
ନୂଆଦିଲ୍ଲୀ, ୨୫ ସେପ୍େଟମ୍ବର (ହି.ସ.)- କେନ୍ଦ୍ରୀୟ ପରିବେଶ, ବନ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଶୁକ୍ରବାର କହିଛନ୍ତି ଯେ ବନ ପରିଚାଳନାକୁ ପ୍ରଭାବଶାଳୀ କରିବା ପାଇଁ ଅଂଚଳର ଆବଶ୍ୟକତା ଏବଂ ସ୍ଥାନୀୟ ପରିସ୍ଥିତି ଅନୁରୂପ କ୍ଷମତା ନିର୍ମାଣ ଜରୁରୀ। ପ୍ରଶିକ୍ଷଣରେ ସ୍ଥାନୀୟ ଜ୍ଞାନ ସହିତ ବୈଜ୍ଞାନିକ ଦୃଷ୍ଟିକୋଣ ଏବଂ ନୂଆ ପ୍ରଯୁକ୍ତିକୁ ସାମିଲ କରାଯିବା ଉଚିତ।
ଜାପାନ ଇଂଟରନ୍ୟାସନାଲ କୋଅପରେସନ ଏଜେନ୍ସିର ସହଯୋଗରେ ଶୁକ୍ରବାର ଆୟୋଜିତ ‘କ୍ୟାପେସିଟି ଏନହାନ୍ସମେଂଟ ଫର ଇଫେକ୍ଟିଭ ଫରେଷ୍ଟ ମ୍ୟାନେଜମେଂଟ ପ୍ରୋଜେକ୍ଟ’ ଉପରେ କର୍ମଶାଳାର ଶୁଭାରମ୍ଭ କରି ସେ କହିଥିଲେ ଯେ ବନ ଜଳବାୟୁ ପରିବର୍ତନର ମୁକାବିଲା, ଜୈବ ବିବିଧତାର ସଂରକ୍ଷଣ ଏବଂ ବନ ଉପରେ ନିର୍ଭରଶୀଳ ସମୁଦାୟଙ୍କ ଜୀବିକା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଅଗ୍ରଣୀ ପଙ୍କ୍ତିର ବନକର୍ମଚାରୀଙ୍କ ପରିଚାଳନାତ୍ମକ ଏବଂ ପ୍ରଶାସନିକ ଉଭୟ ସ୍ତରରେ କ୍ଷମତା ବୃଦ୍ଧି କରିବାର ଆବଶ୍ୟକତା ରହିଛି।
ସେ କହିଥିଲେ ଯେ ବନାଗ୍ନି ପରିଚାଳନା ଆଜି ବିଶ୍ୱସ୍ତରୀୟ ଆହ୍ୱାନ ପାଲଟିଛି। ଏପରି ସ୍ଥିତିରେ ପ୍ରକଳ୍ପ ମାଧ୍ୟମରେ ବନାଗ୍ନି ପରିଚାଳନା, ଜୈବ ବିବିଧତା ସଂରକ୍ଷଣ ଏବଂ ଜଳବାୟୁ କାର୍ଯ୍ୟାନୁଷ୍ଠାନ କ୍ଷେତ୍ରରେ ବୈଷୟିକ ଏବଂ ଭୂମିସ୍ତରୀୟ କ୍ଷମତାକୁ ସୁଦୃଢ଼ କରାଯାଇପାରିବ। ସେ ସ୍ପଷ୍ଟ କରିଥିଲେ ଯେ କ୍ଷମତା ନିର୍ମାଣ କେବଳ ଶ୍ରେଣୀଗୃହ ପର୍ଯ୍ୟନ୍ତ ସୀମିତ ରହିବା ଉଚିତ ନୁହେଁ, ବରଂ ଆଧୁନିକ ପ୍ରଯୁକ୍ତି ଏବଂ ଭୂମିସ୍ତରର ସଫଳ କାର୍ଯ୍ୟପ୍ରଣାଳୀକୁ ପ୍ରଶିକ୍ଷଣର ଅଂଶ କରାଯିବା ଉଚିତ।
ମନ୍ତ୍ରୀ ଅଂଚଳ ବିଶେଷ ପାଇଁ ଅଲଗା ଅଲଗା କ୍ଷମତା ନିର୍ମାଣ ମଡ୍ୟୁଲ ପ୍ରସ୍ତୁତ କରିବା ଉପରେ ଜୋର ଦେଇଥିଲେ। ଏହି ମଡ୍ୟୁଲରେ ସ୍ଥାନୀୟ ଜ୍ଞାନ ଏବଂ ଆଂଚଳିକ ଆହ୍ୱାନଗୁଡ଼ିକୁ ସାମିଲ କରିବାର କଥା କୁହାଯାଇଥିଲା। ପ୍ରକଳ୍ପ ଅଧୀନରେ ବ୍ୟବହାରିକ ବୈଷୟିକ ସମାଧାନ ବିକଶିତ କରିବା ପାଇଁ ଗବେଷଣା ଏବଂ ବିକାଶ, ଭୂମିସ୍ତରରେ ପ୍ରଯୁକ୍ତିର ବ୍ୟବହାର ପାଇଁ ପାଇଲଟ ପ୍ରକଳ୍ପ ଏବଂ ପ୍ରଶିକ୍ଷଣ ସଂସ୍ଥାଗୁଡ଼ିକୁ ସୁଦୃଢ଼ କରିବା ଭଳି କାର୍ଯ୍ୟ କରାଯିବ। ଏହା ବ୍ୟତୀତ ସାର୍କ ଏବଂ ଅନ୍ୟ ବିକାଶଶୀଳ ଦେଶଗୁଡ଼ିକ ସହିତ ଉତମ କାର୍ଯ୍ୟପ୍ରଣାଳୀ ବାଂଟିବା ଉପରେ ମଧ୍ୟ ଜୋର ଦିଆଯିବ।
--------------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ