ଡବଲ ଶଙ୍ଖ ଭାରି ଦୁଃଖ, ଡବଲ ଫୁଲ ଭାରି ଭଲ – ଧର୍ମେନ୍ଦ୍ର ପ୍ରଧାନ
ଅନୁଗୋଳ ଓ ଛେଣ୍ଡିପଦାରେ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଅନୁଗୋଳ, 25 ଏପ୍ରିଲ - ଡବଲ ଶଙ୍ଖ ଭାରି ଦୁଃଖ । ଡବଲ ଫ
ଡବଲ ଶଙ୍ଖ ଭାରି ଦୁଃଖ, ଡବଲ ଫୁଲ ଭାରି ଭଲ – ଧର୍ମେନ୍ଦ୍ର ପ୍ରଧାନ


ଅନୁଗୋଳ ଓ ଛେଣ୍ଡିପଦାରେ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ

ଅନୁଗୋଳ, 25 ଏପ୍ରିଲ - ଡବଲ ଶଙ୍ଖ ଭାରି ଦୁଃଖ । ଡବଲ ଫୁଲ ଭାରି ଭଲ । ଡବଲ ଫୁଲ ସରକାର ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଓଡ଼ିଶା ସମେତ ସମଗ୍ର ଭାରତବର୍ଷରେ ବିକାଶ ତ୍ୱରାନ୍ୱିତ ହେବ ବୋଲି ବୁଧବାର ଅନୁଗୋଳ ଓ ଛେଣ୍ଡିପଦା ନିର୍ବାଚନମଣ୍ଡଳୀରେ ଆୟୋଜିତ ପୃଥକ ପୃଥକ ମିଶ୍ରଣ ପର୍ବରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଅନୁଗୋଳର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ବିଶିଷ୍ଟ ଶିକ୍ଷାବିତ୍ ମହେଶ ଚନ୍ଦ୍ର ଧଳ, ପୂର୍ବତନ ମ୍ୟୁନିସିପାଲିଟି ଚେୟାରମ୍ୟାନ ଭକ୍ତି ପ୍ରସାଦ ଦାସ, ଜିଲ୍ଲା ପରିଷଦ ସଦସ୍ୟା ମୀରା ଗଡନାୟକଙ୍କ ସମେତ ବିଜେଡି ଶତାଧିକ ସମର୍ଥକମାନେ ଦଳରେ ଯୋଗଦେଇଥିଲେ । ସେହିପରି ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ତୁବେ ପଞ୍ଚାୟତ ଡେରେଜାଙ୍ଗ ଗାଁରେ ପୃଥକ ମିଶ୍ରଣ ପର୍ବରେ ମଧ୍ୟ ଅନେକ ସାମାଜିକ ସ୍ତରର କର୍ମୀମାନେ ଯୋଗଦେଇଥିଲେ ।

ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଓଡ଼ିଶାରେ ପରିବର୍ତ୍ତନ ପାଇଁ ସହଯୋଗୀର ଦାୟିତ୍ୱ ନେବା ପାଇଁ ଦଳରେ ମିଶିଥିବାରୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି ଯେ ଚଳିତ ନିର୍ବାଚନର ଲଢେଇ ଓଡ଼ିଆ ଅସ୍ମିତା, ସ୍ୱାଭିମାନ ଏବଂ ଓଡ଼ିଆ ସଂସ୍କୃତି ପାଇଁ ଲଢେଇ ହେବ । ଓଡ଼ିଆ ଅସ୍ମିତା ଅର୍ଥ ସମସ୍ତଙ୍କୁ ସେମାନଙ୍କ ମୌଳିକ ଓ ନ୍ୟାୟଗତ ଅଧିକାର ପ୍ରଦାନ କରିବା । ଓଡ଼ିଆ ଅସ୍ମିତା ଅର୍ଥ ସମସ୍ତଙ୍କୁ ସ୍ୱଚ୍ଛ ପାନୀୟ ଜଳ ସହ ଉତ୍ତମ ସ୍ୱାସ୍ଥ୍ୟସେବାର ବ୍ୟବସ୍ଥା କରିବାକୁ ହେବ ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ବିଜେଡି ନେତାମାନେ କହୁଛନ୍ତି ସେ ନିଜେ କିମ୍ବା ବିଜେପି କ୍ଷମତାକୁ ଆସିଲେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବନ୍ଦ ହୋଇଯିବ । ତେବେ ଓଡ଼ିଶାରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ସହ ଆୟୁଷ୍ମାନ ଭାରତ ଯୋଜନାକୁ ମଧ୍ୟ କାର୍ଯ୍ୟକାରୀ କରାଯାଉ । ଏହା ଆମର ଦାବୀ ରହିଛି । ବିଜେପି କ୍ଷମତାକୁ ଆସିଲେ ଦୁଇଟି ମୋଦୀ ସ୍ୱାସ୍ଥ୍ୟ କାର୍ଡ ଓ ବିଜୁ ସ୍ୱାସ୍ଥ୍ୟ କାର୍ଡକୁ ଚଲାଇବାର ବ୍ୟବସ୍ଥା କରିବ । ଶେଷରେ ଓଡ଼ିଶା ଓ ଦେଶରେ ଡବଲ ପଦ୍ମ ଫୁଲ ଆଣିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରିବା ପାଇଁ କାର୍ଯ୍ୟକର୍ତ୍ତାମାନଙ୍କୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର //ସମନ୍ୱୟ


 rajesh pande