ମୋବାଇଲ୍ ସୁରକ୍ଷାରେ ସାମାନ୍ୟ ଅବହେଳା ବି ଡାକି ଆଣିପାରେ ସାଇବର ଠକେଇ : ସତର୍କ କଲେ ଝାରସୁଗୁଡ଼ା ଏସପି
Missing of mobile may create cyber fraud
ମୋବାଇଲ୍ ସୁରକ୍ଷାରେ ସାମାନ୍ୟ ଅବହେଳା ବି ଡାକି ଆଣିପାରେ ସାଇବର ଠକେଇ : ସତର୍କ କଲେ ଝାରସୁଗୁଡ଼ା ଏସପି


ଝାରସୁଗୁଡ଼ା, ୪ ସେପ୍ଟେମ୍ବର (ହି.ସ.)- ସହରରେ ବଢ଼ୁଥିବା ‘ହାଇବ୍ରିଡ୍ ସାଇବର ଫ୍ରଡ୍’କୁ ନେଇ ଝାରସୁଗୁଡ଼ା ଏସପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର ଗୁରୁବାର ଏକ ପ୍ରେସ ବିବୃତି ଜରିଆରେ ସାଧାରଣ ଲୋକଙ୍କୁ ସତର୍କ ଓ ସଚେତନ ରହିବାକୁ ଆହ୍ୱାନ କରିଛନ୍ତି। ଏସପିଙ୍କ ସୂଚନା ଅନୁସାରେ, ନୂଆ ପ୍ରକାରର ଏହି ସାଇବର ଠକେଇରେ ଅପରାଧୀମାନେ ବସ୍ଷ୍ଟାଣ୍ଡ, ରେଳ ଷ୍ଟେସନ, ବଜାର ଭଳି ଭିଡ଼ ସ୍ଥାନରେ ଲୋକଙ୍କ ମୋବାଇଲ୍ ପିନ୍ ଉପରେ ନଜର ରଖିବା ପରେ ସେମାନଙ୍କ ଫୋନ୍ ଚୋରି କରୁଛନ୍ତି। ପରେ ଫୋନ୍ ଫେରାଇବାର ବାହାନା କିମ୍ବା ଅନ୍ୟ କୌଶଳ ଅବଲମ୍ବନ କରି ବ୍ୟାଙ୍କ ଆକାଉଣ୍ଟ ଓ ୟୁପିଆଇ ସୁବିଧାର ଦୁରୁପଯୋଗ କରୁଛନ୍ତି।

ଏସପି କହିଛନ୍ତି, ବର୍ତ୍ତମାନ ସମୟରେ ସ୍ମାର୍ଟଫୋନ୍ କେବଳ ଯୋଗାଯୋଗର ମାଧ୍ୟମ ନୁହେଁ, ଏହା ବ୍ୟାଙ୍କ ଆକାଉଣ୍ଟ ସହିତ ବିଭିନ୍ନ ଆର୍ଥିକ ସେବାର ପ୍ରବେଶ ଦ୍ୱାର। ତେଣୁ ମୋବାଇଲ୍ ପିନ୍, ପାସୱାର୍ଡ କିମ୍ବା ଓଟିପି କୌଣସି ପରିସ୍ଥିତିରେ ଅନ୍ୟ କାହା ସହ ସେୟାର କରିବା ଉଚିତ୍ ନୁହେଁ। ସେହିପରି ଫୋନରେ ଶକ୍ତିଶାଳୀ ଲକ୍ କିମ୍ବା ବାୟୋମେଟ୍ରିକ୍ ସୁରକ୍ଷା ବ୍ୟବହାର କରିବା ସହ ଗ୍ୟାଲେରୀ କିମ୍ବା ନୋଟ୍ସରେ କାର୍ଡ ନମ୍ବର, ସିଭିଭି ଓ ପିନ୍ ପରି ସମ୍ବେଦନଶୀଳ ତଥ୍ୟ ସଂରକ୍ଷଣ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ମୋବାଇଲ୍ ହଜିଗଲେ କିମ୍ବା ଚୋରି ହେଲେ ତୁରନ୍ତ ସିମ୍ ବ୍ଲକ୍ କରିବା, ୟୁପିଆଇ ଓ ମୋବାଇଲ୍ ବ୍ୟାଙ୍କିଂ ସେବା ବନ୍ଦ କରିବା ସହ ସିଇଆଇଆର ପୋର୍ଟାଲରେ ଫୋନ୍ ବ୍ଲକ୍ କରିବାକୁ ଏସପି ପରାମର୍ଶ ଦେଇଛନ୍ତି। ସେହିପରି ସାଇବର ଠକେଇର ଶିକାର ହେଲେ ବିଳମ୍ବ ନକରି ଜାତୀୟ ସାଇବର ହେଲ୍ପଲାଇନ୍ ନମ୍ବର ୧୯୩୦ରେ କଲ୍ କରିବା କିମ୍ବା ନିକଟସ୍ଥ ଥାନାରେ ଅଭିଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି। ଏହା ସହ ବିଶେଷକରି ବରିଷ୍ଠ ନାଗରିକମାନଙ୍କୁ ଏଭଳି ସାଇବର ଠକେଇ ସମ୍ପର୍କରେ ସଚେତନ କରିବା ପାଇଁ ପରିବାର ସଦସ୍ୟ ଓ ସାଧାରଣ ଲୋକଙ୍କ ସହଯୋଗ ଲୋଡ଼ିଛନ୍ତି ଝାରସୁଗୁଡ଼ା ଏସପି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande