
ପ୍ରତ୍ୟେକ ଯାତ୍ରାକୁ ଅଧିକ ସୁରକ୍ଷିତ କରିବା ପାଇଁ ଜରୁରୀକାଳୀନ
ସହାୟତା ଏବେ ନିକଟତର
ୱାନ୍-କ୍ଲିକ୍ ଏସଓଏସ, ଲାଇଭ୍ ଲୋକେସନ୍
ସେୟାରିଂ ଏବଂ 'ଶେକ୍ ଆଣ୍ଡ୍ ଆଲର୍ଟ' ସୁବିଧା ପ୍ରତ୍ୟେକ ଯାତ୍ରାକୁ କରିବ ସୁରକ୍ଷିତ*
ଭୁବନେଶ୍ୱର, ୪ ସେପ୍ଟେମ୍ୱର (ହି.ସ)
- ସ୍ୱାୟତ୍ତ ଶାସନ ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ 'ଓଡ଼ିଶା ଯାତ୍ରୀ ସୁରକ୍ଷା ଆପ୍'ର ଶୁଭାରମ୍ଭ କରିଛନ୍ତି।
ଓଡ଼ିଶାରେ ସୁରକ୍ଷିତ, ସ୍ମାର୍ଟ ଏବଂ
ନାଗରିକ-କୈନ୍ଦ୍ରିକ ସହରୀ ଯାତାୟାତ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ. କୃଷ୍ଣଚନ୍ଦ୍ର
ମହାପାତ୍ର ଏବଂ ଓଡ଼ିଶା ଯାତ୍ରୀର ବ୍ରାଣ୍ଡ ଆମ୍ବାସାଡର, ବିଶିଷ୍ଟ
ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ଉପସ୍ଥିତିରେ ଲୋକାର୍ପିତ ହୋଇଥିବା ଏହି ସୁରକ୍ଷା ପଦକ୍ଷେପ, ଓଡ଼ିଶା ଯାତ୍ରୀ ପ୍ଲାଟଫର୍ମ ମାଧ୍ୟମରେ ଏକ
ସମ୍ପୂର୍ଣ୍ଣ ଜରୁରୀକାଳୀନ ପ୍ରତିକ୍ରିୟା ସୁବିଧା ଯୋଗାଇଦେଉଛି।
ସାଧାରଣତଃ ଅଧିକାଂଶ ସୁରକ୍ଷା ଫିଚର ପାଇଁ ବ୍ୟବହାରକାରୀଙ୍କୁ ଏସଓଏସବଟନ୍ ଖୋଜିବାକୁ ପଡ଼ିଥାଏ, ଫୋନ୍ ଅନଲକ୍ କରି
ବିଭିନ୍ନ ସ୍କ୍ରିନ୍ ମାଧ୍ୟମରେ ଯିବାକୁ ପଡ଼ିଥାଏ। କିନ୍ତୁ ଓଡ଼ିଶା ଯାତ୍ରୀ ଏକ ଭିନ୍ନ ଓ ସହଜ
ପଦ୍ଧତି ଆପଣେଇଛି। 'ଶେକ୍ ଆଣ୍ଡ୍ ଆଲର୍ଟ' ସୁବିଧା ମାଧ୍ୟମରେ, ବ୍ୟବହାରକାରୀମାନେ
କେବଳ ସେମାନଙ୍କ ଫୋନ୍କୁ ହଲେଇଜରୁରୀକାଳୀନ ଆଲର୍ଟ
ପଠାଇପାରିବେ—ଯାହାଦ୍ୱାରା ଭୟଭୀତ ଥିବା ସମୟରେ କିମ୍ବା ଆପ୍କୁ ବ୍ୟବହାର କରିବାରେ ଅସମର୍ଥ ହେଲେ
ମଧ୍ୟ ସେମାନେ ତୁରନ୍ତ ସହାୟତା ପାଇପାରିବେ।
ଏହି ଆପ୍ରେ ୱାନ୍-କ୍ଲିକ୍ SOS ସୁବିଧା ମଧ୍ୟ
ରହିଛି, ଯାହା ମାଧ୍ୟମରେ ଯାତ୍ରୀମାନେ ତୁରନ୍ତ ଜରୁରୀକାଳୀନ
ନମ୍ବର ୧୧୨ କୁ କଲ୍ କରିପାରିବେ ଏବଂ ସେମାନଙ୍କର ମନୋନୀତ ଜରୁରୀକାଳୀନ ସମ୍ପର୍କୀୟଙ୍କୁ ସୂଚନା
ଦେଇପାରିବେ। ବ୍ୟବହାରକାରୀମାନେ ସେମାନଙ୍କର ବିଶ୍ୱସ୍ତ ବ୍ୟକ୍ତିଙ୍କ ସହ ଲାଇଭ୍ ଲୋକେସନ୍ ସେୟାର
କରିପାରିବେ, ଯାହା ଦ୍ୱାରା ସେମାନଙ୍କ ଯାତ୍ରାର ସମୟାନୁବର୍ତ୍ତୀ
ମନିଟରିଂ କରାଯାଇପାରିବ।
ଏହି ସୁରକ୍ଷା ମୋଡ୍ୟୁଲଟି କେବଳ ଯାତ୍ରୀଙ୍କ ପାଇଁ ନୁହେଁ, ବରଂ ଚାଳକ (ଡ୍ରାଇଭର) ମାନଙ୍କ ପାଇଁ ମଧ୍ୟ ପ୍ରସ୍ତୁତ
କରାଯାଇଛି। କାରଣ ଗାଡ଼ି ଭିତରେ କିଛି ଅସୁବିଧା ହେଲେ, ସମସ୍ତଙ୍କ ପାଇଁ
ଏପରି ଏକ ସୁରକ୍ଷା ବ୍ୟବସ୍ଥା ରହିବା ଉଚିତ୍ ଯାହା ପ୍ରକୃତ ବିପଦ ସମୟରେ କାର୍ଯ୍ୟକାରୀ
ହୋଇପାରିବ।
ଅନ୍ୟାନ୍ୟ ପ୍ରମୁଖ ଫିଚରଗୁଡ଼ିକ:
ୱାନ୍-କ୍ଲିକ୍ ଏସଓଏସଏବଂ ଜରୁରୀକାଳୀନ
ସହାୟତା
ଗୋପନୀୟ ଭାବେ ଏସଓଏସ ସକ୍ରିୟ କରିବା ପାଇଁ 'ଶେକ୍ ଆଣ୍ଡ୍ ଆଲର୍ଟ'
ବିଶ୍ୱସ୍ତ ସମ୍ପର୍କୀୟଙ୍କ ସହ ଲାଇଭ୍ ଲୋକେସନ୍ ସେୟାରିଂ
ପୋଲିସ୍, ଆମ୍ବୁଲାନ୍ସ ଏବଂ
ଅଗ୍ନିଶମ ସେବା ପାଇଁ ତୁରନ୍ତ ସୁବିଧା
ଜରୁରୀକାଳୀନ ସମୟରେ ଅଡିଓ ରେକର୍ଡିଂ ଏବଂ ସେୟାରିଂ
ବିଶ୍ୱସ୍ତ ସମ୍ପର୍କୀୟଙ୍କୁ ଯୋଡ଼ିବାର ସୁବିଧା
ଯାତ୍ରୀ ନିରାପଦରେ ପହଞ୍ଚିବା ପରେ ଆଲର୍ଟ ବନ୍ଦ କରିବା ପାଇଁ 'ମାର୍କ ରାଇଡ୍ ଏଜ୍ ସେଫ୍' ସୁବିଧାତୁରନ୍ତ
ଯୋଗାଯୋଗ ପାଇଁ ଗୋଟିଏ ସ୍ଥାନରେ ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବରଗୁଡ଼ିକର ଉପଲବ୍ଧତା ଏହି
ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସାଧାରଣ ଯାତାୟାତକୁ ଅଧିକ ସୁରକ୍ଷିତ, ନିର୍ଭରଯୋଗ୍ୟ ଏବଂ ସମାବେଶୀ କରିବା, ବିଶେଷ କରି ମହିଳା, ବରିଷ୍ଠ ନାଗରିକ
ଏବଂ ଅନ୍ୟାନ୍ୟ ସଂବେଦନଶୀଳ ଯାତ୍ରୀଙ୍କ ପାଇଁ।
ଏହି ଆପ୍ର ଉନ୍ମୋଚନ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ
ମାଝୀ କହିଛନ୍ତି ଯେ, ନାଗରିକ-ଅନୁକୂଳ
ଏବଂ ସମୃଦ୍ଧ ସହର ଗଠନ ପାଇଁ ସୁରକ୍ଷିତ, ସୁଗମ ଓ
ନିର୍ଭରଯୋଗ୍ୟ ଯାତାୟାତ ଅତ୍ୟନ୍ତ ଆବଶ୍ୟକ। ଜନସାଧାରଣଙ୍କ ବିଶ୍ୱାସ ବୃଦ୍ଧି କରିବା ଏବଂ
ପ୍ରତ୍ୟେକ ନାଗରିକ, ବିଶେଷ କରି
ପ୍ରତ୍ୟେକ ମହିଳା ଯେପରି ସ୍ୱାଧୀନ ଭାବରେ ଓ ବିନା ଭୟରେ ଯାତ୍ରା କରିପାରିବେ, ତାହା ନିଶ୍ଚିତ କରିବା ପାଇଁ ପ୍ରଯୁକ୍ତିବିଦ୍ୟାର
ବ୍ୟବହାର କରାଯିବା ଉଚିତ୍ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି।
ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ. କୃଷ୍ଣଚନ୍ଦ୍ର
ମହାପାତ୍ର କହିଛନ୍ତି ଯେ, ଏହି ପଦକ୍ଷେପ
ନାଗରିକଙ୍କ ସୁରକ୍ଷା, ସମ୍ମାନ ଏବଂ
ସୁବିଧାକୁ କେନ୍ଦ୍ର କରି ଏକ ଆଧୁନିକ ନଗର ଯୋଗାଯୋଗ ବ୍ୟବସ୍ଥା ବିକଶିତ କରିବା ପାଇଁ ଓଡ଼ିଶା
ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି।
ଓଡ଼ିଶା ଯାତ୍ରୀର ବ୍ରାଣ୍ଡ ଆମ୍ବାସାଡର ଅର୍ଚ୍ଚିତା ସାହୁ
ନାଗରିକମାନଙ୍କୁ, ବିଶେଷ କରି ମହିଳା ଓ ଯୁବବର୍ଗଙ୍କୁ ଓଡ଼ିଶା ଯାତ୍ରୀ
ପ୍ଲାଟଫର୍ମ ବ୍ୟବହାର କରିବା ସହ ଏହାର ସୁରକ୍ଷା ଫିଚରଗୁଡ଼ିକ ବିଷୟରେ ଅବଗତ ହେବାକୁ ଅନୁରୋଧ
କରିଛନ୍ତି। ଏହି ପଦକ୍ଷେପ କିପରି ଯାତ୍ରୀମାନଙ୍କ ହାତରେ ସିଧାସଳଖ ତୁରନ୍ତ ସହାୟତା ଏବଂ
ଜରୁରୀକାଳୀନ ସୁରକ୍ଷା ସୁବିଧା ପହଞ୍ଚାଉଛି, ସେ ସମ୍ପର୍କରେ ସେ
ଆଲୋକପାତ କରିଛନ୍ତି।
ଓଡ଼ିଶା ଯାତ୍ରୀ ଏକ ସମନ୍ୱିତ ପରିବହନ ପ୍ଲାଟଫର୍ମ ଭାବରେ ଉଭା ହେଉଛି, ଯାହା ରାଇଡ୍ ବୁକିଂ, ଆମ ବସ୍ ସେବା, ଫାଷ୍ଟଟିକେଟ୍ ସ୍ପଟ୍
ବୁକିଂ ଏବଂ ବୋଟିଂ ସୁବିଧା ଭଳି ଏକାଧିକ ସେବା ଯୋଗାଇ ଦେଉଛି। ଏହି ନୂତନ ଏବଂ ଉନ୍ନତ ସୁରକ୍ଷା
ମୋଡ୍ୟୁଲ୍ ସଂଯୋଗ ହେବା ଦ୍ୱାରା, ଏହି ପ୍ଲାଟଫର୍ମ
ସମଗ୍ର ଓଡ଼ିଶାରେ ଏକ ସୁବିଧାଜନକ, ସୁଲଭ ଏବଂ
ସୁରକ୍ଷିତ ଯାତ୍ରା ଅନୁଭୂତି ପ୍ରଦାନ କରିବାର ଲକ୍ଷ୍ୟକୁ ଆହୁରି ସୁଦୃଢ଼ କରୁଛି।
ନୂତନ ସୁରକ୍ଷା ଫିଚରଗୁଡ଼ିକର ସୁବିଧା ନେବା ପାଇଁ ନାଗରିକମାନେ 'ଓଡ଼ିଶା ଯାତ୍ରୀ ଆପ୍' ଡାଉନଲୋଡ୍ କିମ୍ବା ଅପଡେଟ୍
କରିପାରିବେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା