
ଝାରସୁଗୁଡ଼ା, ୪ ସେପ୍ଟେମ୍ବର (ହି.ସ.)- ଝାରସୁଗୁଡ଼ା ସହରର ସରବାହାଲ ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଶୁକ୍ରବାର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ଭକ୍ତି, ଉତ୍ସାହ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି। ପରିଚାଳନା ସମିତିର ସମ୍ପାଦକ ସୁବ୍ରତ ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମିତିର ଉପସଭାପତି କୃଷ୍ଣଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ଆଧ୍ୟାତ୍ମିକ ଓ ସାଂସ୍କୃତିକ ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବିଜୟ କୁମାର ପଟେଲ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ଅଶୋକ ସାକୁନିଆ, ପ୍ରଶାନ୍ତ ଦାଶ, ଲଳିତ ଜସ୍ୱାଲ, ଅକ୍ଷୟ ପତି, ଦୀପକ ଧାବଲିଆ ଓ ଲୋକନାଥ ମିଶ୍ର ପ୍ରମୁଖ ଲଡୁ ଗୋପାଳଙ୍କୁ ଝୁଲାଇ ପୂଜାର୍ଚ୍ଚନା କରିଥିଲେ।
ଉତ୍ସବରେ ବିଦ୍ୟାଳୟର ୪୪୫ ଜଣ ଛାତ୍ରଛାତ୍ରୀ ରାଧା-କୃଷ୍ଣ, ଯଶୋଦା, କଂସ, ସୁଦାମା ପ୍ରମୁଖ ପୌରାଣିକ ଚରିତ୍ରର ବେଶଭୂଷାରେ ସଜ୍ଜିତ ହୋଇ ଗୀତିନାଟ୍ୟ, ଲଉଡ଼ି ଖେଳ, ଦଧିହାଣ୍ଡି ଭଙ୍ଗା ଓ ଶ୍ରୀକୃଷ୍ଣ ଭଜନରେ ସାମୂହିକ ନୃତ୍ୟ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କୁ ମୁଗ୍ଧ କରିଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଧ୍ୟାତ୍ମିକ ମୂଲ୍ୟବୋଧ ଓ ଭାରତୀୟ ସଂସ୍କୃତି ପ୍ରତି ଆଗ୍ରହ ସୃଷ୍ଟି ଉଦ୍ଦେଶ୍ୟରେ ଏହି ଉତ୍ସବର ଆୟୋଜନ କରାଯାଇଥିଲା।
ଶେଷରେ ପୂଜାର୍ଚ୍ଚନା ପରେ ପ୍ରସାଦ ବଣ୍ଟନ କରାଯାଇଥିଲା। ବରିଷ୍ଠ ଆଚାର୍ଯ୍ୟା ସଂଯୁକ୍ତା ମେହେର, ମିଲାରାଣୀ ବାରିକ, ତେଜରାଜ ସାହୁଙ୍କ ସମେତ ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ