ଭଦ୍ରକ, ୧୩ ଅକ୍ଟୋବର (ହି.ସ.) - ଏହି ଜିଲାର ବନ୍ତ ପୁରୁଣା ବଜାର ଠାରେ ଅଢେଇଶହ ବର୍ଷର ସର୍ବପୁରାତନ ତଥା ସାର୍ବଜନୀନ ଶାରଦୀୟ ଦୁର୍ଗା ପୂଜା ଆରମ୍ଭ ହୋଇଛି । ସାର୍ବଜନୀନ ଦୁର୍ଗାପୂଜା କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ଏହି ପୂଜାର ପ୍ରାରମ୍ଭ ଦିବସରେ ଲକ୍ଷ୍ମୀନାରାୟଣ ପାଣି ଓ ସୁଶୀଲ କୁମାର ଦାଶ ବଜାରସ୍ଥିତ ମଳିକ ପୋଖରୀରୁ କଳସ ଆଣିବା ପରେ ଘଟସ୍ଥାପନା କରାଯାଇଥିଲା । ଶୁକ୍ରବାର ଅଷ୍ଟମୀ ବିହିତ ପୂଜା ଓ ସନ୍ଧି ପୂଜା, ଶନିବାର ନବମୀ ବିହିତ ପୂଜା, ବଳି ଉତ୍ସର୍ଗ, ରବିବାର ଦଶମୀ ବିହିତ ପୂଜା, ଅପରାଜିତା ପୂଜା ଓ ପୂର୍ଣ୍ଣାହୂତି ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପଣ୍ଡିତ ନିରଞ୍ଜନ ମିଶ୍ର, ପ୍ରକାଶ ଚନ୍ଦ୍ର ଦେବତା, ଗଙ୍ଗାଧର ପାଣି ଠାକୁରଙ୍କ ରିତୀ ନତି ଅନୁଯାୟୀ ପୂଜାର୍ଚ୍ଚନା କରିଛନ୍ତି ।ି ଦର୍ଶକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ପୂଜା ମଣ୍ଡପକୁ ସୁସଜ୍ଜିତ କରିବା ସହିତ ସୁଉଚ୍ଚ ତୋରଣ ନିର୍ମାଣ କରାଯାଇ ରଂଗୀବେରଙ୍ଗୀ ଆଲୋକମାଳାରେ ବଜାର ଅଂଚଳକୁ ସଜ୍ଜା ଯାଇଛି । ମା’ଙ୍କୁ ଦର୍ଶନ କରିବା ସହିତ ପୂଜା ବୁଲିବା ପାଇଁ ବନ୍ତ ସମେତ ଆଖପାଖ ପଂଚାୟତରୁ ଶହ ଶହ ସଂଖ୍ୟାରେ ଭକ୍ତ ଏଠାରେ ରୁଣ୍ଡିଭୂତ ହେଉଛନ୍ତି । ପୂଜା ମଣ୍ଡପରେ ପ୍ରତ୍ୟେହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଶାନ୍ତିଶୃଂଙ୍ଖଳା ରକ୍ଷା ପାଇଁ ବନ୍ତ ପୋଲିସ ପକ୍ଷରୁ କର୍ମଚାରୀ ମୁତୟନ କରାଯାଇଛି ି । ପୂଜା କମିଟିର ସଭାପତି କେଦାରନାଥ ମହାନ୍ତି, ସମ୍ପାଦକ ବିଜୟ କୁମାର ମଜୁମଦାର, ଉପ-ସଭାପତି ସଞ୍ଜୟ କୁମାର ନାୟକ, ସହ-ସଂପାଦକ କୃପାସିନ୍ଧୁ ସେଠୀ, ଆଲୋକ ରଞ୍ଜନ ମୁଖାର୍ଜି ଙ୍କ ସମେତ ବନ୍ତ ଗ୍ରାମବାସୀ ମାନେ ପୂଜା କାର୍ଯ୍ୟରେ ସହଯୋଗ କରୁଛନ୍ତି । ଭସାଣୀ ପରେ ଯାତ୍ରା ପରିବେଷଣ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି ।
ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ