ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଯୁବ ରେଡକ୍ରସ ୟୁନିଟ ଉଦ୍ ଘାଟନ ଓ ରକ୍ତଦାନ ଶିବିର ଅନୁଷ୍ଠିତ
ଜୟପୁର , 20 ନଭେମ୍ବର (ହି.ସ.)ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଯୁବ ରେଡକ୍ରସ ୟୁନିଟ୍ ଉଦ୍ ଘାଟିତ ହେବା ସହ ବିଶ୍ୱବିଦ୍ୟାଳୟର ସୁନାବେଡ଼ା ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ (ଏସଏଲଏନଏମସିଏଚ)ର ବ୍ଲଡ ବ୍ୟାଙ୍କ ସ
ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଯୁବ ରେଡକ୍ରସ ୟୁନିଟ ଉଦ୍ ଘାଟନ ଓ ରକ୍ତଦାନ ଶିବିର ଅନୁଷ୍ଠିତ


ଜୟପୁର , 20 ନଭେମ୍ବର (ହି.ସ.)ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଯୁବ ରେଡକ୍ରସ ୟୁନିଟ୍ ଉଦ୍ ଘାଟିତ ହେବା ସହ ବିଶ୍ୱବିଦ୍ୟାଳୟର ସୁନାବେଡ଼ା ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ (ଏସଏଲଏନଏମସିଏଚ)ର ବ୍ଲଡ ବ୍ୟାଙ୍କ ସେଣ୍ଟର ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ତଥା ଭାରପ୍ରାପ୍ତ କୁଳସଚିବ ପ୍ରଫେସର ନରସିଂହ ଚରଣ ପଣ୍ଡା କାର୍ଯ୍ୟକ୍ରମକୁ ଉଦ୍ ଘାଟନ କରିବା ସହ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କୋରାପୁଟ ଯୁବ ରେଡକ୍ରସ ୟୁନିଟ୍ ର ଜିଲ୍ଲା ସଂଯୋଜକ ଡ. ନରେଶ ଚନ୍ଦ୍ର ସାହୁ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ ଅର୍ଥନୀତିର ସହକାରୀ ପ୍ରଫେସର ତଥା ବିଶ୍ୱବିଦ୍ୟାଳୟ ଯୁବ ରେଡକ୍ରସ ୟୁନିଟ୍ ର ନୋଡାଲ ଅଫିସର ଡ. ପ୍ରଶାନ୍ତ କୁମାର ବେହେରା ସ୍ୱାଗତ ଭାଷଣ ଦେଇଥିଲେ।

ପ୍ରଫେସର ପଣ୍ଡା ତାଙ୍କ ଅଭିଭାଷଣରେ ଏହି ପଦକ୍ଷେପକୁ ପ୍ରଶଂସା କରିବା ସହ ଛାତ୍ରଛାତ୍ରୀଙ୍କୁ ମାନବିକ କାର୍ଯ୍ୟରେ ସକ୍ରିୟ ଭାବେ ନିୟୋଜିତ ହେବାକୁ ଆହ୍ୱାନ ଦେଇଥିଲେ। ବିଶେଷ କରି କୋରାପୁଟ ଭଳି ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଯେଉଁଠାରେ ସ୍ୱାସ୍ଥ୍ୟ ସେବା ସମ୍ବଳ ସୀମିତ ରହିଛି ସେଠାରେ ରକ୍ତଦାନର ମହତ୍ତ୍ୱ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଏଭଳି କାର୍ଯ୍ୟକ୍ରମ କିପରି ଯୁବକମାନଙ୍କ ମଧ୍ୟରେ ମାନବୀୟ ମୂଲ୍ୟବୋଧ ଏବଂ ସାମାଜିକ ଦାୟିତ୍ୱବୋଧକୁ ପ୍ରୋତ୍ସାହିତ କରେ ସେ ବିଷୟରେ ମଧ୍ୟ ସେ ଆଲୋକପାତ କରିଥିଲେ।

ଡାକ୍ତର ସାହୁ ନୂତନ ଭାବେ ସାମିଲ ହୋଇଥିବା ୱାଇଆରସି ସ୍ୱେଚ୍ଛାସେବୀମାନଙ୍କ ପାଇଁ ଏକ ଆକର୍ଷଣୀୟ ଅଧିବେଶନ ପରିଚାଳନା କରିଥିଲେ ଏବଂ ରେଡକ୍ରସର ଇତିହାସ ଏବଂ ନୀତି ଉପରେ ଆଲୋକପାତ କରିଥିଲେ। ବିଶେଷ କରି ଡେଙ୍ଗୁ ଭଳି ରୋଗ ର ମୁକାବିଲା ପାଇଁ ରକ୍ତଦାନ ଶିବିର ଆୟୋଜନ ରେ ଯୁବବର୍ଗଙ୍କ ନେତୃତ୍ବାଧୀନ ମାନବୀୟ ପ୍ରୟାସର ଗୁରୁତ୍ୱ ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ରକ୍ତଦାନ ଶିବିରରେ ପ୍ରଥମ ଥର ରକ୍ତଦାତାଙ୍କ ସମେତ ୧୨୩ ଜଣ ଅଂଶଗ୍ରହଣ କରିଥିଲେ। ଅଧ୍ୟାପକ, କର୍ମଚାରୀ, ଗବେଷଣା ବିଦ୍ୟାର୍ଥୀ ଏବଂ ଛାତ୍ରଛାତ୍ରୀ, ବିଶେଷକରି ମହିଳା ଅଂଶଗ୍ରହଣକାରୀମାନେ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଯୋଗଦାନ କରିଥିଲେ ବୋଲି ବିଶ୍ବବିଦ୍ୟାଳୟର ଲୋକସମ୍ପର୍କ ଅଧିକାରୀ ଡ. ଫଗୁଣତଃ ଭୋଇ ସୂଚନା ଦେଇଛନ୍ତି । ଏହି ଶିବିରକୁ ଏସ୍ ଏଲ୍ ଏନ୍ ଏମ୍ ସିଏଚ୍ ର ରକ୍ତ କେନ୍ଦ୍ର ଅଧିକାରୀ ଡାକ୍ତର ଏମ୍ ଏସ୍ ବଳିଆରସିଂହଙ୍କ ତତ୍ତ୍ୱାବଧାନରେ ଭି.ଗଙ୍ଗାଧର ଓ ରଣଜିତ ସାହୁଙ୍କ ସମେତ ତାଙ୍କ ଟିମ୍ ରକ୍ତ ସଂଗ୍ରହ କୁ ସୁଚାରୁ ଓ ଦକ୍ଷ ଭାବେ ପରିଚାଳନା କରିଥିଲେ।

ବିଶ୍ବବିଦ୍ୟାଳୟରେ ନିକଟରେ ସ୍ଥାପିତ ଯୁବ ରେଡକ୍ରସ ୟୁନିଟ୍ ର ସ୍ୱେଚ୍ଛାସେବୀମାନେ ଏହି କାର୍ଯ୍ୟକ୍ରମ ଆୟୋଜନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏବଂ ସେମାନଙ୍କର ସମର୍ପଣ ଏବଂ ଦଳଗତ କାର୍ଯ୍ୟ ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମ ସଫଳତାର ସହ ଶେଷ ହୋଇ ବିଶ୍ୱବିଦ୍ୟାଳୟ ସମୁଦାୟ ଉପରେ ଏକ ସ୍ଥାୟୀ ଛାପ ପକାଇବା ସହ ଯୁବପିଢ଼ିଙ୍କ ମଧ୍ୟରେ ସମାଜସେବା ଓ ମାନବିକତାର ଭାବନାକୁ ସୁଦୃଢ଼ କରିଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ପବନ


 rajesh pande