କାଶତାଣ୍ଡି ଫୁଲରେ ଧରାପଡ଼ିଲା ଶରତର ଆଗମନ, ଦୁର୍ଗାପୂଜା ପାଇଁ ବଢ଼ିଲା ଉତ୍ସାହ
The blooming of Kash flowers heralds the arrival of autumn
କାଶତାଣ୍ଡି ଫୁଲରେ ଧରାପଡ଼ିଲା ଶରତର ଆଗମନ,


ଝାରସୁଗୁଡ଼ା, ୪ ସେପ୍ଟେମ୍ବର (ହି.ସ.)- ବର୍ଷା ଋତୁର ବିଦାୟ ସହ ଓଡ଼ିଶାର ବିଭିନ୍ନ ନଦୀକୂଳ, ପଡ଼ିଆ ଓ ଖୋଲା ଜମିରେ କାଶତାଣ୍ଡି ଫୁଲ ଫୁଟି ଧଳା ଚାଦର ପରି ପ୍ରକୃତିକୁ ସଜାଇ ଦେଇଛି। ପବନରେ ଦୋଳାୟମାନ ଏହି ଧଳା କାଶତାଣ୍ଡି ଫୁଲ ଶରତ ଋତୁର ଆଗମନର ବାର୍ତ୍ତା ବହନ କରିବା ସହ ଦୁର୍ଗାପୂଜାର ଆଗମନକୁ ମଧ୍ୟ ସୂଚିତ କରୁଛି। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ କାଶତାଣ୍ଡି ଫୁଲର ସୌନ୍ଦର୍ଯ୍ୟ ଲୋକଙ୍କୁ ଆକର୍ଷିତ କରୁଛି। ସକାଳ ଓ ସନ୍ଧ୍ୟା ସମୟରେ ଅନେକ ଲୋକ ଏହି ମନୋରମ ଦୃଶ୍ୟ ଉପଭୋଗ କରିବା ସହ ଫଟୋ ଓ ଭିଡିଓ ଉତୋଳନ କରୁଛନ୍ତି। ସୋସିଆଲ୍ ମିଡିଆରେ ମଧ୍ୟ କାଶତାଣ୍ଡି ଫୁଲର ବିଭିନ୍ନ ଚିତ୍ର ଏବେ ଭାଇରାଲ୍ ହେଉଛି।

ଧାର୍ମିକ ଓ ସାଂସ୍କୃତିକ ଦୃଷ୍ଟିରୁ କାଶତାଣ୍ଡି ଫୁଲର ସ୍ୱତନ୍ତ୍ର ମହତ୍ତ୍ୱ ରହିଛି। ଲୋକବିଶ୍ୱାସ ଅନୁଯାୟୀ, କାଶତାଣ୍ଡି ଫୁଲ ଫୁଟିବା ସହିତ ମା' ଦୁର୍ଗାଙ୍କ ମର୍ତ୍ତ୍ୟଲୋକ ଆଗମନର ପ୍ରସ୍ତୁତି ଆରମ୍ଭ ହୋଇଥାଏ। ଏହାକୁ ଶରତର ଶୁଭ ସଙ୍କେତ ଭାବେ ମଧ୍ୟ ଦେଖାଯାଏ। ଏହି ସମୟରୁ ପୂଜା ମଣ୍ଡପ ନିର୍ମାଣ, ପ୍ରତିମା ତିଆରି ଓ ବଜାରରେ କିଣାବିକା ଜୋର ଧରିଥାଏ । ପୂଜା କମିଟିଗୁଡ଼ିକ ମଧ୍ୟ ଶେଷ ପର୍ଯ୍ୟାୟର ପ୍ରସ୍ତୁତିରେ ବ୍ୟସ୍ତ ଥିବାବେଳେ ବ୍ୟବସାୟୀମାନେ ମଧ୍ୟ ପର୍ବକୁ ନେଇ ଆଶାବାଦୀ ରହିଛନ୍ତି। ବସ୍ତ୍ର, ସାଜସଜ୍ଜା ସାମଗ୍ରୀ ଓ ମିଠା ଦୋକାନଗୁଡ଼ିକରେ ଗ୍ରାହକଙ୍କ ଭିଡ଼ ଧୀରେ ଧୀରେ ବଢ଼ୁଛି।

ପରିବେଶପ୍ରେମୀମାନେ କହିଛନ୍ତି ଯେ, କାଶତାଣ୍ଡି ଫୁଲ କେବଳ ପ୍ରକୃତିର ସୌନ୍ଦର୍ଯ୍ୟର ପ୍ରତୀକ ନୁହେଁ, ବରଂ ନଦୀକୂଳର ପରିବେଶ ସନ୍ତୁଳନ ରକ୍ଷାରେ ମଧ୍ୟ ଏହାର ଗୁରୁତ୍ୱ ରହିଛି। ସେଥିପାଇଁ କାଶତାଣ୍ଡି ଫୁଲ ଅଞ୍ଚଳକୁ ସୁରକ୍ଷିତ ରଖିବା ସହ ପରିବେଶ ପ୍ରତି ସଚେତନ ରହିବାକୁ ସେମାନେ ଆହ୍ୱାନ ଜଣାଇଛନ୍ତି। କାଶତାଣ୍ଡିର ଧଳା ଫୁଲରେ ସଜ୍ଜିତ ହୋଇଥିବା ପ୍ରକୃତି ଏବେ ଶରତର ସ୍ୱାଗତ କରୁଥିବା ବେଳେ ଚାରିଆଡ଼େ ଦୁର୍ଗାପୂଜାର ଆଗମନୀ ସୁର ଲୋକଙ୍କ ମନରେ ନୂଆ ଉତ୍ସାହ ଓ ଆନନ୍ଦ ଭରି ଦେଇଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande