
ଭୁବନେଶ୍ୱର, ୦୪ ସେପ୍ଟେମ୍ବର (ହି.ସ) - ଆର୍ଯ୍ୟ ସମାଜ, ଭୁବନେଶ୍ୱର ପକ୍ଷରୁ ଶ୍ରାବଣ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥିବା ଶ୍ରାବଣୀ ଉପାକର୍ମ ଉତ୍ସବ ଓ ବେଦ ସ୍ୱାଧ୍ୟାୟ ସପ୍ତାହର ସପ୍ତମ ଦିନରେ ସାମ୍ବେଦ ପରାୟଣ ଯଜ୍ଞ ପରେ, ବେଦ ପ୍ରବଚନ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ଶନ୍ନୋ ଦେବୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଆର୍ଯ୍ୟସମାଜୀ, ସଂସ୍କୃତି ପୁରୁଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କୁ, ଅଧ୍ୟକ୍ଷା ଶ୍ରୀମତୀ ଶନ୍ନୋ ଦେବୀ ଓ ବିଶିଷ୍ଟ ବୈଦିକ ବିଦ୍ୱାନ ଡଃ ବ୍ରହ୍ମଦତ ଜୀଜ୍ଞାସୁ ପ୍ରଶସ୍ତି ପତ୍ର, ଉତରୀୟ ଓ ତୁଳସୀ ବୃକ୍ଷ ଦେଇ ସମ୍ବର୍ଦ୍ଧିତ କରିଥିଲେ।
ଡଃ ଜ୍ଞାନେନ୍ଦ୍ର ମହର୍ଷି ଦୟାନନ୍ଦଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ, ସମାଜରେ ସଂସ୍କାର ପାଇଁ ଭାରତବର୍ଷରେ ମହର୍ଷି ଦୟାନନ୍ଦ ଆଜକୁ ୧୫୦ ବର୍ଷ ପୂର୍ବେ ଏକ ସାମାଜିକ ଆନ୍ଦୋଳନର ସୂତ୍ରପାତ କରିଥିଲେ, ଯାହା ଆଜି ମଧ୍ୟ ତା’ର ଆବଶ୍ୟକତା ରହିଛି। ଆର୍ଯ୍ୟ ସମାଜ କେବଳ ଏକ ଧାର୍ମିକ ସଂସ୍ଥା ନୁହେଁ, ଭାରତବର୍ଷରେ ଏହା ଏକ ସଂସ୍କାରବାଦୀ ସାମାଜିକ ଆନ୍ଦୋଳନ। ମାତ୍ର ଅତ୍ୟନ୍ତ କ୍ଷୋଭର ବିଷୟ ସ୍ୱାଧୀନତାର ୮୦ ବର୍ଷ ପରେ, ଏବେ ମଧ୍ୟ ଆମ ସମାଜରେ ଜାତିପ୍ରଥା ରହିଛି, ଯାହା ପାଇଁ ଆଜି ସମ୍ପୂର୍ଣ୍ଣ ହିନ୍ଦୁ ସମାଜ ଲଜ୍ଜିତ ହେଉଛି। ବୈଦିକ ବିଦ୍ୱାନ ଡଃ ବ୍ରହ୍ମଦତ୍ତ ଜୀଜ୍ଞାସୁ ବେଦ ପ୍ରବଚନରେ କହିଲେ ଯେ, ବେଦର ପ୍ରତ୍ୟେକ ମନ୍ତ୍ର ବିଶ୍ୱର କଲ୍ୟାଣ ପାଇଁ ଉଦ୍ଦିଷ୍ଟ। ମହର୍ଷି ଦୟାନନ୍ଦ ବେଦର ସରଳ ବ୍ୟାଖ୍ୟାକୁ ଭାରତବର୍ଷର ତଳେ ପଡ଼ିଥିବା ମଣିଷ ପାଖରେ ପହଞ୍ଚାଇବା ପାଇଁ କାର୍ଯ୍ୟ କରୁଥିଲେ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗୁରୁକୂଳ ଆମସେନାର ବ୍ରହ୍ମଚାରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିବା ପରେ ଉପଦେଷ୍ଟା ଇଂ ବ୍ରଜବନ୍ଧୁ ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ। ଶେଷରେ କୋଷାଧ୍ୟକ୍ଷ ସୁନିଲ ଦେ ଧନ୍ୟବାଦ ଅର୍ପଣ କରିଥିଲେ। ଯଜ୍ଞ ପ୍ରକାଶ ଦାସ ଭଜନ ପରିବେଷଣ କରିବା ସହ ସଭା ସଂଯୋଜନା କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ନବନିର୍ବାଚିତ ସମ୍ପାଦକ ଚିତରଞ୍ଜନ ପଣ୍ଡା, ଉପସଭାପତି ବୀରେନ୍ଦ୍ର କର, ଅନିରୁଦ୍ଧ ପଟ୍ଟନାୟକ, ରବି ନାରାୟଣ ମହାନ୍ତି ଓ ଜୟନ୍ତ ଦେ ପ୍ରମୁଖ ପରିଚାଳନା କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା