
ମୁମ୍ବାଇ, ୨୯ ସେପ୍ଟେମ୍ବର (ହି.ସ.)। ମୁମ୍ବାଇର ସ୍ୱତନ୍ତ୍ର ଏନ୍ଆଇଏ ଅଦାଲତ ମଙ୍ଗଳବାର ୨୦୨୧ ମସିହାର ଏଣ୍ଟିଲିଆ ବୋମା ମାମଲା ଏବଂ ବ୍ୟବସାୟୀ ମନସୁଖ ହିରେନ ହତ୍ୟା ମାମଲାରେ ପୂର୍ବତନ ପୁଲିସ ଅଧିକାରୀ ସଚିନ ୱାଜେଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଜାତୀୟ ତଦନ୍ତ ଏଜେନ୍ସି (ଏନ୍ଆଇଏ) ୟୁଏପିଏ ଅଧୀନରେ ଆତଙ୍କବାଦୀ କାର୍ଯ୍ୟର ପ୍ରଥମ ଦୃଷ୍ଟିରେ ମାମଲା ପ୍ରମାଣ କରିବାରେ ବିଫଳ ହୋଇଥିବା ଅଦାଲତ କହିଛନ୍ତି।
ସ୍ୱତନ୍ତ୍ର ସେସନ୍ସ ଜଜ୍ ଚକୋର ଏସ୍. ବାଭିସ୍କର କହିଛନ୍ତି ଯେ, ରେକର୍ଡରେ ଏଭଳି କୌଣସି ପ୍ରମାଣ ନାହିଁ, ଯାହା ଦ୍ୱାରା ଉଦ୍ୟୋଗପତି ମୁକେଶ ଅମ୍ବାନୀ କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟଙ୍କ ମନରେ ଘଟଣାକୁ ନେଇ ଆତଙ୍କ ସୃଷ୍ଟି ହୋଇଥିବା ପ୍ରମାଣିତ ହୁଏ। ଅଦାଲତ ଏହା ମଧ୍ୟ ପ୍ରଶ୍ନ କରିଛନ୍ତି ଯେ, ଘଟଣାର ପାଞ୍ଚ-ଛଅ ବର୍ଷ ପରେ ମଧ୍ୟ କଥିତ ପୀଡ଼ିତଙ୍କ ବୟାନ କାହିଁକି ରେକର୍ଡ କରାଯାଇନାହିଁ?
ଅଦାଲତ କହିଛନ୍ତି ଯେ, ୨୦୨୧ ଫେବୃଆରୀ ୨୫ ତାରିଖରେ ଦକ୍ଷିଣ ମୁମ୍ବାଇର ଏଣ୍ଟିଲିଆ ନିକଟରେ ଥିବା ଏକ ଏସ୍ୟୁଭିରୁ ଜବତ ହୋଇଥିବା ଜିଲେଟିନ୍ ଛଡ଼ଗୁଡ଼ିକରେ ଡେଟୋନେଟର ନଥିଲା। ତେଣୁ ୟୁଏପିଏର ଧାରା ୧୫ ଅନୁଯାୟୀ ଆତଙ୍କବାଦୀ କାର୍ଯ୍ୟ ପାଇଁ ଆବଶ୍ୟକ ମାଧ୍ୟମ ଭାବେ ଏହାକୁ ବିଚାର କରାଯାଇପାରିବ ନାହିଁ।
ମନସୁଖ ହିରେନ ହତ୍ୟା ମାମଲା ସମ୍ପର୍କରେ ଅଦାଲତ କହିଛନ୍ତି ଯେ, ଏହା ଏକ ସ୍ୱତନ୍ତ୍ର ଅପରାଧ ଏବଂ ଏହାକୁ ସିଧାସଳଖ ଆତଙ୍କବାଦୀ କାର୍ଯ୍ୟର ପରିଣାମ ବୋଲି କୁହାଯାଇପାରିବ ନାହିଁ। ତେଣୁ ଏହି ମାମଲାରେ ୟୁଏପିଏ ଅଧୀନରେ ଜାମିନ ପାଇଁ ଲାଗୁ ହେଉଥିବା କଠୋର ସର୍ତ୍ତ ୱାଜେଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ ହେବ ନାହିଁ।
ଉଲ୍ଲେଖନୀୟ ଯେ, ୨୦୨୧ ଫେବୃଆରୀ ୨୫ରେ ଏଣ୍ଟିଲିଆ ନିକଟରୁ ବିସ୍ଫୋରକ ଭର୍ତ୍ତି ଏକ ଏସ୍ୟୁଭି ଜବତ ହୋଇଥିଲା। ଏହାର କିଛି ଦିନ ପରେ, ମାର୍ଚ୍ଚ ୫ ତାରିଖରେ ଗାଡ଼ିର କଥିତ ମାଲିକ ମନସୁଖ ହିରେନଙ୍କ ମୃତଦେହ ଠାଣେର ଏକ ଖାଡ଼ିରୁ ଉଦ୍ଧାର ହୋଇଥିଲା। ଏନ୍ଆଇଏ ସଚିନ ୱାଜେଙ୍କୁ ୨୦୨୧ ମାର୍ଚ୍ଚ ୧୩ରେ ଗିରଫ କରିଥିଲା।
ୱାଜେଙ୍କ ଓକିଲଙ୍କ ସୂଚନା ଅନୁସାରେ, ଜାମିନ ସମ୍ପର୍କିତ ଔପଚାରିକତା ଶେଷ ହେବା ପରେ ବୁଧବାର ୱାଜେ ଜେଲରୁ ବାହାରିବାର ସମ୍ଭାବନା ରହିଛି।
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ