
ନୂଆଦିଲ୍ଲୀ, ୨୯ ସେପ୍ଟେମ୍ବର (ହି.ସ.)- ଗୃହ ମନ୍ତ୍ରଣାଳୟର ବିଦେଶୀ ବିଭାଗରେ ନିଯୁକ୍ତ ଜଣେ ବରିଷ୍ଠ ଆକାଉଂଟାଂଟ ଏବଂ ପୂର୍ବରୁ ସେଠାରେ କାର୍ଯ୍ୟ କରିଥିବା ଜଣେ ଆକାଉଂଟାଂଟଙ୍କୁ ବିଚାରାଧୀନ ଏଫ୍.ସି.ଆର.ଏ. ପଞ୍ଜୀକରଣ କରାଇବା ବଦଳରେ ଲାଂଚ ମାଗିଥିବା ଅଭିଯୋଗରେ ଗିରଫ କରାଯାଇଛି ।
ମଙ୍ଗଳବାର ଦିନ ଅଧିକାରୀମାନେ କହିଛନ୍ତି ଯେ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ କେନ୍ଦ୍ରୀୟ ଏଜେନ୍ସି ସହିତ ମିଶି ସେପ୍ଟେମ୍ବର ୨୮ ତାରିଖରେ ନୂଆଦିଲ୍ଲୀରେ ଦୁଇ ସରକାରୀ ଅଧିକାରୀଙ୍କୁ ଗିରଫ କରିଛି । ସମ୍ପୃକ୍ତ ଦୁଇ ଜଣ ଏକ ସଂଗଠନକୁ ଯୋଗାଯୋଗ କରିଥିଲେ ଏବଂ ଏହାର ବିଚାରାଧୀନ ବିଦେଶୀ ଅଂଶଦାନ (ନିୟାମକ) ଅଧିନିୟମ (ଏଫ୍.ସି.ଆର.ଏ.) ପଞ୍ଜୀକରଣକୁ କ୍ଲିୟର କରିବା ବଦଳରେ ଲାଂଚ ଦାବି କରିଥିଲେ ।
ଅଧିକାରୀଙ୍କ କହିବା ଅନୁଯାୟୀ, ଗିରଫ ହୋଇଥିବା ଅଧିକାରୀଙ୍କ ମଧ୍ୟରୁ ଜଣେ ବର୍ତମାନ ଗୃହ ମନ୍ତ୍ରଣାଳୟର ବିଦେଶୀ ବିଭାଗରେ ବରିଷ୍ଠ ଆକାଉଂଟାଂଟ ଭାବରେ ନିଯୁକ୍ତ ହୋଇଥିବା ବେଳେ ଅନ୍ୟ ଜଣେ ବର୍ତମାନ ପେ ଆଣ୍ଡ ଆକାଉଂଟସ୍ ଅଫିସରେ ଆକାଉଂଟାଂଟ ଭାବରେ କାର୍ଯ୍ୟ କରୁଛନ୍ତି । ସେ ପୂର୍ବରୁ ବିଦେଶୀ ବିଭାଗରେ କାର୍ଯ୍ୟ କରିଛନ୍ତି । ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଏହି ଦୁଇ ଅଧିକାରୀ ବେଆଇନ ଭାବେ ଟଙ୍କା ନେଇ ସେମାନଙ୍କ ଏଫ୍.ସି. ଆର.ଏ. ପଞ୍ଜୀକରଣ ଏବଂ ନବୀକରଣରେ ସାହାଯ୍ୟ କରିବା ପାଇଁ କେତେକ ସଂଗଠନ ସହିତ ଯୋଗାଯୋଗରେ ଥିଲେ । ଏହି ମାମଲାର ଅଧିକ ତଦନ୍ତ କରାଯାଉଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ