
ନୂଆଦିଲ୍ଲୀ, ୨୫ ସେପ୍ଟେମ୍ବର (ହି.ସ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ସୁଭାଷିତମ୍ ମାଧ୍ୟମରେ ସଫଳତା, ନବସୃଜନ ପାଇଁ ନିରନ୍ତର ପ୍ରୟାସ, ଦୃଢ଼ତା ଏବଂ ସମର୍ପିତ କାର୍ଯ୍ୟର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି। ଏଥିସହ ଭାରତୀୟ ଜନସଂଘର ପ୍ରତିଷ୍ଠାତା ସଦସ୍ୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ସଂସ୍କୃତର ଏକ ଶ୍ଳୋକକୁ ଏକ୍ସରେ ସେୟାର କରି ଲେଖିଛନ୍ତି, “ଯଥା ଯଥା ପ୍ରୟତ୍ନଃ ସ୍ୟାଦ୍ଭବେଦାଶୁ ଫଳଂ ତଥା। ଇତି ପୌରୁଷମେବାସ୍ତି ଦୈବମସ୍ତୁ ତଦେବ ଚ॥”
ଏହାର ଭାବାର୍ଥ ହେଉଛି, ଜଣେ ବ୍ୟକ୍ତିଙ୍କ ପ୍ରୟାସ ଓ ନିଷ୍ଠା ଯେତେ ଅଧିକ ହୁଏ, ସଫଳତା ସେତେ ଶୀଘ୍ର ମିଳିଥାଏ। ନବସୃଜନ ମଧ୍ୟ ନିରନ୍ତର ପ୍ରୟାସ ଉପରେ ଆଧାରିତ। ତେଣୁ ଭାଗ୍ୟ ନୁହେଁ, ବରଂ ସମର୍ପିତ କାର୍ଯ୍ୟ, ସାହସ ଏବଂ ନୂତନ ବିଚାରକୁ ବାସ୍ତବ ରୂପ ଦେବାର ଦୃଢ଼ ସଂକଳ୍ପ ହିଁ ସଫଳତା ଓ ନବସୃଜନର ପଥ ପ୍ରଶସ୍ତ କରିଥାଏ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରାଷ୍ଟ୍ରସେବାର ଅନ୍ୟତମ ସହଭାଗୀ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀରେ ତାଙ୍କୁ ସାଦର ପ୍ରଣାମ। ସେ ସମାଜର ଶେଷ ଧାଡ଼ିରେ ଥିବା ବ୍ୟକ୍ତିଙ୍କ ଉନ୍ନତିକୁ ରାଷ୍ଟ୍ର ନିର୍ମାଣର ଆଧାର ଭାବେ ବିବେଚନା କରିଥିଲେ ଏବଂ ଅନ୍ତ୍ୟୋଦୟର ଏପରି ଏକ ସିଦ୍ଧାନ୍ତ ପ୍ରଦାନ କରିଥିଲେ, ଯାହା ଆଜି ମଧ୍ୟ ଜନକଲ୍ୟାଣ ପାଇଁ ଅଦ୍ଭୁତ ପ୍ରେରଣା ଯୋଗାଉଛି।
ଏହି ବିଶେଷ ଅବସରରେ ତାଙ୍କ ବିଚାର ଓ ଆଦର୍ଶକୁ ଆପଣାଇ ସାମାଜିକ ତଥା ଜାତୀୟ କାର୍ଯ୍ୟ ପ୍ରତି ନିଜକୁ ସମର୍ପିତ କରିବା ପାଇଁ ସଂକଳ୍ପ ନେବାକୁ ସେ ଆହ୍ୱାନ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ (ସେପ୍ଟେମ୍ବର ୨୫)କୁ ସାରା ଦେଶରେ ‘ଅନ୍ତ୍ୟୋଦୟ ଦିବସ’ ଭାବେ ପାଳନ କରାଯାଏ।
--------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା