ବୁଲାପ୍ରାଣୀଙ୍କ ପାଇଁ କନ୍ଧମାଳ ଜିଲ୍ଲା ପ୍ରଶାସନର ତତ୍ପରତା
Wandering Cattle regarding Meeting New
ଫୋଟ


କନ୍ଧମାଳ , ୦୪ ସେପ୍ଟେମ୍ବର (ହି.ସ.) ବୁଲାପ୍ରାଣୀ ସୁପରିଚାଳନା ନିମନ୍ତେ ପ୍ରାଣୀ ସମ୍ପଦ ବିକାଶ ବିଭାଗ, କନ୍ଧମାଳ ଆନୁକୁଲ୍ୟରେ ସଦ୍ଭାବନା ସଭାଗୃହ, ଫୁଲବାଣୀ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦ ଭୂଷଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ପ୍ରାଣୀସମ୍ପଦ ବିକାଶ ଅଧିକାରୀ ଡଃ ଅଶୋକ ଚନ୍ଦ୍ର ପଣ୍ଡା ବୈଠକ ଉଦ୍ଦେଶ୍ୟ ଉପସ୍ଥାପନ ସହ ପରିଚାଳନା କରିଥିଲେ। ସହ- ପ୍ରାଣୀସମ୍ପଦ ବିକାଶ ଅଧିକାରୀ ଡଃ ଦିଗବିଜୟ ଗିରି ବିସ୍ତୃତ ଭାବରେ ଏକ ପି ପି ଟି ଉପସ୍ଥାପନ କରିଥିଲେ। ରାଜ୍ୟ ସରକାରଙ୍କ ବୁଲାପ୍ରାଣୀ ପରିଚାଳନା ପାଇଁ ରହିଥିବା ଯୋଜନା ଓ ସମ୍ପ୍ରତି କନ୍ଧମାଳ ଜିଲ୍ଲାରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ, କନ୍ଧମାଳ ଦ୍ଵାରା କରାଯାଉଥିବା ଉନ୍ନୟନ ବ୍ୟବସ୍ଥା ଉପସ୍ଥାପନ କରିଥିଲେ। ପ୍ରାଣୀ ସମ୍ପଦ ତାଲିମ ଅଧିକାରୀ ଡଃ ଅଳକା ପଟ୍ଟନାୟକ ବୁଲାପ୍ରାଣୀ ଙ୍କ ସଠିକ୍ ଥଇଥାନ ପାଇଁ ଆବଶ୍ୟକୀୟ ତାଲିମ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।

ଜିଲ୍ଲାପାଳ ଶ୍ରୀ ବେଦ ଭୂଷଣ ବୁଲା ଗାଈଗୋରୁଙ୍କ ମାଲିକଙ୍କୁ ସଚେତନ କରିବା ସହ ରେଡିଅମ୍ ବେଲ୍ଟ ବାନ୍ଧିବା ବାଧ୍ୟତାମୂଳକ ଭାବେ ପ୍ରୟୋଗ କରିବା ଓ କାଞ୍ଜିଆ ହୋଦାର ସଠିକ ପରିଚାଳନା ସହ ବୁଲା ଗୋରୁ କିପରି ଥଇଥାନ ହୋଇପାରିବେ ସେ ସମ୍ପର୍କରେ କହିଥିଲେ । ତତ୍ସହିତ ବୁଲା କୁକୁରଙ୍କ ବନ୍ଧ୍ୟାକରଣ ଓ ଟିକାକରଣ ନିମିନ୍ତ ପଦକ୍ଷେପ ପାଇଁ ଉପସ୍ଥାପନା ଦେଇଥିଲେ। ପ୍ରତ୍ୟେକ ଦିନ ମ୍ୟୁନିସିପାଲଟି ଦ୍ୱାରା ସଚେତନ ବାର୍ତ୍ତାକୁ ସହର କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଶମ୍ଭୁନାଥ ନନ୍ଦୀ ପ୍ରାଣୀ ସମ୍ପଦ ରୁ ନିର୍ଗତ ଉପାଦାନ ଗୋବର କୁ ଉପଯୋଗ କରି କିପରି ଆର୍ଥିକ ସ୍ୱାବଲମ୍ବୀ ହେଇପାରିବ ସେ ସମ୍ବନ୍ଧରେ କହିଥିଲେ। ଫୁଲବାଣୀ ଉପ-ଜିଲ୍ଲପାଳ ଶ୍ରୀ ଭିକାରୀ ସାହୁ ବୁଲାପ୍ରାଣୀଙ୍କ ସୁରକ୍ଷାର କଥା କହିଥିଲେ। ପଞ୍ଚଗବ୍ୟକୁ ପ୍ରକ୍ରିୟା କରଣକରି ଉତ୍ପାଦ ସୃଷ୍ଟି କରିଥିବା ଶ୍ରୀ ନିରଞ୍ଜନ ପାଣ୍ଡେ ଉପଯୋଗୀ ମତ ଦେଇଥିଲେ। ଫୁଲବାଣୀ ପୌରପାଳିକାର ଶ୍ରୀ ରସନ୍ କୁମାର ପ୍ରଧାନ, ଜୟପାଲ ବଳିଆର ସିଂ, ସଞ୍ଜୟ କୁମାର ବେହେରା ଯୋଗଦେଇ ପୌରପାଳିକା ଅଧିନସ୍ତ ଯୋଜନା ବା ସୁବିଧା କହିଥିଲେ। କିଛିଦିନ ହେବ “ଫିଡ୍-ଦ-ଭଏସଲେସ୍” ନାମକ ଏକ ଟିମ୍ ପ୍ରତ୍ୟେକଦିନ ରାତ୍ରିରେ ବୁଲାପ୍ରାଣୀଙ୍କୁ ଖାଦ୍ୟ ଦେବା ସହ ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗ ସହାୟତାରେ ରେଡିଅମ୍ ବେଲ୍ଟ, ଆବଶ୍ୟକୀୟ ଔଷଧ ଆଦି ସେବାକାର୍ଯ୍ୟ କରିଆସୁଛନ୍ତି । ସଂସ୍ଥାର ଆବାହକ ଶ୍ରୀ ଶିବ ସୁନ୍ଦର ସାହୁ ଓ ସଦସ୍ୟ ସୌରଭ ପଣ୍ଡା ଯୋଗଦେଇ ତାଙ୍କ ଯୁବ ସହଯୋଗୀଙ୍କ ସହ ମିଶି ଥଇଥାନ ତଥା ସୁରକ୍ଷାରେ ସମ୍ପୂର୍ଣ୍ଣ ସାହାଯ୍ୟ କରିବେ ବୋଲି ମତ ରଖିଥିଲେ। ଫୁଲବାଣୀ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅତିନିଲ ନାଇକା, ଆଞ୍ଚଳିକ ପରିବହନ ବିଭାଗ, ଫୁଲବାଣୀରୁ ପ୍ରଶାନ୍ତ କୁମାର ଦାସ, ସହ-ଜିଲ୍ଲା ଶିକ୍ଷା ଅଧିକାରୀ ମାନସ ରଞ୍ଜନ ଦାସ ବୈଠକରେ ଯୋଗ ଦେଇଥିଲେ। ସମସ୍ତଙ୍କୁ ଧନ୍ୟବାଦ ଦେଇ ବୈଠକ ସାଙ୍ଗ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande