ଭଦ୍ରକ, ୭ ଡିସେମ୍ବର (ହି.ସ.) - ଭଦ୍ରକ ହିନ୍ଦୁ ସୁରକ୍ଷା ମଂଚ ତରଫରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍୍ୟରେ ବାଙ୍ଗଲାଦେଶର ହିନ୍ଦୁ ସମାଜ ଉପରେ ବର୍ବରୋଚିତ ଆକ୍ରମଣ ତଥା ଇସ୍କନର ସନ୍ଥ ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରୀ ବିରୋଧରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ଭଦ୍ରକ ଦକ୍ଷିଣେଶ୍ୱରୀ କାଳୀ ମନ୍ଦିର ଠାରୁ ଏକ ବିରାଟ ମଟରସାଇକେଲ ଶୋଭାଯାତ୍ରା ବାହାରି ଚରମ୍ପା ଷ୍ଟେସନ ବଜାର ପରିକ୍ରମା କରି ବାଇପାସ କଚେରୀଛକ ହୋଇ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚି ଥିଲା । ସେଠାରେ ଏକ ପଥପ୍ରାନ୍ତ ସଭା ଶଶାଙ୍କ ଶେଖର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କରାଯାଇଥିଲା । ଭଦ୍ରକର ହିନ୍ଦୁ ସଂଗଠକ ମାନସ ମହାନ୍ତି , ଇସ୍କନର ତେଜସ୍ୱୀ ଗୌର ଦାସ, ଦୁର୍ଗାବାହିନୀର ରାଜ୍ୟ ସଂଯୋଜିକା ସିପ୍ରା ରାଉତ, ବିଶ୍ୱ ହିନ୍ଦୁ ପରିଷଦର ଜିଲ୍ଲାର ସଂପାଦକ ବସନ୍ତ ରାଉତ , ସମାଜ ସେବୀ ପୁର୍ଣ୍ଣ ଚନ୍ଦ୍ର ପାଣି ଆଦି ମନ୍ତବ୍ୟରେକହିଥିଲେ କି ଦୀର୍ଘବର୍ଷ ଧରି ବାଙ୍ଗଲାଦେଶରେ ହିନ୍ଦୁ ସମାଜ ଅତ୍ୟାଚାରିତ ହୋଇ ଚାଲିଛି, ସେଠାରେ ୧୯୪୭ରେ ୨୪ ପ୍ରତିଶତ ଥିଲେ ଏବେ ୬ ପ୍ରତିଶତ ହୋଇ ଗଲେଣି। ଜମାତେ ଉଲ୍ ମୁଜାହୁଦ୍ଦିନ ଓ ଜମାତେ ଇସଲାମୀ ପରି ଆତଙ୍କବାଦୀ ସଂଗଠନ ଗୁଡିକ ହିନ୍ଦୁମାନଙ୍କୁ ଟାର୍ଗେଟ କରିଛନ୍ତି । ଅଗଷ୍ଟ ମାସରେ ସେଖ ହସିନାଙ୍କ ଗାଦିଚ୍ୟୁତ ପରେ ହଜାର ହଜାର ହିନ୍ଦୁମାନଙ୍କୁ ଆକ୍ରମଣ, ହତ୍ୟା, ବଳତ୍କାର କରାଗଲା । ଏବେ ଇସ୍କନର ସନ୍ଥ ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫ ସହ ତାଙ୍କର ସଚିବ ଏବଂ ପୂଜକ କେଶବ ଦାସ , ଶ୍ୟାମା ସୁନ୍ଦର ଦାସଙ୍କୁ ମଧ୍ଯ ଗିରଫ କରାଯାଇଛି । ଏମାନଙ୍କ ବିଷୟ ସହଯୋଗ ପାଇଁ ମିଡ଼ିଆ ଓ ଓକିଲ ମାନଙ୍କୁ ପ୍ରତିବନ୍ଧିତ କରାଯାଇଛି । ଭାରତରେ କସାବ ପରି ଆତଙ୍କବାଦୀ ପାଇଁ ଗଣ୍ଡା ଗଣ୍ଡା ଓକିଲ ଛିଡା ହେଉଥିଲା ବେଳେ ବାଙ୍ଗଲାଦେଶରେ ସନ୍ଥ ମାନଙ୍କ ପାଇଁ ଓକିଲ ମିଳୁ ନାହାନ୍ତି । ଧନ୍ୟ ଭାଇଚାରା ବୋଲି କୁହାଯାଇଥିଲା । ସେଥିପାଇଁ ଭାରତ ସରକାର ବାଙ୍ଗଲାଦେଶ ସରକାର ଉପରେ ଚାପ ପ୍ରୟୋଗ କରି ହିନ୍ଦୁମାନଙ୍କ ସୁରକ୍ଷା ସହ ଇସ୍କନ ସନ୍ଥ ମାନଙ୍କୁ ମୁକ୍ତ କରାଯିବାକୁ ଦାବିପତ୍ର ଦିଆଯାଇଥିଲା । ସଭା ପରେ ବରିଷ୍ଠ ସଂଗଠକ ବିଜୟ ଭୂଷଣ ନାୟକଙ୍କ ନେତୃତ୍ୱରେ ଶରତ ପରିହାରୀ, ସଞ୍ଜୟ ରାଉତ, ଲକ୍ଷ୍ମୀକାନ୍ତ ମିଶ୍ର, ଜ୍ଯୋତିରଞ୍ଜନ ସାହୁ ମଧୁସ୍ମିତା ମହାପାତ୍ର, ସଭାପତି ପ୍ରସନ୍ନ ଷଡ଼ଙ୍ଗୀ , ମାନସ ମହାନ୍ତି ପ୍ରମୁଖ ପ୍ରତିନିଧିଦଳ ଜିଲ୍ଲାପାଳଙ୍କୁ ଭେଟି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍୍ୟରେ ଦାବିପତ୍ର ପ୍ରଦାନ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ