
ଚମ୍ପୁଆ, ୦୪ ସେପ୍ଟେମ୍ବର(ହି.ସ.) – ଚମ୍ପୁଆ ଏନ୍ଏସି ଅଧିକାରୀଙ୍କ ଚରମ ଅବହେଳା ଯୋଗୁଁ ସ୍ଥାନୀୟ ଅଂଚଳରେ ଜନଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ବିଭିନ୍ନ ସମୟରେ ବାରମ୍ବାର ଅଭିଯୋଗ ସତ୍ୱେ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ, ଏନ୍ଏସି କର୍ତୃପକ୍ଷ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ପରି ମନେହେଉଛି। ବର୍ତମାନ ସହରର ବିଭିନ୍ନ ସ୍ଥାନରେ ଖୋଲା ଡ୍ରେନଗୁଡ଼ିକ ସାଧାରଣ ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି। ଚମ୍ପୁଆ ଏନ୍ଏସି ଅନ୍ତର୍ଗତ ୮ ନମ୍ବର ୱାର୍ଡ଼ ଧଳାଡିହ ସ୍ଥିତ ତହସିଲ ଅଫିସ ସମ୍ମୁଖରୁ ସାହି ଭିତରକୁ ଯାଇଥିବା ରାସ୍ତା କଡ଼ ଡ୍ରେନ୍ ଏବେ ସବୁଠାରୁ ବଡ଼ ବିପଦ ସୃଷ୍ଟି କରିଛି। ଦୀର୍ଘ ଦିନ ଧରି ସଫା କରାଯାଉ ନଥିବାରୁ ଡ୍ରେନ୍ ଭିତରେ କୁଢ଼ କୁଢ଼ ଅଳିଆ ଜମି ରହିବା ସହ ପଚାପାଣି ଦୁର୍ଗନ୍ଧ ସୃଷ୍ଟି କରୁଛି। କାଁ ଭାଁ କେବେ କେମିତି କେବଳ ବ୍ଲିଚିଂ ପାଉଡର ପକାଇ ଅଧିକାରୀମାନେ ନିଜ ଦାୟିତ୍ୱ ସାରିଦେଉଛନ୍ତି। ଅଂଚଳରେ ମଶା ଧୂଆଁ କିମ୍ବା ମଶା ତେଲ ବିଲକୁଲ ଦିଆଯାଉ ନାହିଁ। ଫଳରେ ମଶା-ମାଛିଙ୍କ ପ୍ରାଦୁର୍ଭାବ ବଢ଼ିବା ସହ ସଂକ୍ରାମକ ରୋଗ ବ୍ୟାପିବାର ଆଶଙ୍କା ଦେଖାଦେଇଛି। ଡ୍ରେନ ଉପରେ କଂକ୍ରିଟ ସ୍ଲାବ ପକାଇବା ପାଇଁ ଦୀର୍ଘ ଦିନରୁ ତିଆରି କରା ଯାଇଥିଲେ ମଧ୍ୟ ତାହା ପକାଯାଇ ନାହିଁ। ଡ୍ରେନ ଉପରେ କଂକ୍ରିଟ ସ୍ଲାବ ପଡ଼ି ନଥିବାରୁ ସେହି ରାସ୍ତାରେ ଯାତାୟାତ କରୁଥିବା ପଥଚାରୀ ଓ ଛୋଟ ପିଲାମାନଙ୍କ ଜୀବନ ପ୍ରତି ସଦାସର୍ବଦା ବିପଦ ରହିଛି। ଅଂଚଳବାସୀଙ୍କ କହିବା ଅନୁଯାୟୀ, ଏହି ସମସ୍ୟା ବାବଦରେ ଏନ୍ଏସି ଅଧିକାରୀ, ଯନ୍ତ୍ରୀ ଓ କର୍ମଚାରୀ ସମସ୍ତେ ଅବଗତ ଥିଲେ ମଧ୍ୟ ଜାଣିଶୁଣି ଏହାକୁ ଅଣଦେଖା କରାଯାଉଛି। ତେଣୁ ଏଥିପ୍ରତି ଉଚ୍ଚ କର୍ତୃପକ୍ଷ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।
.......................................
ହିନ୍ଦୁସ୍ଥାନ ସମାଚାର / Trinath Mahanta