ଭଦ୍ରକ, ୨୦ ନଭେମ୍ବର (ହି.ସ.) - ଭଦ୍ରକର ବହୁ ଚର୍ଚ୍ଚିତ ବନ୍ଧଗାଁ ପଂଚାୟତର ପୂର୍ବତନ ସରପଂଚ ତଥା ଆମ୍ବରୋଳି ସମବାୟ ସମିତିର ସଭାପତି ଚିତରଂଜନ ରାଉତ (ନାଲୁ)ଙ୍କ ହତ୍ୟା ଘଟଣାରେ ପୁଲିସ୍ ଶେଷରେ ୪ ଜଣଙ୍କୁ ଅଟକ ରଖିଥିବାବେଳେ ଏଥିରେ ବ୍ୟବହୃତ ମାରଣାସ୍ତ୍ର (କାତି), ଚପଲ ଓ ମୋବାଇଲ୍ କୁ ଆଜି ଚରମ୍ପା ତଳାଙ୍ଗ କେନାଲ ବନ୍ଧର ଝାଟିଆ ନିକଟ ଏକ ବାଉଁଶ ବୁଦା ମୂଳରୁ ଜବତ କରିଛ। ତେବେ ଏହି ହତ୍ୟାକାଣ୍ଡର ସମସ୍ତ ରହସ୍ୟ ଉପରୁ ଏବେ ପରଦା ହଟିଥିଲେ ମଧ୍ୟ ଅଧିକ ତଦନ୍ତ ପାଇଁ ପୁଲିସ୍ ଆସନ୍ତାକାଲି ହତ୍ୟାର ସମସ୍ତ କାରଣ ପ୍ରକାଶ କରିବ ବୋଲି ଜଣାପଡିଛି। ପୁଲିସ୍ ଆଜି ଅଭିଯୁକ୍ତଙ୍କଙ୍କୁ ହତ୍ୟାକାଣ୍ଡରେ ବ୍ୟବହୃତ ଉପରୋକ୍ତ ସାମଗ୍ରୀ ଉଦ୍ଧାର କରିଛି। ଏଠାରେ ସୂଚନାଯୋଗ୍ୟ ଗତ ୧୨ ତାରିଖ ଦିନ ପୂର୍ବତନ ସରପଂଚ ଚିତରଂଜନ (ନାଲୁ) ପଡୋଶୀ ଗ୍ରାମର ଅଷ୍ଟ୍ରପହରୀକୁ ଯାଇ ସେ ଘରକୁ ଫେରିନଥିଲେ। ତାଙ୍କ ପରିବାର ପକ୍ଷରୁ ବହୁ ଖୋଜିବା ପରେ ପରଦିନ ଅର୍ଥାତ୍ ୧୩ ତାରିଖ ସକାଳୁ ଘର ନିକଟ ଏକ ଧାନବିଲ ନାଳ ପାଶ୍ୱର୍ରୁ ତାଙ୍କର କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଥିଲା। ତାଙ୍କ ପରିବାର ପକ୍ଷରୁ ଗ୍ରାମାଂଚଳ ଥାନାରେ ହତ୍ୟା ମାମଲା ରୁଜୁ ପରେ ପୁଲିସ୍ ତଦନ୍ତ ଆରମ୍ଭ କରିଦେଇଥିଲା। ୧୪ ତାରିଖ ଦିନ ଚିତରଂଜନଙ୍କ ମୃତଦେହ ମିଳିଥିବା ସ୍ଥାନରୁ ପ୍ରାୟ ୨ ଶହ ମିଟର ଦୂର ଏକ ସରକାରୀ ପୋଖରୀରୁ ଗ୍ରାମବାସୀମାନେ ଦମକଳ ବାହିନୀ ସହାୟତାରେ ହତ୍ୟାରେ ବ୍ୟବହୃତ ପଲସର ବାଇକ୍କୁ ପୁଲିସ୍ ଉପସ୍ଥିତିରେ ଉଦ୍ଧାର ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ