ଜୟପୁର, ୭ ଡିସେମ୍ବର (ହି.ସ.) - ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ୨୦୧୯ -୨୦ ମସିହାରୁ ନୂତନ ଭାବେ ଯୋଗଦାନ କରିଥିବା ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କ ନିମନ୍ତେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ “ସଂକଳ୍ପ” ର ୨ୟ ପର୍ଯ୍ୟାୟ ଆଜି ଜଯପୁର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ତା ୦୩.୧୨.୨୦୨୪ ଠାରୁ ଆରମ୍ଭ ହୋଇ ୦୭.୧୨.୨୦୨୪ ପର୍ଯ୍ୟନ୍ତ ପ୍ରାୟ ପାଂଚ ଦିନ ଧରି ଚାଲିଥିଲା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବୈପାରିଗୁଡା , ବୋରିଗୁମା, ଜୟପୁର, କୋଟପାଡ ଓ କୁନ୍ଦରା ବ୍ଲକର ପ୍ରାୟ ୧୦୪ ଜଣ ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ, କୋରାପୁଟଙ୍କ କାର୍ଯ୍ୟାଳୟ ତରଫରୁ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା କରାଯାଇଥିଲା । ଏହି ପ୍ରଶିକ୍ଷଣ ମାଧ୍ୟମରେ ନବାଗତ ଶିକ୍ଷକ ମାନଙ୍କୁ ନୂତନ ଶିକ୍ଷାନୀତି -୨୦୨୦, ଶ୍ରେଣୀଗୃହ ପରିଚାଳନା , ଶିକ୍ଷାର୍ଥୀ ଡ୍ରପ ଆଉଟର କାରଣ , ସାଇବର ସେଫଟି ଓ ସେକ୍ୟୁରିଟି , ଶିକ୍ଷାର୍ଥୀ ମାନଙ୍କ ନିମନ୍ତେ ସରକାରଙ୍କ ତରଫରୁ ଦିଆଯାଉଥିବା ବିଭିନ୍ନ ପ୍ରୋତ୍ସାହନ , ଆସ୍ପିରେସନାଲ କମ୍ପୋନେଂଟସ ତଥା ଗୁଣାତ୍ମକ ଶିକ୍ଷାର ଅନ୍ୟାନ୍ୟ ଦିଗ ସଂମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, କୋରାପୁଟ ଅର୍ପିତା ପ୍ରଧାନ ନବାଗତ ଶିକ୍ଷକ ମାନଙ୍କୁ ନିଜର ଦାୟିତ୍ୱ ଓ କର୍ତବ୍ୟ ସମ୍ବନ୍ଧରେ ସଚେତନ କରିଥିଲେ । ସମଗ୍ର ଶିକ୍ଷା, କୋରାପୁଟ ର ପେଡାଗୋଜି କୋଡିନେଟର ଶ୍ରୀ ଚନ୍ଦ୍ରକଳା ବଗର୍ତୀ ସ୍ୱାଗତ ଭାଷଣ ଦେବାସହ କାର୍ଯ୍ୟକ୍ରମକୁ ପରିଚାଳିତ କରିଥିଲେ । ଜୟପୁର ସ୍ଥିତ ଔଉଘ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉପେନ୍ଦ୍ର ଦୀପ ପ୍ରଶିକ୍ଷାର୍ଥୀଙ୍କୁ ଉଦବୋଧନ ଦେଇ କର୍ତବ୍ୟକର୍ମ ହେବାକୁ ପରାମର୍ଶ ଦେଇଥିଲେ । ପାଂଚ ଦିନ ଧରି ଚାଲିବାକୁ ଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସାଧନ କର୍ମୀ ଭାବେ ପ୍ରଧାନ ଶିକ୍ଷକ ବିଜୟ କୁମାର ସାହୁ, ଓମ ପ୍ରକାଶ ମିଶ୍ର , ସୁନିଲ କୁମାର ପାଢି , ଶିବ ଶଙ୍କର ପଟ୍ଟନାୟକ , ଦିଲୀପ କୁମାର ପଣ୍ଡା , ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋରାଚାନ୍ଦ ତ୍ରିପାଠୀ ଓ ସହକାରୀ ଶିକ୍ଷକ ସିଦ୍ଧାର୍ଥ ମହାପାତ୍ର ଯୋଗ ଦେଇଥିଲେ । ସର୍ବଶେଷରେ ସମସ୍ତ ପ୍ରଶିକ୍ଷାର୍ଥୀ ଶିକ୍ଷାଲାଭ କରିଥିବା ସମସ୍ତ ପ୍ରସଙ୍ଗକୁ ଶ୍ରେଣୀ ଗୃହରେ ପ୍ରୟୋଗ କରିବାକୁ ଶପଥ ନେଇଥିଲେ। ପ୍ରକାଶ ଥାଉକି ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କୋରାପୁଟ ଠାରେ ତା ୨୬ .୧୧ .୨୦୨୪ ଠାରୁ ଆରମ୍ଭ ହୋଇ ୩୦ .୧୧ .୨୦୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର/ପବନ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପବନ