
ଆଇଚି-ନାଗୋୟା, ସେପ୍ଟେମ୍ବର 25 (ହି.ସ)। ଏସୀୟ କ୍ରୀଡ଼ା ୨୦୨୬ରେ ପୁରୁଷ ୫୦ ମିଟର ରାଇଫଲ୍ ଥ୍ରୀ ପୋଜିସନ୍ ଟିମ୍ ଇଭେଣ୍ଟରେ ରୌପ୍ୟ ପଦକ ଜିତିବା ପରେ ଭାରତୀୟ ନିଶାନେବାଜ ଐଶ୍ୱର୍ଯ୍ୟ ପ୍ରତାପ ସିଂହ ତୋମର ଓ ନୀରଜ କୁମାର ବ୍ୟକ୍ତିଗତ ଇଭେଣ୍ଟରେ ପଦକ ହାସଲ କରିପାରି ନାହାନ୍ତି। ଐଶ୍ୱର୍ଯ୍ୟ ପଞ୍ଚମ ଏବଂ ନୀରଜ ଅଷ୍ଟମ ସ୍ଥାନରେ ରହିଛନ୍ତି।
ଐଶ୍ୱର୍ଯ୍ୟ ଫାଇନାଲ୍ରେ ୩୨୭.୬ ପଏଣ୍ଟ ସହ ପଞ୍ଚମ ସ୍ଥାନ ହାସଲ କରିଥିବା ବେଳେ ନୀରଜ ୨୯୯ ପଏଣ୍ଟ ସହ ଅଷ୍ଟମ ତଥା ଶେଷ ସ୍ଥାନରେ ରହିଛନ୍ତି। ଚୀନ୍ର ଲିଉ ୟୁକୁନ୍ ୩୬୦.୫ ପଏଣ୍ଟ ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ତାଙ୍କ ଦେଶର ଝାଙ୍ଗ ଚାଙ୍ଗହୋଙ୍ଗ୍ ୩୬୦.୨ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ କାଜାଖସ୍ତାନର ଇସ୍ଲାମ ସତପାୟେଭ୍ ୩୪୮.୩ ପଏଣ୍ଟ ସହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।
ଏହା ପୂର୍ବରୁ ପୁରୁଷ ୫୦ ମିଟର ରାଇଫଲ୍ ଥ୍ରୀ ପୋଜିସନ୍ ଟିମ୍ ଇଭେଣ୍ଟରେ ରୁଦ୍ରାକ୍ଷ ପାଟିଲ୍, ଐଶ୍ୱର୍ଯ୍ୟ ପ୍ରତାପ ସିଂହ ତୋମର ଓ ନୀରଜ କୁମାରଙ୍କୁ ନେଇ ଗଠିତ ଭାରତୀୟ ଦଳ ରୌପ୍ୟ ପଦକ ଜିତିଥିଲା। ଭାରତ ୧୭୬୨-୯୪x ସ୍କୋର କରିଥିବା ବେଳେ ଚୀନ୍ ୧୭୬୬-୯୫x ସ୍କୋର ସହ ସ୍ୱର୍ଣ୍ଣ ଏବଂ ଦକ୍ଷିଣ କୋରିଆ ୧୭୫୧-୮୭x ସ୍କୋର ସହ ବ୍ରୋଞ୍ଜ ପଦକ ଜିତିଥିଲା। ୨୦୨୨ ଏସୀୟ କ୍ରୀଡ଼ାରେ ଏହି ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତ ଏଥର ନିଜର ଟାଇଟଲ୍ ବଜାୟ ରଖିପାରି ନାହିଁ।
--------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା