


ସମ୍ବଲପୁର, ୦୪, ସେପ୍ଟେମ୍ବର (ହି.ସ.) - ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଂଚଳରେ ଜଣେ ନାବାଳିକାକୁ ବଳ ପୂର୍ବକ ଦୁଷ୍କର୍ମ କରିବା ଅଭିଯୋଗରେ ପୋଲିସ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଏନେଇ ରେଢାଖୋଲ ଥାନାରେ ୧୬୫/୨୬ରେ ଏକ ମାମଲା ରୁଜୁ ହୋଇଛି ।
ପୋଲିସ ସୂଚନା ଅନୁଯାୟୀ, ଗତ ୧ ତାରିଖ ରାତି ପ୍ରାୟ ୧୦ ଟା ବେଳେ ପିଡ଼ୀତା ନାବାଳିକା ଜଣକ ନିଜ ଘରକୁ ଯାଉଥିବା ବେଳେ ଏହି ନାରକୀୟ ଘଟଣା ଘଟିଥିଲା। ପରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ୧୧୨ ହେଲ୍ପଲାଇନକୁ ଫୋନ୍ କରି ପୋଲିସକୁ ଜଣାଇବା ପରେ ଅଭିଯୋଗ ପାଇ ରେଢାଖୋଲ ଥାନା ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲା।
ତଦନ୍ତ ବେଳେ ବିଭିନ୍ନ ପ୍ରମାଣ ଓ ତଥ୍ୟ ଆଧାରରେ ଅଭିଯୁକ୍ତର ପରିଚୟ ଜଣାପଡ଼ିଥିଲା। ଅଭିଯୁକ୍ତ ଜଣକ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ତେନ୍ତୁଲେଇ ପୋଡ଼ାସାହି ଗ୍ରାମର ବାପି ପ୍ରଧାନ ବୋଲି ଜଣାପଡିଛି।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ