
ଝାରସୁଗୁଡ଼ା, ୪ ସେପ୍ଟେମ୍ବର (ହି.ସ.)- ରାଜ୍ୟରେ କୃଷକଙ୍କ ଆର୍ଥିକ ସଶକ୍ତିକରଣ ତଥା କୃଷି କ୍ଷେତ୍ରର ବିକାଶକୁ ଅଧିକ ଗତିଶୀଳ କରିବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ପକ୍ଷରୁ ସିଏମ୍-କିଷାନ୍ ଯୋଜନା ଅଧୀନରେ ଆଜି ସହାୟତା ରାଶି ପ୍ରଦାନ କରାଯାଇଛି। ଏହି ଅବସରରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ସମାରୋହରେ ଝାରସୁଗୁଡ଼ାର ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣ ମଧ୍ୟ ଉପସ୍ଥିତ ରହିଥିଲେ। ଏଥିସହ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଓଡ଼ିଶା ସରକାରଙ୍କ ମନ୍ତ୍ରୀଙ୍କ ପ୍ରତିନିଧି ସଞ୍ଜୟ ସିଂ ଏବଂ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ଼.ସମୀର ରଞ୍ଜନ ଦାଶ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଝାରସୁଗୁଡ଼ା ଜିଲ୍ଲାରେ ଏହି ଯୋଜନା ଅଧୀନରେ ୩୮,୬୭୧ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୭୧ ଜଣ କୃଷି ଶ୍ରମିକ, ସର୍ବମୋଟ ୩୮,୭୪୨ ଜଣ ହିତାଧିକାରୀ ଉପକୃତ ହେବେ।ଏଥିପାଇଁ ମୋଟ ୭,୭୬,୧୯,୫୦୦ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ଏଥିସହ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପୂର୍ବରୁ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ଭୁବନେଶ୍ୱରଠାରେ ଆୟୋଜିତ ରାଜ୍ୟସ୍ତରୀୟ ‘ସିଏମ୍-କିଷାନ୍’ କାର୍ଯ୍ୟକ୍ରମର ସିଧା ପ୍ରସାରଣ ମଧ୍ୟ ପ୍ରଦର୍ଶିତ ହୋଇଥିଲା।
ମୁଖ୍ୟ ଅତିଥି ଭାବେ ଟଙ୍କଧର ତ୍ରିପାଠୀ ତାଙ୍କ ଅଭିଭାଷଣରେ କୃଷକମାନଙ୍କୁ ଶୁଭେଚ୍ଛା ଜଣାଇ କହିଥିଲେ ଯେ, କୃଷକମାନେ ରାଜ୍ୟର ଅର୍ଥନୀତିର ମେରୁଦଣ୍ଡ। ସରକାର କୃଷକମାନଙ୍କ ଆୟ ବୃଦ୍ଧି ଓ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ନିରନ୍ତର ସହାୟତା ଯୋଗାଇ ଆସୁଛନ୍ତି। ସିଏମ୍-କିଷାନ୍ ସହାୟତା ରାଶି ଆଗାମୀ ରବି ଫସଲ ଚାଷ ପାଇଁ ଆବଶ୍ୟକ ବିହନ, ସାର ଓ ଅନ୍ୟାନ୍ୟ କୃଷି ସାମଗ୍ରୀ କ୍ରୟ ସହ ନୂଆଖାଇରେ କୃଷକମାନଙ୍କ ପାଇଁ ବିଶେଷ ସହାୟକ ହେବ। ଏଥିସହ ସରକାର ଚାଷୀ ମାନଙ୍କ ପାଇଁ ମଣ୍ଡି, ପାନୀୟ ଜଳ, ସ୍ୟାଡ, ପରିସ୍ରାଗାର ଆଦିର ସୁବିଧା କରିବା ସହ ଚାଷୀ ମାନଙ୍କ ଆୟ, ଜଳସେଚନ ବ୍ୟବସ୍ଥା, ସଠିକ ମୂଲ୍ୟରେ ଧାନବିକ୍ରି ଆଦିର ସୁବ୍ୟବସ୍ଥା କରିଛନ୍ତି, ଏଣୁ ଏହି ଯୋଜନାରୁ ଲାଭ ଉଠାଇବା ପାଇଁ ସମସ୍ତ ଚାଷୀଙ୍କୁ ଆହ୍ୱାନ ଦେଇଥିଲେ l
ସୂଚନା ଯୋଗ୍ୟ ଯେ, ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ୪୧ ଲକ୍ଷରୁ ଅଧିକ କୃଷକ ପରିବାରଙ୍କ ବ୍ୟାଙ୍କ ଖାତାକୁ ସିଏମ୍-କିଷାନ୍ ଯୋଜନାର ସହାୟତା ରାଶି ଡିବିଟି ମାଧ୍ୟମରେ ସିଧାସଳଖ ହସ୍ତାନ୍ତର କରିଥିଲେ। ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ଏହି ସମାରୋହରେ ଝାରସୁଗୁଡ଼ାର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶୁଭଶ୍ରୀ ପାଢ଼ୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ସହକାରୀ କୃଷି ଅଧିକାରୀ ଗଗନ କୁମାର ଭୋଇ ସଂଯୋଜନା କରିଥିଲେ। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶତାଧିକ କୃଷକଙ୍କ ସମେତ କୃଷି ବିଭାଗର ଅଧିକାରୀ ଓ କର୍ମଚାରୀ, ଜ଼ିଲ୍ଲା ସ୍ତରୀୟ ଅଧିକାରୀ ଏବଂ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଏହି ସମାରୋହରେ ଯୋଗଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ