
ନୂଆଦିଲ୍ଲୀ, ସେପ୍ଟେମ୍ବର ୨୫ (ହି.ସ.) - କେନ୍ଦ୍ର ଯୋଗାଯୋଗ ଏବଂ ଡୋନର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଶୁକ୍ରବାର ଦିନ ଗ୍ୱାଲିୟରରେ ପ୍ରସ୍ତାବିତ ଟେଲିକମ୍ ମାନୁଫାକ୍ଚରିଂ ଜୋନ୍ (ଟିଏମଜେଡ୍) ପାଇଁ କାର୍ଯ୍ୟ ଯୋଜନାର ସମୀକ୍ଷା କରିଛନ୍ତି। ପ୍ରାଥମିକତା ଭିତିରେ ପ୍ରକଳ୍ପ ସମ୍ବନ୍ଧୀୟ କାର୍ଯ୍ୟ ହାତକୁ ନେବା, ବିଭାଗଗୁଡ଼ିକ ମଧ୍ୟରେ ଉତମ ସମନ୍ୱୟ ସୁନିଶ୍ଚିତ କରିବା ଏବଂ ନିର୍ଦ୍ଧାରିତ ସମୟସୀମା ଅନୁଯାୟୀ ମୂଳ କାର୍ଯ୍ୟ ତ୍ୱରାନ୍ୱିତ କରିବା ଲାଗି ସେ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଯୋଗାଯୋଗ ମନ୍ତ୍ରଣାଳୟ ଅନୁଯାୟୀ, ଏହି ବୈଠକରେ ଟିଏମଜେଡର କାର୍ଯ୍ୟକାରିତା ଏବଂ ଆଗାମୀ କାର୍ଯ୍ୟ ଯୋଜନା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ତୃଣମୂଳ ସ୍ତରରେ ଚାଲିଥିବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ନିବେଶକମାନଙ୍କ ପାଇଁ ଆବଶ୍ୟକ ସୁବିଧା ଏବଂ ଅନୁକୂଳ ପରିବେଶ ସୃଷ୍ଟି କରିବା ଉପରେ ବିଶେଷ ଧ୍ୟାନ ଦେବାକୁ ସିନ୍ଧିଆ ଅଧିକାରୀମାନଙ୍କୁ କହିଥିଲେ।
ଗ୍ୱାଲିୟରରେ ପ୍ରସ୍ତାବିତ ଟିଏମଜେଡ୍ ଏସିଆର ପ୍ରଥମ ଟେଲିକମ୍ ଉତ୍ପାଦନ କ୍ଷେତ୍ର ବୋଲି କୁହାଯାଉଛି। ଏଥିପାଇଁ ୨୦୨୬ ମସିହା ଜୁଲାଇ ୩୦ ତାରିଖରେ କେନ୍ଦ୍ରୀୟ ଦୂରସଂଚାର ବିଭାଗ ଏବଂ ମଧ୍ୟପ୍ରଦେଶ ସରକାରଙ୍କ ମଧ୍ୟରେ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଥିଲା।
ଏହି ପ୍ରକଳ୍ପ ଉପରେ ନୂଆଦିଲ୍ଲୀରେ ଆୟୋଜିତ ପ୍ରଥମ ନିବେଶକ ଗୋଲଟେବୁଲ ବୈଠକରେ ୩,୫୦୦ କୋଟି ଟଙ୍କାର ନିବେଶ ଏବଂ ପାଖାପାଖି ନିଯୁକ୍ତି ସୁଯୋଗର ପ୍ରତିଶ୍ରୁତି ଦିଆଯାଇଥିଲା। ଏହା ପରେ ୪ ଅଗଷ୍ଟ ୨୦୨୬ ରେ ମୁମ୍ବାଇରେ ଅନୁଷ୍ଠିତ ନିବେଶକ ସମ୍ମିଳନୀରେ ପ୍ରାୟ ୨,୦୦୦ କୋଟି ଟଙ୍କାର ଅତିରିକ୍ତ ନିବେଶ ପ୍ରତିଶ୍ରୁତି ଦିଆଯାଇଥିଲା। ଏହା ମୋଟ ପ୍ରସ୍ତାବିତ ନିବେଶକୁ ୫,୫୦୦ କୋଟି ଟଙ୍କାରୁ ଅଧିକ ଏବଂ ସମ୍ଭାବ୍ୟ ନିଯୁକ୍ତି ସୁଯୋଗ ୧୪,୦୦୦ କୁ ନେଇଯିବ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ