
ପୁରୀ, ୪ ସେପ୍ଟେମ୍ବର (ହି.ସ.)- ପର୍ଯ୍ୟଟନ ତୀର୍ଥକ୍ଷେତ୍ର ନଗରରେ ନିଶା ବେପାରୀଙ୍କ ରାଜୁତି ବୃଦ୍ଧି ପାଇବାରେ ଲାଗିଛି । ଶୁକ୍ରବାର ସକାଳୁ ପୋଲିସ କୌଣସି ସୂତ୍ରରୁ ଖବରପାଇ ଗଞ୍ଜେଇ ମହଜୁଦ ଥିବା ସ୍ଥାନରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି । ୧୭୬ ଗଞ୍ଜେଇ ପ୍ଯାକେଟରେ ପ୍ରାୟ ୧ କ୍ୟୁଣ୍ଟାଲ ୮୩ କେଜି ଗଞ୍ଜେଇ ଜବତ ହୋଇଛି । ଘଟଣାରେ ଟିକରପଡା ମହାନ୍ତି ସାହିର କାର୍ତ୍ତିକ ସାମନ୍ତରାୟ ଓ ତାଙ୍କ ସହଯୋଗୀ ସିଦ୍ଧ ମହାବୀରର ଦେବେନ୍ଦ୍ର କୁମାର ସାହୁଙ୍କୁ ପୋଲିସ ଅଟକ ରଖି ପଚରା ଉଚରା କରୁଛି ।
କାର୍ତ୍ତିକ ସାମନ୍ତରାୟ ଗୋପାଳପୁର ରଖିଥିବା ଭଡା ଘରୁ ଏହି ଗଞ୍ଜେଇ ଜବତ ହୋଇଛି । ଟିକରପଡା ସ୍ଥିତ ପୈତୃକ ଘରେ ପୋଲିସ ଚଢଉ କରି ପୁଳା ପୁଳା ଟଙ୍କା ଜବତ କରିଛି । ଏହା ସହ ସୁନାଗହଣା, ବ୍ଯାଙ୍କ ଆକାଉଣ୍ଟ ଓ ପ୍ଯାନ କାର୍ଡ କୁ ପୋଲିସ ଜବତ କରିଛି । ଅଭିଯୁକ୍ତ କାର୍ତ୍ତିକ କନ୍ଧମାଳ ଓ କୋରାପୁଟରୁ ଗଞ୍ଜେଇ ଆଣି ପୁରୀରେ ବେପାର କରୁଥିବା ଅଭିଯୋଗ ରହିଥିଲା । ଏତେ ପରିମାଣର ଗଞ୍ଜେଇ ପୁରୀରେ କିପରି ବେପାର ହେଉଥିଲା ଅବକାରୀ ବିଭାଗ ଓ ପୋଲିସ ନଜରରେ ପଡିନଥିଲା ତାକୁ ନେଇ ଜନତାଙ୍କ ସନ୍ଦେହ ବୃଦ୍ଧି ପାଇଛି । ଟଙ୍କାକୁ ମେସିନ ସାହାଯ୍ଯରେ ଗଣାଯାଉଛି । ପୁରୀରେ ବାରମ୍ବାର ପୋଲିସ ବିଭିନ୍ନ ସ୍ଥାନରୁ ନିଶା ଦ୍ରବ୍ଯ ଜବତ କରୁଥିଲେ ମଧ୍ୟ ପୁଣି କିପରି ନିଶା କାରବାର ବୃଦ୍ଧି ପାଉଛି ତାକୁ ନେଇ ବୁଦ୍ଧିଜୀବୀ ଚିନ୍ତା ପ୍ରକଟ କରିଛନ୍ତି । ଅବକାରୀ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ବେଳେ ଦେଶୀ ମଦ, ପୋଚ, ନକଲି ବିଦେଶୀ ମଦ ଚୋରା ମଦ କାରବାର, କୋରସ୍କ ଗଞ୍ଜା ଓ ଧଳାଜହର କାରବାର ସହରରେ ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି ।
ହିନ୍ଦୁସ୍ଥାନ ସମାଚାର / ବିଜୟ