ଲକ୍ଷ୍ନୌ, ୨୧ ଡିସେମ୍ବର (ହି.ସ.)- କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଡଃ. ଭୀମରାଓ ଆମ୍ବେଦକରଙ୍କ ଉପରେ ଦେଇଥିବା ବୟାନ୍ କୁ ନେଇ ବହୁଜନ ସମାଜ ପାର୍ଟି ପ୍ରମୁଖ ମାୟାବତୀ ଅସନ୍ତୋଷ ବ୍ୟକ୍ତ କରିବା ସହ ଦେଶବ୍ୟାପୀ ଆନ୍ଦୋଳନର ଡାକରା ଦେଇଛନ୍ତି ।
ମାୟାବତୀ ଶନିବାର ଏକ୍ସ ପୋଷ୍ଟ ରେ ଲେଖିଛନ୍ତି ଯେ, ଡଃ. ଆମ୍ବେଦକର ଭଗବାନଙ୍କ ଭଳି ପୂଜନୀୟ ଅଟନ୍ତି । ଅମିତ ଶାହ ତାଙ୍କର ଅସମ୍ମାନ କରି ଲୋକଙ୍କ ହୃଦୟକୁ ଆଘାତ ଦେଇଛନ୍ତି । ସଂସଦରେ ଅମିତ ଶାହ କହିଥିବା ଶବ୍ଦରେ ସମାଜର ସବୁ ବର୍ଗର ଲୋକ ଆକ୍ରୋଶିତ ହୋଇଛନ୍ତି । ଆମ୍ବେଦକରବାଦୀ ବସପା ଏହି କ୍ରମରେ ଶାହ ବୟାନ ଫେରାଇ ନିଅନ୍ତୁ ଏବଂ ଏନେଇ ପଶ୍ଚାତାପ କରନ୍ତୁ ବୋଲି ଦାବି କରିଛି । ଏହାକୁ ନେଇ ବସପା ଡିସେମ୍ବର ୨୪ ତାରିଖରେ ଦେଶବ୍ୟାପୀ ଆନ୍ଦୋଳନ କରିବାକୁ ନିଷ୍ପତି ନେଇଛି । ସେଦିନ ଦେଶର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା- ବିକ୍ଷୋଭ ପ୍ରଦର୍ଶନ କରାଯିବ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ