ରୋଡ୍ ସେଲ୍ ବନ୍ଦରେ ଠପ୍ କୋଇଲା ପରିବହନ : ଆର୍ଥିକ ସଙ୍କଟରେ ଟ୍ରକ୍ ମାଲିକ, ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଦାବି
Need inteferance of collector
ରୋଡ୍ ସେଲ୍ ବନ୍ଦରେ ଠପ୍ କୋଇଲା ପରିବହନ : ଆର୍ଥିକ ସଙ୍କଟରେ ଟ୍ରକ୍ ମାଲିକ, ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଦାବି


ଝାରସୁଗୁଡ଼ା, ୪ ସେପ୍ଟେମ୍ବର (ହି.ସ.)- ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକସ୍ଥିତ ଏମ୍ସିଏଲ୍ ର ଆଇଏଲ୍ବିଏଲ୍ ଓସିପିରେ ଗତ ଅଗଷ୍ଟ ୩୧ ତାରିଖରୁ ରୋଡ୍ ସେଲ୍ କାର୍ଯ୍ୟ ବନ୍ଦ ରହିଥିବାରୁ ଜିଲ୍ଲାର ଶତାଧିକ ଟ୍ରକ୍ ମାଲିକ, ଚାଳକ ଓ ସେମାନଙ୍କ ଉପରେ ନିର୍ଭରଶୀଳ ପରିବାର ଗୁରୁତର ଆର୍ଥିକ ସଙ୍କଟରେ ପଡ଼ିଛନ୍ତି। ଏହି ସମସ୍ୟାର ତୁରନ୍ତ ସମାଧାନ ଦାବି କରି ମା’ ସମଲେଇ ଟ୍ରକ୍ ଓନର୍ସ ଆସୋସିଏସନ୍, ବନ୍ଧବାହାଲ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ସଂଘ ପକ୍ଷରୁ କୁହାଯାଇଛି ଯେ, ରୋଡ୍ ସେଲ୍ ପରିବହନ କାର୍ଯ୍ୟ ହଠାତ୍ ବନ୍ଦ ହେବା ଫଳରେ ଶତାଧିକ ଟ୍ରକ୍ ଅଚଳ ହୋଇପଡ଼ିଛି। ଏଥିଯୋଗୁଁ ଟ୍ରକ୍ ମାଲିକଙ୍କ ସହ ଚାଳକ, ହେଲ୍ପର୍ ଓ ସ୍ଥାନୀୟ ମେକାନିକ ମାନଙ୍କ ଦୈନିକ ଆୟ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି। ପରିବହନ ବ୍ୟବସ୍ଥା ଠପ୍ ହେବାରୁ ଏହା ଉପରେ ନିର୍ଭରଶୀଳ ଅନେକ ପରିବାରର ଜୀବନଜୀବିକା ପ୍ରଭାବିତ ହୋଇଛି।

ଦାବିପତ୍ରରେ ଆହୁରି ଉଲ୍ଲେଖ କରାଯାଇଛି ଯେ, ଅଧିକାଂଶ ଟ୍ରକ୍ ବ୍ୟାଙ୍କ ଋଣରେ କ୍ରୟ କରାଯାଇଥିବାରୁ ଆୟ ବନ୍ଦ ହେବା ପରେ ମାଲିକମାନେ ମାସିକ ଋଣ କିସ୍ତି ପରିଶୋଧ କରିବାରେ ଅସମର୍ଥ ହେଉଛନ୍ତି। ଏଭଳି ପରିସ୍ଥିତି ଜାରି ରହିଲେ ବ୍ୟାଙ୍କ ପକ୍ଷରୁ ଗାଡ଼ି ଜବତ କରାଯିବାର ଆଶଙ୍କା ସୃଷ୍ଟି ହୋଇଥିବା ସଂଘ ଦର୍ଶାଇଛି। ସ୍ଥାନୀୟ ଟ୍ରକ୍ ପରିବହନ ବ୍ୟବସ୍ଥା ସହ ଜଡ଼ିତ ଲୋକଙ୍କୁ ଆର୍ଥିକ ସଙ୍କଟରୁ ରକ୍ଷା କରିବା ଏବଂ ରୋଡ୍ ସେଲ୍ କାର୍ଯ୍ୟ ସ୍ୱାଭାବିକ କରିବା ପାଇଁ ଜିଲ୍ଲାପାଳ ତୁରନ୍ତ ହସ୍ତକ୍ଷେପ କରି ଆବଶ୍ୟକ ପଦକ୍ଷେପ ନେବାକୁ ସଂଘ ଦାବି କରିଛି।

ଏହି ଦାବିପତ୍ରର ନକଲ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ, ସାଂସଦ ପ୍ରଦୀପ ପୁରୋହିତ, ଝାରସୁଗୁଡ଼ା ଏସ୍ପି, ବ୍ରଜରାଜନଗର ଏସ୍ଡିପିଓ ଏବଂ ବନହରପାଲି ଆଇଆଇସିଙ୍କୁ ମଧ୍ୟ ପ୍ରଦାନ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande