
ଝାରସୁଗୁଡ଼ା, ୪ ସେପ୍ଟେମ୍ବର (ହି.ସ.)- ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ଅଞ୍ଚଳରେ ଦୀର୍ଘ ୨ ମାସରୁ ଉର୍ଦ୍ଧ ହେଲା କାରଖାନା ବର୍ଜ୍ୟ ଗୁଣ୍ଡ ବିଭିନ୍ନ ଭାରିଯାନରେ ପରିବହନ କରାଯାଉଥିବା ବେଳେ ସୋଡାମାଳ ଗ୍ରାମବାସୀ ଗୁରୁବାର ସନ୍ଧ୍ୟାରେ ୪ଟି ଭାରିଯାନକୁ ଅଟକ ରଖି କୋଲାବିରା ପୋଲିସକୁ ହସ୍ତାନ୍ତର କରିଥିଲେ l ପରେ ଝାରସୁଗୁଡ଼ାରୁ ପରିବହନ ଅଧିକାରୀ ଆସି ଅଟକ ୪ ଗାଡ଼ିରୁ ୧ ଲକ୍ଷ ୯୨ ହଜାର ୬ ଶହ ଟଙ୍କା ଜୋରିମାନା ଆଦାୟ କରିଥିବା ସୂଚନା ମିଳିଛି l
ଗ୍ରାମବାସୀ ଙ୍କ ଅଭିଯୋଗ ଅନୁଯାୟୀ ଦୁଇ ମାସରୁ ଉର୍ଦ୍ଧ ସମୟ ହେଲା ବହୁ ସଂଖ୍ୟାରେ ଭାରିଯାନରେ ଝାରସୁଗୁଡ଼ା ର ଏକ କାରଖାନାରେ ବର୍ଜ୍ୟ ପରିବହନ କରାଯାଇ ଗାଡ଼ି ଗୁଡ଼ିକ ସମ୍ବଲପୁର ଦେଇ ପୁଣି ସମାସିଂହା ରାସ୍ତାରେ ଝାରସୁଗୁଡ଼ା ପ୍ରବେଶ କରୁଥିଲା l ଗାଡ଼ି ଗୁଡ଼ିକ କେବଳ ରାତିରେ ଯାତାୟାତ କରୁଥିବା ବେଳେ ରାସ୍ତା ଉପରେ ଗଦା ଗଦା ହୋଇ ବର୍ଜ୍ୟ ପଡ଼ୁଥିଲା ଓ ଯାତ୍ରୀଙ୍କ ପାଇଁ ବହୁ ସମସ୍ୟା ସୃଷ୍ଟି କରୁଥିଲା l କୋଲାବିରା ବ୍ଲକ ର ସୋଡାମାଳ, ସମାସିଂହା, ବଡ଼ବାହାଲ ଦେଇ ପୁଣି ଜାତୀୟ ରାଜପଥ ନମ୍ବର ୪୯ ରେ କୁଣ୍ଡୁରୁସିଂହା, ପୋଖରାସାହ୍ଲେ, ମାଳିଡିହି, ଲରିଆପାଲି ଦେଇ କୁଚିଣ୍ଡା ରାସ୍ତାରେ ବଣେଇ ଅଞ୍ଚଳକୁ ବର୍ଜ୍ୟ ପରିବହନ କରାଯାଉଥିବା ସୂଚନା ମିଳିଛି l ବର୍ଜ୍ୟ ଗୁଣ୍ଡରେ ଅତିଷ୍ଠ ହୋଇ ଗୁରୁବାର ସନ୍ଧ୍ୟାରେ ସୋଡାମାଳ ଗ୍ରାମବାସୀ ପିବି ୧୩ ବିଆର ୯୭୧୩, ଡବ୍ଲ୍ୟୁ ବି ୩୭ ଇ ୫୩୦୩, ପିବି ୧୧ ଡିଏଫ୍ ୬୯୧୩ ଓ ପିବି ୦୩ ବିଏଚ ୭୧୩୫ ନମ୍ବର ବିଶିଷ୍ଟ ବର୍ଜ୍ୟ ବୋଝେଇ ୪ ଭାରିଯାନକୁ ଅଟକ ରଖି ପୋଲିସକୁ ଜିମା ଦେଇଥିଲେ l ଅଟକ ୪ ଗାଡ଼ିରୁ ଗୋଟିଏ ଖାଲି ଗାଡ଼ି ଥିବା ସୂଚନା ମିଳିଛି l ସୂଚନା ପାଇ ପରିବହନ ଅଧିକାରୀ ଉପରୋକ୍ତ ୪ ଗାଡ଼ିରୁ ଯୋରିମାନା ଆଦାୟ କରିଥିଲେ l ଏବେ ଗୁରୁବାର ସନ୍ଧ୍ୟାରୁ ବର୍ଜ୍ୟ ପରିବହନ ଗାଡ଼ି ସମ୍ପୂର୍ଣ ବନ୍ଦ ରହିଥିବା ସୂଚନା ମିଳିଛି l
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ