




ବଲାଙ୍ଗିର, ୪ ସେପ୍ଟେମ୍ବର (ହି.ସ.)- ବଲାଙ୍ଗିରର ଗର୍ବ, ବିକାଶର ପ୍ରତୀକ ଏବଂ ଭବିଷ୍ୟତର ଜୀବନରେଖା ଭାବେ ପରିଚିତ ଲୋୟର ସୁକତେଲ ପ୍ରକଳ୍ପ ଆଜି ଅନେକଙ୍କ ପାଇଁ ଆଶାର ଆଲୋକ। କିନ୍ତୁ ସେହି ଆଲୋକର ପଛରେ ଲୁଚି ରହିଛି ଅସଂଖ୍ୟ ବିସ୍ଥାପିତ ପରିବାରର ଅଶ୍ରୁ, ଅସହାୟତା ଓ ଅପୂରଣୀୟ ବେଦନାର ଏକ ଦୀର୍ଘ ଇତିହାସ।
ଏହି ପ୍ରକଳ୍ପର ଜଳରାଶି ତଳେ ଅନେକ ଗାଁ ସବୁଦିନ ପାଇଁ ଅଦୃଶ୍ୟ ହୋଇଗଲା। ଗତକାଲି ଯେଉଁ ଗ୍ରାମରେ ଜୀବନ ଥିଲା, ଯେଉଁଠାରେ ପିଲାଙ୍କ ହସ ଗୁଞ୍ଜୁରି ଉଠୁଥିଲା, ଯେଉଁଠାରେ ସକାଳେ କୁକୁଡ଼ାର ଡାକରେ ଦିନ ଆରମ୍ଭ ହେଉଥିଲା, ଆଜି ସେଠାରେ କେବଳ ଅଥଳ ଜଳରାଶି ।ମାନଚିତ୍ରରୁ ଲିଭିଗଲା ଗାଁର ନାମ, କିନ୍ତୁ ଲୋକମାନଙ୍କ ହୃଦୟରୁ ଲିଭିପାରିଲା ନାହିଁ ସେହି ସ୍ମୃତି। କେତେ ପିଢ଼ି ଧରି ସେହି ମାଟିରେ ଲୋକେ ବଞ୍ଚିଥିଲେ। ସେଠାରେ ସେମାନଙ୍କର ଜନ୍ମ, ସେଠାରେ ସେମାନଙ୍କର ଶୈଶବ, ସେଠାରେ ସେମାନଙ୍କ ସ୍ୱପ୍ନ, ସଂଘର୍ଷ ଓ ଜୀବନର କାହାଣୀ।ପୂର୍ବପୁରୁଷଙ୍କ ସମାଧି, ଗ୍ରାମଦେବତାଙ୍କ ପୀଠ, ବରଗଛର ଛାଇ, ଖେଳପଡ଼ିଆ, ଚାଷଜମି, ସବୁକିଛି ଏବେ ଜଳର ଗର୍ଭରେ ନିରବ ହୋଇ ଶୋଇଛି। ଲାଗେ ଯେମିତି ପୂର୍ବପୁରୁଷଙ୍କ ଆତ୍ମାମାନେ ମଧ୍ୟ ସେହି ଜଳରେ ନୀରବ ହୋଇ ରହିଗଲେ।
ଭିଟାମାଟି ଛାଡ଼ି ଅନ୍ୟତ୍ର ଯିବା କେବଳ ଘର ବଦଳାଇବା ନୁହେଁ, ଏହା ନିଜ ପରିଚୟର ଗୋଟିଏ ଅଂଶକୁ ପଛରେ ଛାଡ଼ି ଆସିବା। ନୂଆ ସ୍ଥାନରେ ଘର ତିଆରି ହୋଇପାରେ, କିନ୍ତୁ ଜନ୍ମଭୂମିର ମାଟିର ଗନ୍ଧ, ପଡ଼ୋଶୀଙ୍କ ସ୍ନେହ, ଗାଁର ଆତ୍ମୀୟତା ଓ ଶୈଶବର ସ୍ମୃତି କେବେ ବି ନୂଆକରି ଗଢ଼ାଯାଇପାରେ ନାହିଁ। ଏବେ ଆଉ ପାହାନ୍ତି ସକାଳରେ କୁକୁଡ଼ାର ଡାକ ଶୁଣାଯିବ ନାହିଁ। ଗ୍ରାମ ମନ୍ଦିରର ଶଙ୍ଖ ଓ ଘଣ୍ଟାଧ୍ୱନି ଚିରଦିନ ପାଇଁ ସ୍ତବ୍ଧ ହୋଇଯାଇଛି। ଦାଦା, କାକା, କାକି, ମାଉସୀ, ମଉସା, ବୋହୂ, ସାଙ୍ଗ ସାଥୀଙ୍କ ସ୍ନେହଭରା ଡାକ ଆଉ କେବେ ବି ସେହି ଗାଁ ମାନଙ୍କରେ ପ୍ରତିଧ୍ୱନିତ ହେବ ନାହିଁ। ସନ୍ଧ୍ୟାବେଳେ ଗାଈ, ଗୋରୁ, ଛେଳି, ମେଣ୍ଢାଙ୍କ ପଲ ଆଉ ଘରକୁ ଫେରିବେ ନାହିଁ। ଚାଷୀର ହଳିଆ ଗୀତ, ହଳ, ନଙ୍ଗଳର ଶବ୍ଦ, ସବୁଜ କ୍ଷେତରେ ପବନର ଦୋଳି, ସବୁକିଛି ଆଜି କେବଳ ସ୍ମୃତି। ଘର ପଛବାଡ଼ିର ପନିପରିବା, ବର୍ଷାରେ କାଦୁଅ ରାସ୍ତା, ସାଙ୍ଗମାନଙ୍କ ସହ ସନ୍ଧ୍ୟାର ଖେଳ, ଶୀତୁଆ ସକାଳର କୁହୁଡ଼ି ଭିତରେ ସବୁଜ ଧାନକ୍ଷେତ, ନୂଆଖାଇର ସାମୂହିକ ଆନନ୍ଦ, ସବୁ ଯେପରି ଏକ ମୁହୂର୍ତ୍ତରେ ଜଳରେ ଲୀନ ହୋଇଗଲା। ଗାଁ, ମା' ଓ ମାଟି ସହ ଥିବା ଅଦୃଶ୍ୟ ସମ୍ପର୍କ ଛିନ୍ନ ହୋଇଗଲା। ବିକାଶ ନିଶ୍ଚୟ ଆବଶ୍ୟକ। ଜଳସେଚନ, ପାନୀୟ ଜଳ ଓ ଭବିଷ୍ୟତର ସମୃଦ୍ଧି ପାଇଁ ଏପରି ପ୍ରକଳ୍ପର ମହତ୍ତ୍ୱ ଅସ୍ୱୀକାର କରାଯାଇପାରେ ନାହିଁ। କିନ୍ତୁ ସେହି ବିକାଶର ପଥରେ ଯେଉଁ ଲୋକମାନେ ନିଜ ଜନ୍ମଭୂମି, ପୂର୍ବପୁରୁଷଙ୍କ ସ୍ମୃତି ଓ ସାରା ଜୀବନର ସଞ୍ଚିତ ଭାବନାକୁ ବଳିଦାନ ଦେଇଛନ୍ତି, ସେମାନଙ୍କ ଅଶ୍ରୁର ମୂଲ୍ୟ କେବେ ବି ମାପିହେବ ନାହିଁ।
ଆଜି ବି ଯେତେବେଳେ କେହି ଲୋୟର ସୁକତେଲର ବିସ୍ତୀର୍ଣ୍ଣ ଜଳରାଶିକୁ ଚାହିଁ ରହନ୍ତି, ସେମାନଙ୍କ ଆଖିରେ ଭାସିଉଠେ ନିଜ ଗାଁର ଛବି। ମନେ ପଡ଼େ ଘରର ଅଗଣା, ତୁଳସୀଚଉରା, ଗାଁର ମନ୍ଦିର, ସ୍କୁଲ, ପୋଖରୀ, ବନ୍ଧୁମାନଙ୍କ ମୁହଁ ଓ ସେହି ଅମୂଲ୍ୟ ଶୈଶବ। ସେତେବେଳେ ଆଖିରୁ ଖସିପଡ଼େ କିଛି ଟୋପା ଲୁହ। ସେହି ଲୁହ ଯାଇ ମିଶିଯାଏ ସୁକତେଲର ଜଳରେ। ଲାଗେ ଯେପରି ଜଳ ତଳେ ଲୀନ ହୋଇଥିବା ନିଜ ଜନ୍ମଭୂମିକୁ ସେହି ଲୁହ ଶେଷ ପ୍ରଣାମ ଜଣାଉଛି। ଲୋୟର ସୁକତେଲର ଜଳ କେବଳ ନଦୀର ଜଳ ନୁହେଁ, ସେହି ଜଳରେ ମିଶିଛି ହଜାର ହଜାର ଲୋକଙ୍କ ସ୍ମୃତି, ଅସଂଖ୍ୟ ସ୍ୱପ୍ନ, ଅଗଣିତ ଅଶ୍ରୁବିନ୍ଦୁ ଏବଂ ହରାଇ ଯାଇଥିବା ଏକ ସମ୍ପୂର୍ଣ୍ଣ ଗ୍ରାମ୍ୟ ସଭ୍ୟତାର ନିଃଶବ୍ଦ କାହାଣୀ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ