ଚମ୍ପୁଆ, ୦୭ ନଭେମ୍ବର(ହି.ସ.) – ଚମ୍ପୁଆ ବ୍ଲକ ଭଣ୍ଡା ପଂଚାୟତ ଅନ୍ତର୍ଗତ ସୁନାରିପଶି ଗ୍ରାମର ପଦ୍ମଲୋଚନ ମହାନ୍ତ ଗୁଜୁରାଟ ଗାନ୍ଧୀଧାମରେ ଏକ ଘୋରେଇ କମ୍ପାନୀରେ କାର୍ଯ୍ୟରତ ଥିଲେ। ସେଠାରେ ସେ ଏକ ଭଡାଘରେ ସସ୍ତ୍ରୀକ ଅବସ୍ଥାନ କରୁଥିବା ବେଳେ ପଦ୍ମଲୋଚନ କମ୍ପାନୀକୁ ଡ଼ିଉଟିରେ ଯାଇଥିବା ସମୟରେ ତାଙ୍କ ପତ୍ନୀ ପଲ୍ଲୀଶ୍ରୀ ମହାନ୍ତ(୩୨) ଅକସ୍ମାତ ମୁର୍ଚ୍ଛା ଯାଇ ଉପର ମହଲା ସିଡ଼ିରୁ ଗଡିପଡିବା ଫଳରେ ଛାତିରେ ଆଘାତ ଲାଗିବା ଯୋଗୁ ସଜ୍ଞା ହରାଇ ବସିଥିଲେ। ତାଙ୍କୁ ଷ୍ଟାରଲିଙ୍ଗ ରାମକୃଷ୍ଣନ ସୁପର ସ୍ପେସିଆଲଟି ହସପିଟାଲରେ ଚିକିତ୍ସା ପାଇଁ ନିଆଯାଇଥିଲା। ଦୀର୍ଘଦିନ ଚିକିତ୍ସା ପରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟରେ କୌଣସି ଉର୍ନ୍ନତି ଆସି ନ ଥିଲା। ହସପିଟାଲ ଆଇସିୟୁରେ ଚିକିତ୍ସିତ ଅବସ୍ଥାରେ ଗତ ୪ ତାରିଖ ମଙ୍ଗଳବାର ଦିନ ତାଙ୍କ ଅକାଳ ମୃତ୍ୟୁ ଘଟିଥିଲା। ଚିକିତ୍ସାରେ ଲକ୍ଷାଧିକ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚାନ୍ତ ହୋଇଥିବାରୁ ତାଙ୍କ ମୃତ ଦେହକୁ ଗୁଜୁରାଟରୁ ଓଡିଶା କେନ୍ଦୁଝର ଜନ୍ମସ୍ଥାନକୁ ଆଣିବାରେ ସମସ୍ୟା ସୃଷ୍ଟି ହୋଇଥିଲା। ତେବେ ଏ ସମ୍ପର୍କରେ ରାଜ୍ୟ ପ୍ରଶାସନକୁ ତାଙ୍କ ପରିବାର ଲୋକେ ଅବଗତ କରାଇବାରୁ ରାଜ୍ୟ ସରକାରଙ୍କ ଓଡିଶା ପରିବାର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦେଶକ ବିଜୟ କେତନ ଉପାଧ୍ୟାୟଙ୍କ ନିର୍ଦେଶ କ୍ରମେ ପଲ୍ଲୀଶ୍ରୀ ମହାନ୍ତଙ୍କ ମୃତଦେହ ଗ୍ରାମକୁ ପହଂଚିବା ପରେ ଚମ୍ପୁଆ ବ୍ଲକ ପ୍ରଶାସନ ତରଫରୁ ପଲ୍ଲୀଶ୍ରୀଙ୍କ ସ୍ୱାମୀ ପଦ୍ମଲୋଚନ ମହାନ୍ତଙ୍କୁ ରେଡକ୍ରସରୁ ଦଶ ହଜାର ଆର୍ôଥକ ସହାୟତା ଅତିରିକ୍ତ ତହସିଲଦାର ପ୍ରତୀକ୍ଷା ପ୍ରିୟଦର୍ଶିନୀ, ରାଜସ୍ୱ ନିରୀକ୍ଷକ ସାର୍ଥକ ବାରିକ, ସୁପରଭାଇଜର ଶୁଭକାନ୍ତ କର ପ୍ରମୁଖ ଉପସ୍ଥିତ ରହି ପ୍ରଦାନ କରିଥିବାବେଳେ ଭଣ୍ଡା ସରପଂଚ ନୟନ ନାଏକ ହରିଶ୍ଚନ୍ଦ୍ର ଯୋଜନାରେ ୩ ହଜାର ଟଙ୍କା ଅର୍ଥରାଶି ପ୍ରଦାନ କରିଛନ୍ତି। ପଲ୍ଲୀଶ୍ରୀଙ୍କ ମୃତଦେହ ଗ୍ରାମ ସୁନାରିପଶିକୁ ପହଂଚିଲା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ତାଙ୍କ ମୃତ୍ୟୁରେ ଗ୍ରାମ ତଥା ଅଂଚଳରେ ଗଭୀର ଶୋକ ପ୍ରକାଶ ପାଇଛି। ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ସ୍ୱକ୍ଷମୀ ପଦ୍ମଲୋଚନ ଓ ଏକମାତ୍ର ୧୨ ବର୍ଷର ପୁଅ ଡେନିସ ମହାନ୍ତ ଉପସ୍ଥିତ ଥିଲେ। ଗ୍ରାମ ସ୍ମଶାନରେ ତାଙ୍କ ଦାହ ସଂସ୍କାର କରାଯାଇ ଥିବାବେଳେ ତାଙ୍କ ପୁତ୍ର ଡେନିସ ମହାନ୍ତ ମୁଖାଗ୍ନି ଦେଇଥିଲେ। ପଲ୍ଲୀଙ୍କ ଶବ ଶୋଭାଯାତ୍ରାରେ ଆତ୍ମୟ ସ୍ୱଜନ, ଗ୍ରାମବାସୀ ସାମିଲ ହୋଇଥିବା ବେଳେ ସରପଂଚ ନୟନ ନାଏକ, ଅବସରପ୍ରାପ୍ତ ଶିକ୍ଷାବିତ କ୍ଷେତ୍ରବାସୀ ମହାନ୍ତ, ଅମୃତ ଚରଣ ମହାନ୍ତ, ଇଶ୍ୱରଚନ୍ଦ୍ର ବେହେରା, ତାଙ୍କ ପିତା କବିକୁସୁମ ବୈକୁଣ୍ଠ ନାଥ ମହାନ୍ତ, ଝୁମର କଳାକାର ଭଗବାନ ମହାନ୍ତ, ଲେଖକ ଡମ୍ବରୁ ମହାନ୍ତ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ।
ହିନ୍ଦୁସ୍ଥାନ ସମାଚାର/ତ୍ରିନାଥ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / Trinath Mahanta