
ଝାରସୁଗୁଡ଼ା, ୪ ସେପ୍ଟେମ୍ବର (ହି.ସ.)- ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ, ଝାରସୁଗୁଡ଼ା ଶାଖା ପକ୍ଷରୁ ୨୦୦୮ରୁ ୨୦୧୮ ମସିହା ମଧ୍ୟରେ ପରିଚାଳନା କମିଟି ଦ୍ୱାରା ନିଯୁକ୍ତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କୁ ସରକାରୀ ଅନୁଦାନ ପରିସରଭୁକ୍ତ କରିବା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଭାରତୀୟ ଡାକ ବିଭାଗର ପୋଷ୍ଟକାର୍ଡ ଜରିଆରେ ଦାବିପତ୍ର ପ୍ରେରଣ କରାଯାଇଛି।
ସଂଘର କହିବା ଅନୁସାରେ, ଦୀର୍ଘ ୧୮ ବର୍ଷ ଧରି ଅନେକ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ବିଭିନ୍ନ ବେସରକାରୀ ମହାବିଦ୍ୟାଳୟରେ ସରକାରୀ ବେତନ ଓ ଅନୁଦାନ ବିନା କାର୍ଯ୍ୟ କରିଆସୁଛନ୍ତି। ସେମାନଙ୍କର ଦୀର୍ଘଦିନର ସମସ୍ୟା ସରକାରଙ୍କ ଦୃଷ୍ଟିଆକର୍ଷଣ କରିବା ଏବଂ ଶୀଘ୍ର ସମାଧାନ ପାଇଁ ଏହି ପୋଷ୍ଟକାର୍ଡ ଅଭିଯାନ ଆରମ୍ଭ କରାଯାଇଥିବା ସଂଘ ପକ୍ଷରୁ କୁହାଯାଇଛି। ଆସନ୍ତା ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ସରକାର ଦାବିଗୁଡ଼ିକ ଉପରେ ସକାରାତ୍ମକ ପଦକ୍ଷେପ ନ ନେଲେ ସଂଘ ପକ୍ଷରୁ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।
ଜିଲ୍ଲା ସଂଯୋଜକ ଖଗେଶ୍ୱର ନାଏକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୈରୁତ ରଥ, ମଦନ ବିଶ୍ୱାଳ, ମାନସ ରଞ୍ଜନ ଆଚାର୍ଯ୍ୟ, ଲିଲିମା ରଣବିଡ଼ା, ରଶ୍ମିତା ବିଶ୍ୱାଳ, ଅରବିନ୍ଦ ଡିଲା, ସୀମା ବିଶ୍ୱାଳ, ପ୍ରଜ୍ଞା ପାରମିତା ନାଥ, ସ୍ୱାତି ଶର୍ମା, ବାବୁଲୁ ପଟେଲଙ୍କ ସମେତ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର କାର୍ଯ୍ୟରତ ଅଧ୍ୟାପକ ଓ କର୍ମଚାରୀମାନେ ଅଂଶଗ୍ରହଣ କରି ଅଭିଯାନକୁ ସଫଳ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ