣ ଭାବେ ଉପଯୋଗ କରି ସମାବେଶୀ ଓ ସନ୍ତୁଳିତ ବିକାଶ ନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।କୃଷି ଉତ୍ପାଦନ ସହମୂଲ୍ୟଯୁକ୍ତ ଉତ୍ପାଦନ, ପ୍ରକ୍ରିୟାକରଣ ଓ ବଜାର ସଂଯୋଗକୁ ଏକୀକୃତ କରି ‘ଉତ୍ପାଦନରୁ ବଜାର’ ପର୍ଯ୍ୟନ୍ତ ସମଗ୍ର ମୂଲ୍ୟ ଶୃଙ୍ଖଳକୁ ସୁଦୃଢ଼ କରିବାଆବଶ୍ୟକ ବୋଲି ସେ କହିଥିଲେ।
ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର-ତଥା-ଶାସନ ସଚିବ ସଚିନ ରାମଚନ୍ଦ୍ର ଜାଧବ ଗଞ୍ଜାମ ଓ ପୁରୀକୁ ପ୍ରାଥମିକ କ୍ଲଷ୍ଟର ଭାବେ ନେଇ କାଜୁ, ଆମ୍ବ, ପନିପରିବା, ମସଲା ଆଦିର ଉତ୍ପାଦନ ସହିତ ସଂଗ୍ରହ, ଶୀତଳ ଭଣ୍ଡାର, ପ୍ରକ୍ରିୟାକରଣ ଓ ବଜାର ସଂଯୋଗକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଏଥିସହ ଏଫ୍ପିଓଗୁଡ଼ିକୁ ସୁଦୃଢ଼ କରି କୃଷକଙ୍କ ଉତ୍ପାଦକୁ ଜାତୀୟ ଓ ଅନ୍ତର୍ଜାତୀୟ ବଜାର ସହ ଯୋଡ଼ିବା, ମୂଲ୍ୟବର୍ଦ୍ଧନ ଓ ରପ୍ତାନି ବୃଦ୍ଧି ପାଇଁ କ୍ଲଷ୍ଟର-ଆଧାରିତ ପଦକ୍ଷେପ ନେବାର ରୋଡମ୍ୟାପ୍ ଉପସ୍ଥାପିତ ହୋଇଥିଲା।
ମତ୍ସ୍ୟ, ଦୁଗ୍ଧ କ୍ଷେତ୍ରରେ ପ୍ରମୁଖ ଉତ୍ପାଦ ଓ ମୂଲ୍ୟ ଶୃଙ୍ଖଳ (ଭାଲ୍ୟୁ ଚେନ୍) ଚିହ୍ନଟ ଉପରେ ଆଲୋଚନା ହୋଇଥିଲା। ଏହି ଅବସରରେ ବିଭାଗୀୟ ଶାସନ ସଚିବ ଶ୍ରୀ ଚୌଧାରୀ ରାଜ୍ୟର ମତ୍ସ୍ୟ କ୍ଷେତ୍ରର ବିକାଶ ପାଇଁନୀଳ ଅର୍ଥନୀତି ଉପରେ ଗୁରୁତ୍ୱାରୋପ କରି ଗଭୀର ସମୁଦ୍ରରେ ମାଛ ଚାଷ( ଡିପ୍ ସି ଫିସିଂ ମିଶନ), ଚିଙ୍ଗୁଡି(ଶ୍ରିମ୍ପ) ମିଶନ, ଜଳଭଣ୍ଡାରରେ ମାଛ ଚାଷ ଓ ଆବଶ୍ୟକ ଭିତ୍ତିଭୂମି ବିକାଶ ସମ୍ପର୍କରେ ଅବଗତ କରାଇଥିଲେ।
ଉଦ୍ଘାଟନୀ ଅଧିବେଶନରେ ଆଇଏଫପିଆରଆଇ ର ବରିଷ୍ଠ ଗବେଷିକା ଡଃ ନାରାୟଣନ୍ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ସଂପୃକ୍ତ ସମସ୍ତ ବିଭାଗ ଓ ସଂସ୍ଥାର ସହଯୋଗରେ ଓଡ଼ିଶାରେ ସମନ୍ୱିତ କ୍ଲଷ୍ଟର ବିକାଶ ପଦକ୍ଷେପ, ତୃଣମୂଳ ସ୍ତରରେ କୃଷି ଓ ଶିଳ୍ପଭିତ୍ତିକ ବିକାଶକୁ ତ୍ୱରାନ୍ୱିତ କରି କୃଷକମାନଙ୍କ କଲ୍ୟାଣ ସାଧନରେ ସହାୟକ ହେବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ ।
ବୈଠକରେ ରାଜ୍ୟ ଓ ସଂପୃକ୍ତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ କୃଷି, ମତ୍ସ୍ୟ, ଉଦ୍ୟାନ କୃଷି, ଦୁଗ୍ଧ, ସମବାୟ, ଆର୍ôଥକ ସଂସ୍ଥା, ଗବେଷଣା ପ୍ରତିଷ୍ଠାନ, ବେସରକାରୀ କ୍ଷେତ୍ରର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗଦେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା