
ଝାରସୁଗୁଡ଼ା, ୦୪ ସେପ୍ଟେମ୍ବର (ହି.ସ.) - ନିଶାମୁକ୍ତ ଓଡ଼ିଶା ଅଭିଯାନ' ଅଧୀନରେ ଚାଲିଥିବା ବେଆଇନ ନିଶାଦ୍ରବ୍ୟ କାରବାର ବିରୋଧୀ ସ୍ୱତନ୍ତ୍ର ଅଭିଯାନରେ ବ୍ରଜରାଜନଗର ପୋଲିସକୁ ଆଉ ଏକ ବଡ଼ ସଫଳତା ମିଳିଛି। ଶୁକ୍ରବାର ଦିନ ପାଟ୍ରୋଲିଂ ଓ ମୋଟରଯାନ ଯାଂଚ ବେଳେ ଓପିଏମ୍ ଛକ ନିକଟରୁ ୨.୦୬୩ କିଲୋଗ୍ରାମ ଗଞ୍ଜେଇ ଜବତ କରାଯିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ପୋଲିସ ସୂଚନା ଅନୁସାରେ, ସକାଳ ପ୍ରାୟ ୧୦ଟା ୨୦ ମିନିଟ୍ ସମୟରେ ଜଣେ ବ୍ୟକ୍ତି ପ୍ଲାଷ୍ଟିକ ଅଖା ବସ୍ତାରେ ଗଞ୍ଜେଇ ନେଇ ମାମା ଛକ ଆଡ଼କୁ ସନ୍ଦେହଜନକ ଭାବେ ଯାଉଥିବା ନେଇ ବିଶ୍ୱସନୀୟ ସୂଚନା ମିଳିଥିଲା। ଏହାପରେ ପୋଲିସ ଟିମ୍ ଓପିଏମ୍ ଛକରେ ପହଂଚି ସକାଳ ପ୍ରାୟ ୧୦ଟା ୩୫ ମିନିଟ୍ ସମୟରେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକାଇଥିଲେ।
ଗିରଫ ଅଭିଯୁକ୍ତ ହେଲେ ପ୍ରମୋଦ ନାୟକ ଓରଫ ଛୋଟୁ (୫୬)। ସେ କନ୍ଧମାଳ ଜିଲ୍ଲା ଜିଡିଙ୍ଗପଡ଼ାର ଏବଂ ବର୍ତମାନ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର ଫୋର୍ଟି ମାଇନସ୍ ବୁଣ୍ଡିଆ କଲୋନୀରେ ବସବାସ କରୁଛନ୍ତି।
ଅଭିଯୁକ୍ତଙ୍କ ବ୍ୟାଗ ଯାଂଚ କରିବା ବେଳେ ଦୁଇଟି ପ୍ୟାକେଟରୁ ଗଞ୍ଜେଇ ଜବତ ହୋଇଥିଲା। ପ୍ୟାକେଟର ଆବରଣ ବାହାର କରି ଓଜନ କରାଯିବା ପରେ ଗଞ୍ଜେଇର ମୋଟ ନିଟ୍ ଓଜନ ୨.୦୬୩ କିଲୋଗ୍ରାମ ହୋଇଥିଲା। ଏହି ଚଢ଼ାଉ, ତଲାସି ଓ ଜବତ ପ୍ରକ୍ରିୟା ଏନ୍ଡିପିଏସ୍ ଆଇନର ନିୟମାବଳୀ ଅନୁଯାୟୀ ଜଣେ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସମ୍ପନ୍ନ କରାଯାଇଥିଲା।
ପୋଲିସ ଅଭିଯୁକ୍ତଙ୍କ ନିକଟରୁ ୨.୦୬୩ କିଲୋଗ୍ରାମ ଗଞ୍ଜେଇ, ଏକ ରେଡମି ମୋବାଇଲ ଫୋନ୍, ୭୫୦ ଟଙ୍କା ନଗଦ ଓ ଏକ ପ୍ଲାଷ୍ଟିକ ଅଖା ବସ୍ତା ସହ ପ୍ୟାକିଂ ସାମଗ୍ରୀ ଜବତ କରିଛି।
ଏହି ଘଟଣାରେ ବ୍ରଜରାଜନଗର ଥାନାରେ ଏନ୍ଡିପିଏସ୍ ଆଇନର ଧାରା ୨୦(ବି)(ସସ)(ବି) ଏବଂ ୨୯ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଗିରଫ ଅଭିଯୁକ୍ତଙ୍କୁ ଥାନାକୁ ଆଣି ପରବର୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଚାଲିଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ